ଆଇଟି ବଜାରରେ ଫନି ମାଡ଼, ୧୦୦ କୋଟିର ବିକ୍ରି ପ୍ରଭାବିତ

ଭୁବନେଶ୍ବର, (ରୁଦ୍ର ପ୍ରସାଦ ଜେନା): ବାତ୍ୟା ଫନି ପ୍ରଭାବରେ ରାଜ୍ୟର ଆଇଟି ବା ସୂଚନା ପ୍ରଯୁକ୍ତି ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ବାତ୍ୟାକୁ ୧୪ ଦିନ ବିତିଲାଣି ତଥାପି ଦ୍ବୈତ ନଗରରେ ବିଦ୍ୟୁତ ସଂଯୋଗ ସ୍ବାଭାବିକ ହୋଇନି। ସେହିପରି ଇଣ୍ଟରନେଟ୍ ଓ ଫୋନ୍ ସେବା ଠିକ୍‌ରେ ମିଳୁନି। ଫଳରେ କମ୍ପ୍ୟୁଟର, ଲାପଟପ୍, ପ୍ରୋଜେକ୍ଟରଠାରୁ ଆରମ୍ଭ କରି ଆଇଟି କ୍ଷେତ୍ରର ଆନୁସାଙ୍ଗିକ ସାମଗ୍ରୀ ବିକ୍ରି ପ୍ରଭାବିତ ହୋଇଛି। ରାଜ୍ୟରେ ଯେତିକି ଆଇଟି ସାମଗ୍ରୀ ବିକ୍ରି ହୋଇଥାଏ, ତାହାର ୬୦ ପ୍ରତିଶତ ଭୁବନେଶ୍ବର ଏବଂ କଟକରେ ବିକ୍ରି ହୋଇଥାଏ। ଏହି ଦୁଇ ସହରରେ ମାସକୁ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ଆଇଟି ସାମଗ୍ରୀ ବିକ୍ରି ହୋଇଥାଏ। ଗତ ୧୩ ଦିନ ଭିତରେ ୧୦୦ କୋଟି ଟଙ୍କାର ବିକ୍ରି ପ୍ରଭାବିତ ହୋଇଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

ବ୍ୟବସାୟୀଙ୍କ କହିବାନୁଯାୟୀ, ଗତ ଏପ୍ରିଲ ମାସରେ ନିର୍ବାଚନ ଯୋଗୁଁ ସରକାରଙ୍କୁ ବ୍ୟବସାୟୀମାନେ ବିକ୍ରି କରୁଥିବା ସାମଗ୍ରୀ ବିକ୍ରି ବନ୍ଦ ‌ରହିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ କୌଣସି ପ୍ରକାର ଟେଣ୍ଡର୍‌ ହେଉନାହିଁ। ଏହାପରେ ଫନି ଯୋଗୁଁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବ୍ୟବସାୟ ବନ୍ଦ ରହିଛି। ରାଜଧାନୀ ଭୁବନେଶ୍ବରରେ ପାଖାପାଖି ୨୦୦ କମ୍ପ୍ୟୁଟର ଏବଂ ଆଇଟି ପେରିଫେରାଲ୍ସ ସାମଗ୍ରୀ ସୋ’ରୁମ୍ ରହିଛି। ଏସବୁ ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଫନି ଯୋଗୁଁ ସାଇନ୍‌ବୋର୍ଡଠାରୁ ଆରମ୍ଭ କରି ଦୋକାନ ଘର ପର୍ଯ୍ୟନ୍ତ ନଷ୍ଟ ହୋଇଛି। ସେହିଭଳି ଅନେକ ସାମଗ୍ରୀରେ ପାଣି ପଶି ଖରାପ ହୋଇଛି। ଏହା ଏକପ୍ରକାର କ୍ଷତି। ତେବେ ବଡ଼ କ୍ଷତି ହେଲା, ଗତ ୧୩ଦିନ ହେଲା ସୋ’ ରୁମ୍‌କୁ ଗ୍ରାହକ ନଆସିବା। କେତେକ ସୋ’ରୁମ୍‌ରେ ପୂର୍ବରୁ କିଣାଯାଇଥିବା ସାମଗ୍ରୀ ଏପର୍ଯ୍ୟନ୍ତ ପଡ଼ି ରହିଥିବା ବେଳେ ଆଉ କେତେକ ଦୋକାନୀ ଡିଷ୍ଟ୍ରିବ୍ୟୁଟର ଏବଂ କମ୍ପାନିଠାରୁ ମଗାଇଥିବା ଜିନିଷ ପହଞ୍ଚି ପାରୁନାହିଁ। ସେହିଭଳି ଆଜି ପର୍ଯ୍ୟନ୍ତ ଭୁବନେଶ୍ବରରେ ଅଧିକ ଆଇଟି ସୋ’ରୁମ୍‌ ଥିବା ସହିଦ ନଗରରୁ ଗଛ କଟାଯାଇ ରାସ୍ତା ଠିକ୍ ଭାବରେ ସଫା କରାଯାଇନାହିଁ। ଏସବୁ ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଆଇଟି ବ୍ୟବସାୟର ସ୍ଥିତି ପୂର୍ବସ୍ତରକୁ ଫେରିବା ସମ୍ଭବ ନୁହେଁ। ସେହିଭଳି ଫନିପରଠାରୁ ବିକ୍ରିରେ ଯେଉଁ ମନ୍ଥରତା ଦେଖାଦେଇଛି, ତାହାର ଭରଣା ବହୁତ ଦିନ ଲାଗିଯିବ।

କର୍ମଚାରୀଙ୍କ ଦରମା ଦେବା ଚିନ୍ତାର ବିଷୟ
ଫନି ଯୋଗୁଁ ବିକ୍ରି ପ୍ରଭାବିତ ହୋଇଥିଲେ ମଧ୍ୟ ସୋ’ରୁମ୍ ପରିଚାଳନା ବାବଦ ଖର୍ଚ ପୂର୍ବରୁ ଯାହା ଥିଲା ଏବେ ସେୟା ରହିଛି। ଆମର ୪ଟି ଷ୍ଟୋର୍‌ରେ ପ୍ରାୟ ୫୦ ପିଲା କାମ କରୁଛନ୍ତି। ବିକ୍ରି ନଥିବାରୁ ସେମାନଙ୍କ ଦରମା ଦେବା ଏବେ ଚିନ୍ତାର ବିଷୟ ପାଲଟିଲାଣି। ଆଇଟି ସୋ’ରୁମ୍‌ଗୁଡ଼ିକର ବିକ୍ରି ଯେଭଳି ତୁରନ୍ତ ସ୍ବାଭାବିକ ହେବ, ତାହାର ବ୍ୟବସ୍ଥା କରିବା ଆବଶ୍ୟକ। ବିଶେଷକରି ଆଇଟି ସୋ’ରୁମ୍‌ଗୁଡ଼ିକର ପ୍ରମୁଖ ଭିତ୍ତିଭୂମି ଯଥା ବିଦ୍ୟୁତ୍‌, ଇଣ୍ଟରନେଟ୍ ଏବଂ ମୋବାଇଲ ଫୋନ୍ ସେବାକୁ ତୁରନ୍ତ ସଜାଡ଼ିବା ଆବଶ୍ୟକ। ନଚେତ କେବଳ ବ୍ୟବସାୟୀଙ୍କର କ୍ଷତି ହେବ ନାହିଁ ଏବଂ ସରକାରଙ୍କ ଟିକସ କମିବା ସହ ଏହି ଶିଳ୍ପ ସହ ଜଡ଼ିତ କର୍ମଚାରୀମାନେ ମଧ୍ୟ ପ୍ରଭାବିତ ହେବେ।
ରୁଦ୍ରକାନ୍ତ ମହାପାତ୍ର, ତତ୍ତ୍ବାବଧାରକ, ଆଶୀର୍ବାଦ କମ୍ପ୍ୟୁଟର

କ୍ଷତି ଭରଣା ହେବାକୁ ଦୀର୍ଘ ଦିନ ଲାଗିବ
ବାତ୍ୟା ଯୋଗୁଁ ବ୍ୟବସାୟ ପୂରା କମି ଯାଇଛି। ବ୍ୟାଙ୍କରେ କାରବାର ସ୍ବାଭାବିକ ହୋଇନାହିଁ। ‌ଏଟିଏମ୍‌ରେ ଟଙ୍କା ମିଳୁନାହିଁ। ଲୋକେ ତେଣୁ ସୋ’ରୁମ୍‌କୁ ଏବେ ଆସୁନାହାନ୍ତି। କିଛି ଦିନ ହେଲା ବିଜୁଳି ଆସିଥିଲେ ମଧ୍ୟ ଏହା ବାରମ୍ବାର କଟୁଛି। ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ଏପର୍ଯ୍ୟନ୍ତ ଠିକ୍‌ ଭାବେ କାମ କରୁନାହିଁ। ତେଣୁ ବାତ୍ୟା ପରେ ବିକ୍ରିରେ ହୋଇଥିବା କ୍ଷତିଭରଣା ହେବାକୁ ବହୁ ଦିନ ଲାଗିଯିବ।
ପରୀକ୍ଷିତ ଦାଶ, ଏମ୍‌ଡି, ନିଗମା କମ୍ପ୍ୟୁଟେକ୍ ଆଣ୍ଡ ସର୍ଭିସେସ୍

ସଂଘ ବୈଠକରେ ଆଲୋଚନା ହେବ
ଫନି ଦ୍ବାରା ଆଇଟି କ୍ଷେତ୍ରର ବ୍ୟବସାୟୀମାନେ ବହୁତ କ୍ଷତି ସହିଛନ୍ତି। ଏପ୍ରିଲରେ ନିର୍ବାଚନ ଯୋଗୁଁ ବ୍ୟବସାୟ ଅଧାଅଧି କମି ଯାଇଥିବା ବେଳେ ଫନି ପରେ ମେ’ ମାସରେ ବ୍ୟବସାୟ ୯୫ପ୍ରତିଶତ କମି ଯାଇଛି। ଅନେକ ସୋ’ରୁମ୍ ସାମ୍ନାରୁ ଏ ପର୍ଯ୍ୟନ୍ତ ଗଛ କଟା ଯାଇନାହିଁ। ବିଜୁଳି ରହୁନାହିଁ। ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ଅତୀତରେ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବସିବାର ଥିଲା। କିନ୍ତୁ ତାହା ହୋଇପାରିନାହିଁ। ଆସନ୍ତା ଶନିବାର ବୈଠକ ବସିବ। ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଯାହା କିଛି ନିଷ୍ପତ୍ତି ନିଆଯିବ।
ସମ୍ପାଦକ, ଆଇଟି ଆସୋସିଏସନ୍ ଅଫ୍ ଓଡ଼ିଶା

ସମ୍ବନ୍ଧିତ ଖବର