ଓଡ଼ିଶାରେ ସୂଚନା ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଭିବୃଦ୍ଧି ଘଟୁଛି

ଆଇଟିଏଓ ପକ୍ଷରୁ ଆଇଟି କନ୍‌କ୍ଲେଭ - ୨୦୧୮

ଭୁବନେଶ୍ୱର :  ମଙ୍ଗଳବାର ଦ ଆଇଟି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଆଇଟିଏଓ) ପକ୍ଷରୁ ପଞ୍ଚମ ଆଇଟି କନ୍‌କ୍ଲେଭ-୨୦୧୮ ଉଦ୍‌ଘାଟିତ ହୋଇଛି। ଏହି କନ୍‌କ୍ଲେଭର ଶୀର୍ଷକ ରହିଛି ‘ସ୍ମାର୍ଟ ସିଟି ସ୍ମାର୍ଟ ଲିଙ୍କ୍‌’। ପ୍ରମୁଖ ଆଇଟି କ୍ଷେତ୍ର ଏବଂ ସ୍ମାର୍ଟ ସିଟି ଭୁବନେଶ୍ୱର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରଖିବା ଆଶାରେ କନକ୍ଲେଭରେ ଏହି ଶୀର୍ଷକକୁ ଗୁରୁତ୍ୱ ଦିଆଯାଇଛି। ଆଇଟି ଶିଳ୍ପ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।  କନ୍‌କ୍ଲେଭରେ ଯୋଗ ଦେଇ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ଅଶୋକ କେ. ମୀନା କହିଛନ୍ତି, ସାରା ବିଶ୍ୱରେ ଆଇଟି କ୍ଷେତ୍ରରେ ଅନେକ ପରିବର୍ତନ ହୋଇଛି। ଉଦ୍ୟୋଗୀ ଏବଂ ତୃଣମୂଳସ୍ତରରେ ଆଇଟି କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନେ ନିଜ ଦକ୍ଷତାର ଅଭିବୃଦ୍ଧି ଘଟାଇ ନିଜକୁ ଆଇଟି ବିକାଶରେ ସାମିଲ କରିବାକୁ ପଡ଼ିବ।

ସେହିପରି ଏସ୍‌ଟିପିଆଇର ଡାଇରେକ୍ଟର କହିଛନ୍ତି, ଓଡ଼ିଶାରେ ଆଇଟି ଏବଂ ଇଲୋକ୍ଟ୍ରୋନିକ୍ସ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଘଟୁଛି। ଏଥିରେ ଅତିଥି ଭାବେ ଯୋଗଦେଇ ସିଏସ୍‌ଡିଏସ୍‌ ଅଧ୍ୟକ୍ଷ ଦାନ ମିଶ୍ର କହିଛନ୍ତି, ନୂଆପିଢ଼ିର ପିଲାମାନଙ୍କ ପାଇଁ  ପ୍ରଯୁକ୍ତିବିଦ୍ୟା ସେମାନଙ୍କ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାକୁ କିପରି ସଠିକ୍‌ ଭାବେ ବ୍ୟବହାର କରାଯାଇ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ଆଇଟିଏଓ ସଭାପତି ସୌଭାଗ୍ୟ ରାଉତରାୟ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ସଚିବ ନାରାୟଣ ପଲାଇ ଉପସ୍ଥିତ ଥିଲେ। କନକ୍ଲେଭରେ ଆମେରିକାର ଏଡୋବ୍‌, ସିଏସ୍‌ଡିଏସ୍‌, ଜାପାନର ଏପ୍ସନ୍‌ ଏବଂ ଆମେରିକାର କ୍ୱାଡଜେନ୍‌ କମ୍ପାନିର ଅଧିକାରୀ ଯୋଗ ଦେଇଥିଲେ। ଆଇଟିଏଓ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ ସରକାରୀ ସଂସ୍ଥା, କର୍ପୋରେଟ୍‌, ପବ୍ଲିକ ସେକ୍ଟର, ଡିଷ୍ଟ୍ରିବ୍ୟୁଟର ଏବଂ ଶିଳ୍ପୋଦ୍ୟୋଗୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର