ବାଲିଅନ୍ତା: ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଧଉଳି ଶାନ୍ତିସ୍ତୂପ ଟୋଲଗେଟରୁ ୨୭ ଦିନ ହେଲା ଟୋଲ୍ ଆଦାୟ ବନ୍ଦ ହୋଇଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳରୁ କାର୍ ଆଦି ଯାନବାହାନରେ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ଯାତ୍ରୀ ଫି’ ଆଦାୟ ବନ୍ଦ ନେଇ ଅସନ୍ତୋଷ ଦେଖାଦେଇଛି। ଟୋଲ୍ଗେଟ୍ ଫି’ ମୁକ୍ତ ହେବା କାରଣରୁ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକମାନଙ୍କୁ ନେଇ ଶାନ୍ତିସ୍ତୂପ ଉପରକୁ ଯା’ଆସ କରୁଥିବା ସଟଲ୍ ବସ୍ ଚଳାଚଳ ଠପ୍ ହୋଇଯାଇଛି। ସଟଲ୍ ବସ୍ ସେବା ବନ୍ଦ ହୋଇଯିବାରୁ ଧଉଳି ବୁଲି ଆସୁଥିବା ହଜାର ହଜାର ପର୍ଯ୍ୟଟକ ବସଷ୍ଟାଣ୍ଡରୁ ଶାନ୍ତିସ୍ତୂପ ଯାତାୟାତ କରିବା ନେଇ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଅଟୋ, କାର୍ ଏବଂ ଅନ୍ୟାନ୍ୟ ଗାଡ଼ି ଭଡ଼ା କରିବାକୁ ବାଧ୍ୟ ହେଉଛନ୍ତି। ବଡ଼ କଥା ହେଉଛି ଶାନ୍ତିସ୍ତୂପକୁ ଯାତାୟାତ ବାବଦରେ ମୁଣ୍ଡପିଛା ଫି’ ୨୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ଅଟୋରେ ୪୦ ଟଙ୍କା ବା ତା’ଠାରୁ ମଧ୍ୟ ଅଧିକ ଦେବାକୁ ପଡୁଥିବା ପର୍ଯ୍ୟଟକମାନେ କହିଛନ୍ତି।
ହଜାର ହଜାର ପର୍ଯ୍ୟଟକ ଅଟୋରେ ଯାତାୟାତ କରିବା ସମ୍ଭବ ହେଉନାହିଁ। ଏନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ପଞ୍ଚାୟତ ପକ୍ଷରୁ ନୂଆ ଲୋକ ନିଯୁକ୍ତ କରି ଯାତ୍ରୀ ଫି’ ଆଦାୟ କରିବାକୁ ପର୍ଯ୍ୟଟନ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲପାଳଙ୍କୁ ଚିଠି କରାଯାଇଛି। ହେଲେ ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି। ସେହିପରି ଟେଣ୍ଡର ପକାଇ ନୂଆ ଏଜେନ୍ସି ସହାୟତାରେ ଫି’ ଆଦାୟ କରାଯିବା ନେଇ ମଧ୍ୟ ଦାବି ହେଉଛି। ଅନ୍ୟପକ୍ଷରେ ଟୋଲଗେଟ ଉଚ୍ଛେଦ ହେବା ପରେ ପର୍ଯ୍ୟଟନ ବିଭାଗର ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହୋଇଥିବା ଜଣାପଡ଼ିଛି।
ପଞ୍ଚାୟତ ଏବଂ ସ୍ଥାନୀୟ ଲୋକେ ଏହି ସମସ୍ୟା ସମ୍ପର୍କରେ ପ୍ରଶାସନ ଓ ଏକାମ୍ର ବିଧାୟକ ବାବୁ ସିଂହଙ୍କୁ ଜଣାଇଛନ୍ତି। ହେଲେ ସ୍ଥିତି ବଦଳୁ ନଥିବରୁ ଘୋର ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ରଜ ୩ ଦିନ ଧରି ଅପରାହ୍ନ ୨ଟା ପରଠାରୁ ଟୋଲଗେଟରୁ ଫି’ ଆଦାୟ ବନ୍ଦ ନେଇ ନିର୍ଦ୍ଦେଶ ହୋଇଥିଲା। ହେଲେ ବିରୋଧୀ ଗୋଷ୍ଠୀର ଯୁବକମାନେ ୧୬ ତାରିଖ ମଧ୍ୟାହ୍ନରେ ପହଞ୍ଚି ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।