୬ ମାସ ହେଲା ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ ବନ୍ଦ

ଭୁବ‌ନେଶ୍ବର: ତୃଣମୂଳସ୍ତରରେ ସ୍ବାସ୍ଥ୍ୟ ସଚେତନତା ସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଦିବସ ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ମହିଳା ଆରୋଗ୍ୟ ସମିତି(ମାସ୍) ଗଠନ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିସନ ଅଧୀନ ସିଟି ପ୍ରୋଗ୍ରାମ୍‌ ମ୍ୟାନେଜ୍‌ମେଣ୍ଟ୍‌ ୟୁନିଟ୍‌ ଜରିଆରେ ଏହି ସମିତି ଗଠନ କରାଯାଇଛି। ହେଲେ ୬ ମାସ ହେବ, ରାଜଧାନୀର ଏକାଧିକ ୱାର୍ଡରେ ଏସବୁ ସଚେତନତା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। କାହା ନିର୍ଦ୍ଦେଶରେ ଏହାକୁ ବନ୍ଦ କରାଯାଇଛି, ସେ ସଂପର୍କରେ ମାସ୍ କିମ୍ବା ଜନସ୍ବାସ୍ଥ୍ୟ ଅଧିକାରୀ କିଛି ସ୍ପଷ୍ଟ ଉତ୍ତର ରଖି ପାରୁନାହାନ୍ତି। ତେଣୁ ସଚେତନତା କାର୍ଯ୍ୟକ୍ରମ ପାଇଁ ମାସ୍‌କୁ ଦିଆଯିବାକୁ ଥିବା ଟଙ୍କାର ସ୍ଥିତି ଏବେ କ’ଣ ହେବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

 କ’ଣ ହେଉଛି ଅନୁଦାନ ଟଙ୍କା?
‘ମାସ୍’ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ

ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ବ‌ାବଧାନରେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କ ସହ ମିଶି ମହିଳା ମାସ୍ ଗଠନ କରାଯାଇଛି। ନିଜ ନିଜ ଅଞ୍ଚଳରେ ଡେଙ୍ଗୁ, ମ୍ୟାଲେରିଆ, ଏଡସ୍‌, ହାତସଫା, ଜଳାତଙ୍କ ଦିବସ ଭଳି ବର୍ଷକୁ ପ୍ରାୟ ୬୦ରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା ରହିଛି। ହେଲେ ବିଏମ୍‌ସିର ୱାର୍ଡ ନମ୍ବର ୫, ୧୦, ୧୧ରେ କିଛି ମାସ ଧରି ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି। ଅନ୍ୟ ୱାର୍ଡଗୁଡ଼ିକରେ ସ୍ଥିତି ସମାନ ରହିଥିବା ନେଇ ଆଶଙ୍କା କରାଯାଉଛି। ରାଜଧାନୀରେ ପ୍ରତିବର୍ଷ ଡେଙ୍ଗୁ ବ୍ୟାପୁଛି। ଶତାଧିକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଭୁବନେଶ୍ବର ଆଜି ପର୍ଯ୍ୟନ୍ତ ଫାଇଲେରିଆରୁ ମୁକ୍ତ ହୋଇପାରିନି। ଅନେକ ସମୟରେ ଡାଇରିଆ ମଧ୍ୟ ବ୍ୟାପୁଛି। ପ୍ରତ୍ୟେକ ଦିନ ଅନେକ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ତେଣୁ ଏ ସବୁର ନିରାକରଣ ପାଇଁ ତୃଣମୂଳସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି।

ସୂଚନାନୁସା‌ରେ, ୧୦୦ଟି ଘର ପିଛା ଗୋଟିଏ ଲେଖାଏ ମାସ୍‌ ହୋଇଛି। ପ୍ରତି ମାସ୍‌ରେ ୧୨ଜଣ ସ୍ଥାନୀୟ ମହିଳା ରହିଛନ୍ତି। ପ୍ରତି ମାସ୍‌କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏ ସଚେତନତା କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବା ପାଇଁ ପ୍ରାବଧାନ ରହିଛି। ୫ ଓ ୧୦ନମ୍ବର ୱାର୍ଡରେ୧୬ଟି ମାସ୍‌ ଥିବା ବେଳେ ୧୧ନମ୍ବର ୱାର୍ଡରେ ୩ଟି ମାସ୍‌ ରହିଛି। ଏହି ମାସ୍‌ଗୁଡ଼ିକୁ ତାଲିମ୍ ଦିଆଯିବା ସହ ୬ମାସକୁ ଅଢ଼େଇ ହଜାର ଟଙ୍କା ଲେଖାଁଏ ଦିଆଯାଉଛି। ହେଲେ ଗତ ଜୁନ୍‌ଠାରୁ ଏ ସମସ୍ତ ୱାର୍ଡରେ ଟଙ୍କା ଦିଆଯାଉନି କି କୌଣସି କାର୍ଯ୍ୟକ୍ରମ କରାଯାଉନି। ମାସ୍‌ର ଜଣେ ମହିଳା ସଦସ୍ୟ ନିଜ ନାମ ଗୋପନ ରଖି କହିଛନ୍ତି, ଗତ ୬ମାସ ହେଲା ୱାର୍ଡସ୍ତରୀୟ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନି। ବାରମ୍ବାର ଏଏନ୍‌ଏମ୍‌ ଦିଦିଙ୍କୁ ଅବଗତ କରାଗଲେ ମଧ୍ୟ ସେ କିଛି ଶୁଣୁନାହାନ୍ତି। ଦୀର୍ଘ ଦିନ କାର୍ଯ୍ୟକ୍ରମ ହେଉନଥି‌ବାରୁ ମାସ୍‌ର ମହିଳାମାନେ ଅ‌ସନ୍ତୋଷ ପ୍ରକାଶ କରିଛନ୍ତି।

ଏ ସଂପର୍କରେ ଅତିରିକ୍ତ ଜିଲ୍ଲା ସହରୀ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯାମୀ ମିଶ୍ର କହିଛନ୍ତି, କାର୍ଯ୍ୟକ୍ରମ ନିୟମିତ କରାଯାଉଥିଲା। ମାସ୍‌ଗୁଡ଼ିକୁ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଖର୍ଚ୍ଚ ଠିକ୍‌ ସମୟରେ ପ୍ରଦାନ କରାଯାଉଥିଲା। ଏବେ ବନ୍ଦ ଥିବା କଥାକୁ ସେ ଖଣ୍ଡନ କରିବା ସହ ଏହା ଉପରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଏନେଇ ସ୍ଥାନୀୟ ଜନସ୍ବାସ୍ଥ୍ୟ ଅଧିକାରୀ(ପିଏଚ୍‌ଏମ୍‌) ଶ୍ରୀସେନ୍ଦୁ ରକସିତ୍‌ଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା।

ସମ୍ବନ୍ଧିତ ଖବର