ଜଟଣୀ: ୨୦୧୫ ମସିହାଠାରୁ ନିର୍ମାଣ ଆରମ୍ଭ ଥିବା ବହୁ ପ୍ରତିକ୍ଷୀତ ଜଟଣୀ ରେଳବାଇ ଓଭରବ୍ରିଜ୍ ୨୦୨୩ ମସିହା ଅଗଷ୍ଟ ମାସରେ ଉଦ୍ଘାଟନ ହୋଇଥିଲା। ଏହି ସେତୁ ନିର୍ମାଣକୁ ଦୀର୍ଘ ୮ ବର୍ଷ ଲାଗିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେବାରୁ ଜଟଣୀବାସୀ ଖୁସିବ୍ୟକ୍ତ କରିଥିଲେ। ସହରବାସୀ ଭାବିଲେ ଆଉ ସେମାନଙ୍କୁ ଅଣ୍ଡର୍ପାସ୍ ତଳେ ଯାତାୟାତ କରିବାକୁ ପଡ଼ିବ ନାହିଁ କି ବର୍ଷା ଦିନେ ଘଣ୍ଟା ଘଣ୍ଟା ଧରି ରାସ୍ତା ପାର ହେବାକୁ ଅପେକ୍ଷା କରିବାକୁ ପଡ଼ିବନି। ପ୍ରଥମ କିଛି ମାସ ସବୁ ଠିକ୍ ଠାକ୍ ଚାଲିଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁ ବ୍ରିଜ୍ ଉଦ୍ଘାଟନର ୪ ମାସ ପରେ ପୋଲ ଉପରେ କଂକ୍ରିଟ୍ ଉଠି ରଡ୍ ଦିଶିଲା। ବିଭାଗୀୟ କର୍ତ୍ତୃପକ୍ଷ ସେହି ସ୍ଥାନରେ ମରାମତି କରି ପ୍ୟାଚ୍ ପକାଇ ଦେଇଥିଲେ। ହେଲେ ଘଟଣାକୁ କିଛି ମାସ ବିତି ଯାଇଥିବା ବେଳେ ଏବେ ଏହି ଫ୍ଲାଇଓଭର୍ ଲୋକଙ୍କ ପାଇଁ ବିପଦ ସାଜିଛି। ନିମ୍ନମାନର କାମ ଯୋଗୁ ବ୍ରିଜ୍ ଉପରେ ଅଧିକାଂଶ ସ୍ଥାନରେ ପିଚୁ ଉଠି ଗର୍ତ୍ତ ସୃଷ୍ଟି ହୋଇଛି। ପୋଲ ଉପରେ ବର୍ଷା ହେଲେ ପାଣି ଆଣ୍ଠୁଏ ଉଚ୍ଚର ଜମି ରହୁଛି। ରକ୍ଷଣାବେକ୍ଷଣ ଅଭାବରୁ ପୋଲ କଡ଼ରେ ପାଦଚଲା ରାସ୍ତା ମଧ୍ୟ ଅତି ଶୋଚନୀୟ ହୋଇପଡ଼ିଛି। ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବା ବେଳେ ବ୍ରିଜ୍ଟି ଅଣଓସାରିଆ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ନିମ୍ନମାନର କାମ ଯୋଗୁ ସଂପୃକ୍ତ ଠିକାଦାର, ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଆଗକୁ ବଡ଼ ବିପଦ ଘଟିବା ପୂର୍ବରୁ ତୁରନ୍ତ ପଦକ୍ଷେପ ନେଇ ବ୍ରିଜ୍ର ଉନ୍ନତମାନର ମରାମତି କରିବାକୁ ଦାବି କରିଛନ୍ତି।
ଜଟଣୀ ଫ୍ଲାଇଓଭର୍ ନିମ୍ନମାନର
ରାସ୍ତାରୁ ଉଠିଗଲାଣି ପିଚୁ
ବିପଦ ସାଜିଛି ରାସ୍ତା ଉପରର ଖାଲଖମା
ଜଟଣୀ ସୀତାରାମ ଛକରୁ ଆରମ୍ଭ ହୋଇ କୁଦିଆରୀରେ ଶେଷ ହୋଇଥିବା ଏହି ବ୍ରିଜ୍ ପାଇଁ ୧୦୫ କୋଟି ଟଙ୍କା ବ୍ୟୟ ହୋଇଥିଲା। ପାଖାପାଖି ୮୦୦ ମିଟର ପୋଲ ନିର୍ମାଣ ପାଇଁ ୮ବର୍ଷ କାଳ ଲାଗିଯାଇଥିଲା। ଏହାରି ମଧ୍ୟରେ ୨୦୧୮ ମସିହାରେ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାର ନିମ୍ନମାନର କାମ ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସରକାର ଉକ୍ତ ସଂସ୍ଥାକୁ ବାହାର କରି ପୁନଃ ଟେଣ୍ଡର୍ ମାଧ୍ୟମରେ ବିରଜା କଂଷ୍ଟ୍ରକସନ୍ ଠିକା ସଂସ୍ଥାକୁ ନିର୍ମାଣ କାମ ଦେଇଥିଲେ। ପୁଣି ସେହି ସଂସ୍ଥା ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ହେଲେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସବୁଠୁ ବଡ଼ କଥା ହେଉଛି ଏହି ବ୍ରିଜ୍ ନିର୍ମାଣ ସମୟରେ ୩୮କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଥିବା ବେଳେ ବାରମ୍ୱାର ଟେଣ୍ଡର ଯୋଗୁ ତାହା ୧୦୫କୋଟି ଟଙ୍କାକୁ ବୃଦ୍ଧି ହୋଇଯାଇଥିଲା। ତେବେ କରୋନା ସମୟରେ ଅର୍ଥାତ୍ ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରୁ କାମ ବନ୍ଦ ରହିଥିଲା। ପରେ ୨୦୨୩ ମସିହାରେ ଜୁଲାଇ ୧୫ତାରିଖ ସୁଦ୍ଧା ବ୍ରିଜ୍ ନିର୍ମାଣ କାମ ସରିବ ବୋଲି ଘୋଷଣା କରାଯାଇଥିଲା। ତେବେ ବ୍ରିଜ୍ ଉଦ୍ଘାଟନ ପୂର୍ବରୁ ଲୋକେ ଯାତାୟାତ ଆରମ୍ଭ କରିଦେଇଥିଲେ।
ତେଣୁ ଆର୍ ଆଣ୍ଡ ବି ପକ୍ଷରୁ ତରବରିଆ ଭାବେ ଆଉ ଯେଉଁ କାମ ସବୁ ବାକି ଥିଲା ତାହା କରି ଦିଆଯାଇଥିଲା। ପରେ ଅଗଷ୍ଟ ୧୫ ତାରିଖ ୨୦୨୩ ମସିହାରେ ଭିଡିଓ କନଫରେନ୍ସ ମାଧ୍ୟମରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଥିଲେ। ହେଲେ ଦେଢ଼ ବର୍ଷ ଭିତରେ ଏହି ବ୍ରିଜ୍କୁ ୧୦ରୁ ଅଧିକ ଥର ମରାମତି କରାଯାଇଥିବା ନଜୀର ରହିଛି। ପ୍ରତି ମରାମତି କାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି, ହେଲେ ପୁଣି ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଆର୍ ଆଣ୍ଡ ବିର ଏସ୍ଡିଓ ଅବିନାଶ ଲେଖା କହିଛନ୍ତି ଯେ, ପୂର୍ବରୁ ବ୍ରିଜ୍ ଉପରେ ଯେଉଁ ସ୍ଥାନରେ କଂକ୍ରିଟ୍ ଉଠି ରଡ୍ ଦେଖାଯାଉଥିଲା, ସେଠାରେ ମରାମତି ହୋଇଛି। ଏବେ ଯଦି ସେଭଳି କିଛି ସମସ୍ୟା ହୋଇଛି ତାହେଲେ ପୁଣି ଆବଶ୍ୟକ କାମ କରାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/jgdjdgjgdjbc-2025-11-02-01-20-09.jpg)