ଭୁବନେଶ୍ବର: ରାଜଧାନୀରେ ବୁଲାକୁକୁର ଆତଙ୍କ ସୃଷ୍ଟି କଲେଣି। ରାତିରେ ଏକୁଟିଆ ଦେଖିଲେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି। ସେ କ୍ୟାପିଟାଲ୍ ହସ୍ପିଟାଲ୍ ହେଉ କି ବିଏମ୍ସି ହସ୍ପିଟାଲ୍ ଅବା ଅନ୍ୟ କୌଣସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସବୁଠି ପ୍ରତିଦିନ କୁକୁରକାମୁଡ଼ା ରୋଗୀଙ୍କ ଭିଡ଼ ଲାଗୁଛି। ଦିନକୁ ଦିନ କୁକୁରକାମୁଡ଼ା ରୋଗୀ ସଂଖ୍ୟା ବି ବଢ଼ିଚାଲିଛି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ମୁତାବକ, ରାଜଧାନୀ ଭୁବନେଶ୍ବରରେ ଗତ ୪ ମାସ ଭିତରେ ୧୦୦୫ଜଣଙ୍କୁ କୁକୁର କାମୁଡ଼ି ଘାଇଲା କଲେଣି। ଏଥିରେ ସର୍ବାଧିକ ୧୫ ବର୍ଷ ବୟସ ଭିତରେ ରହିଛନ୍ତି। ହିସାବ କଲେ ମାସକୁ ହାରାହାରି ୨୫୦ଜଣ କୁକୁର କାମୁଡ଼ାରେ ଡାକ୍ତରଖାନାକୁ ଆସୁଛନ୍ତି।
ଯଦି ବର୍ଷ ଆରମ୍ଭ କଥା ଦେଖିବା, ଜାନୁଆରିରେ ୭୭ଜଣଙ୍କୁ କୁକୁର କାମୁଡ଼ିଥିଲା। କିନ୍ତୁ ପରେ ଏହି ସଂଖ୍ୟା ହଜାରେ ଡେଇଁଯିବା ଉଦ୍ବେଗର କାରଣ ପାଲଟିଛି। ଏଥିରେ କାହାରି ମୃତ୍ୟୁ ହୋଇନି ସତ, କିନ୍ତୁ ସାମାନ୍ୟ ଅସାବଧାନତା ହେଲେ, ଜଳାତଙ୍କ ରୋଗ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକଲେ, ଅତିବେଶିରେ କୁକୁର କାମୁଡ଼ିବାର ୧୫ ବର୍ଷ ଭିତରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ। ସାରା ରାଜ୍ୟରେ ୨୦୨୪-୨୫ରେ ୧୦୪୫ଜଣଙ୍କ କୁକୁରକାମୁଡ଼ାଜନିତ ଜଳାତଙ୍କ ରୋଗରେ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଓଡ଼ିଶାରେ ପ୍ରତି ମାସରେ ୨୦ରୁ ୩୦ହଜାର କୁକୁରକାମୁଡ଼ା ମାମଲା ଡାକ୍ତରଖାନାକୁ ଆସୁଛି। ଯେହେତୁ କୁକୁରକାମୁଡ଼ା ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି ଓ ସେହି ଅନୁସାରେ ମୃତ୍ୟୁସଂଖ୍ୟା ବି ବଢ଼ିଚାଲିଛି, ଏଣୁ ପ୍ରତି ଜିଲ୍ଲାରେ ରାବିଜ୍ ମଡେଲ୍ ଚିକିତ୍ସା କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ବର୍ତ୍ତମାନ ରାଜ୍ୟରେ ଏକମାତ୍ର କଟକ ଏସ୍ସିବି ମେଡିକାଲ୍ରେ ଏହି କେନ୍ଦ୍ର ରହିଛି।
ପ୍ରାଣୀସଂପଦ ବିଭାଗ ୨୦୧୯ ମସିହାରେ ବୁଲାକୁକୁରଙ୍କ ଗଣନା କରିଥିଲା। ଗଣନା ଅନୁସାରେ ସାରା ରାଜ୍ୟରେ ପ୍ରାୟ ୧୮ଲକ୍ଷ ବୁଲାକୁକୁର ଥିଲେ। କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୧ଲକ୍ଷରୁ ଅଧିକ ବୁଲାକୁକୁର ଥିଲେ। ପରେ ଗଂଜାମ, ବାଲେଶ୍ବର ଓ କଟକ ଜିଲ୍ଲାରେ କୁକୁର ସଂଖ୍ୟା ଅଧିକ ଥିଲା। ବୁଲାକୁକୁରରେ ଖୋର୍ଦ୍ଧା ଜିଲ୍ଲା ପଞ୍ଚମ ସ୍ଥାନରେ ଥିଲା। ଖୋର୍ଦ୍ଧା ଜିଲ୍ଲାରେ ୩୪,୦୧୪ଟି ବୁଲାକୁକୁର ଥିଲେ। କିନ୍ତୁ ଓଡ଼ିଶା ବୁଲାକୁକୁର ସଂଖ୍ୟାରେ ଦେଶରେ ଦ୍ବିତୀୟ ସ୍ଥାନରେ ଥିଲା। ଏ ଭିତରେ ବୁଲାକୁକୁରଙ୍କ ସଂଖ୍ୟା ଦୁଇଗୁଣା ହୋଇଗଲାଣି। ଭୁବନେଶ୍ବର କଥା ଦେଖିଲେ, ଜନସଂଖ୍ୟାର ପ୍ରାୟ ୪ ପ୍ରତିଶତ ହିସାବରେ ଏଠାରେ ପ୍ରାୟ ୭୦ହଜାର ବୁଲାକୁକୁର ଥିବା ଭୁବନେଶ୍ବର ମହାନଗର ନିଗମ ଆକଳନ କରିଛି। ସେହି ଅନୁସାରେ କୁକୁର କାମୁଡ଼ା ସଂଖ୍ୟା ବଢ଼ି ବଢ଼ି ଚାଲିଛି ସତ, କିନ୍ତୁ ବନ୍ଧ୍ୟାକରଣରେ ସେତେଟା ତତ୍ପରତା ଦେଖାଦେଇନି। ଆଜି ସୁପ୍ରିମକୋର୍ଟଙ୍କ ରାୟ କେବଳ ରାଜଧାନୀବାସୀଙ୍କୁ ନୁହେଁ, ସାରା ଓଡ଼ିଶାବାସୀଙ୍କୁ କିଛିଟା ଆଶ୍ବସ୍ତ କରିଛି। ବୁଲାକୁକୁରଙ୍କୁ ବନ୍ଧ୍ୟାକରଣ, ଆଣ୍ଟି ରାବିଜ୍ ଇଞ୍ଜେକ୍ସନ୍ ଆଦି ଉପରେ ସୁପ୍ରିମକୋର୍ଟ ଗୁରୁତ୍ବ ଦେଇଛନ୍ତି। ସର୍ବସାଧାରଣ ଜାଗାରେ ଖାଇବାକୁ ଦେବାରେ କଟକଣା ଲଗାଇଛନ୍ତି। କାମୁଡ଼ା କୁକୁରଙ୍କୁ ସେଲ୍ଟର୍ରେ ରଖିବାକୁ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା କୁକୁରଙ୍କ ଦୌରାତ୍ମ୍ୟ କମାଇବ ବୋଲି ବୁଦ୍ଧିଜୀବୀ ମହଲ ଆଶାପୋଷଣ କରିଛନ୍ତି।
ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ସାରା ବିଶ୍ବର ୩୬ ପ୍ରତିଶତ ବୁଲାକୁକୁର ଭାରତରେ ରହିଛନ୍ତି। କୁକୁର କାମୁଡ଼ାର ୨୪ ଘଣ୍ଟା ଭିତରେ ଟିକା ନେବା ଉଚିତ। ନ ହେଲେ ଏହାର ଭୂତାଣୁ ଶରୀରକୁ ବ୍ୟାପିଯିବ। ଯଦି ବ୍ୟାପିଯାଏ ମୃତ୍ୟୁ ସୁନିଶ୍ଚିତ। ଯଦି କେହି ତତ୍କାଳ ପାଣିରେ କାମୁଡ଼ା ସ୍ଥାନକୁ ଧୋଇବା ସହ ସାବୁନ୍ରେ ଧୁଏ, ୯୦ ପ୍ରତିଶତ ସଂକ୍ରମଣ କମିଯାଏ। ବର୍ତ୍ତମାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁରକାମୁଡ଼ା ଇଞ୍ଜେକ୍ସନ୍(ଆରଆଇଜି ଓ ଏଆରଭି) ଉପଲବ୍ଧ ଅଛି। ଆଗକୁ ସବୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁରକାମୁଡ଼ା ଇଞ୍ଜେକ୍ସନ୍ ରଖିବାକୁ ଯୋଜନା କରାଯାଉଛି। ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ଖୁବ୍ଶୀଘ୍ର ଏକ ବୈଠକ ଡକାଯାଉଛି ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।