‘ସୁବ୍ବା ରାଓଙ୍କ ଆଦର୍ଶକୁ ଆଗକୁ ନେବା ହିଁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି’

ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ସ୍ମୃତିସଭା, ଜାତୀୟ ଯୁବ ପ୍ରକଳ୍ପ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: କର୍ଣ୍ଣାଟକରେ ଜନ୍ମ। ଦିଲ୍ଲୀରେ ଗାନ୍ଧୀ ପିସ୍‌ ଫାଉଣ୍ଡେସନର ଜଣେ ସକ୍ରିୟ କର୍ମକର୍ତ୍ତା। ହାଫ୍‌ ପ୍ୟାଣ୍ଟ ପିନ୍ଧି ସାରା ପୃଥିବୀ ବୁଲୁଥିଲେ। ସେଇ ବେଶରେ ପଦ୍ମ ପୁରସ୍କାର ମଧ୍ୟ ଗ୍ରହଣ କରିଥିଲେ। ୧୮ଟି ଭାଷା ଜାଣିଥିଲେ। ଓଡ଼ିଶାରେ ଓଡ଼ିଆ‌, ଆନ୍ଧ୍ରରେ ତେଲୁଗୁରେ ଭାଷଣ ଦେଉଥିଲେ। ନିଜେ ଲେଖିଥିବା ଗୀତ ଗାଇ ଲକ୍ଷ ଲକ୍ଷ ଯୁବକଙ୍କୁ ସଦ୍‌ଭାବନାର ବାଟ ଦେଖାଉଥିଲେ। ଏଭଳି ଜଣେ ଗାନ୍ଧୀବାଦୀ ନେତା ଏସ୍‌.ଏନ୍‌. ସୁବ୍ବାରାଓଙ୍କର ଆଜି ସକାଳେ ମୃତ୍ୟୁ ହେବା ପରେ କେବଳ ଯୁବକ ନୁହନ୍ତି, ବରଂ ବିଭିନ୍ନ ବର୍ଗ ହତବାକ୍‌ ହୋଇଯାଇଛନ୍ତି।

ତାଙ୍କ ସହ ଦୀର୍ଘ ୪୦ ବର୍ଷ ଧରି କାମ କରିଥିବା ଭଗବାନ ପ୍ରକାଶ କହିଛନ୍ତି, ଯଦିଓ ମୃତ୍ୟୁ ବେଳକୁ ବୟସ ତାଙ୍କର ୯୦ରୁ ବେଶୀ ହୋଇଥିଲା ତଥାପି ସେ ସକ୍ରିୟ ଥିଲେ। ଅନେକ ଯୁବକ ତାଙ୍କୁ ଦ୍ବିତୀୟ ଗାନ୍ଧୀ ଭାବରେ ଗ୍ରହଣ କରିଥିଲେ। ‘ଜାତ୍‌ପାତ୍‌ ତୋଡ଼ୋ, ଭାରତ ଯୋଡ଼ୋ’ ଆହ୍ବାନରେ ସେ ଯୁବବର୍ଗଙ୍କୁ ଯୋଡ଼ୁଥିଲେ। ସେ ଓଡ଼ିଶାକୁ ଖୁବ୍‌ ଭଲ ପାଉଥିଲେ। ଓଡ଼ିଶାର ଯୁବକମାନଙ୍କ ମଧ୍ୟରେ ସେ ସବୁବେଳେ ନୂଆ ଉନ୍ମାଦନା ଓ ଆଗ୍ରହ ଦେଖୁଥିଲେ। ନିୟମିତ ଓଡ଼ିଶା ଆସୁଥିଲେ। ତାଙ୍କ କଥାରେ ଏଭଳି ଆକର୍ଷଣ ଥିଲା ଯେ, ଯେ କେହି ଦେଶମାତୃକାକୁ ଭଲ ପାଇବା ପାଇଁ ଆଗଭର ହେବ। ଓଡ଼ିଶାରେ ଯେଉଁ ହଜାର ହଜାର ଆଦର୍ଶ ଯୁବଗୋଷ୍ଠୀ ସେ ତିଆରି କରିଛନ୍ତି ସେମାନେ ହିଁ ଆମର ସମ୍ପଦ। ସେ ଯେଉଁ ବିଚାରଧାରା ଛାଡ଼ି ଯାଇଛନ୍ତି ତାକୁ ହିଁ ଆଗକୁ ନେବା ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ହେବ।

ସେ ପ୍ରତିଷ୍ଠା କରିଥିବା ଜାତୀୟ ଯୁବ ପ୍ରକଳ୍ପ(ଏନ୍‌ୟୁପି)ର ଓଡ଼ିଶା ମୁଖ୍ୟ ମଧୁସୂଦନ ଦାସ କହିଛନ୍ତି, ଓଡ଼ିଶା ପ୍ରତି ତାଙ୍କର ଭଲପାଇବା ଥିଲା। ସ୍ପଷ୍ଟ ଓଡ଼ିଆରେ ତାଙ୍କର ଭାଷଣ ପ୍ରତ୍ୟେକଙ୍କୁ ଆକର୍ଷିତ କରୁଥିଲା। କନ୍ଧମାଳ ଓ ଭଦ୍ରକ ଦଙ୍ଗା ସମୟରେ ହଜାର ହଜାର ଶାନ୍ତିସେନା ଆଣି ସଦ୍‌ଭାବ ପ୍ରତିଷ୍ଠା କରିଥିଲେ। ବାବ୍ରି ମସ୍‌ଜିଦ୍‌ ଭଙ୍ଗା ସମୟରେ ତାଙ୍କର ଐତିହାସିକ ରେଳ ଯାତ୍ରା ଓଡ଼ିଶା ସବୁଦିନ ପାଇଁ ମନେ ରଖିବ। ଗାନ୍ଧୀ ବିଚାର ଧାରାକୁ ଆଗକୁ ନେବା ପାଇଁ ୧୯୮୫ ମସିହାରେ କଟକ ବାରବାଟୀ ଷ୍ଟାଡିୟମରେ ୫୭୬ ଯୁବକଙ୍କୁ ନେଇ ଯୁବ ଶିବିର ହେଉ ବା ସୁଭାଷ ବୋଷ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଯୁବବର୍ଗଙ୍କୁ ପ୍ରେରଣା ଦେବା ହେଉ, ବିଜେଇଏମ୍‌ ସ୍କୁଲ୍‌ରେ ଅନ୍ତର୍ଜାତୀୟ ଶିଶୁ ମହୋତ୍ସବ ହେଉ, ପ୍ରତ୍ୟେକ କାର୍ଯ୍ୟକ୍ରମରେ ତାଙ୍କ ଦର୍ଶନ କେବଳ ଯୁବବର୍ଗ କିମ୍ବା ଶିଶୁ ନୁହନ୍ତି ବରଂ ପ୍ରତ୍ୟେକ ବର୍ଗଙ୍କୁ ପ୍ରଭାବିତ କରିଛି। ଶାନ୍ତି ପାଇଁ ପଦଯାତ୍ରା, କ୍ଷୁଧାମୁକ୍ତ, ବେକାରୀମୁକ୍ତ, ହିଂସାମୁକ୍ତ ଓଡ଼ିଶା ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ।

ଭୁବନେଶ୍ବର: ପଦ୍ମଶ୍ରୀ ଡ. ଏସ୍ ଏନ୍ ସୁବ୍ବାରାଓଙ୍କୁ ସମସ୍ତେ ପ୍ରିୟ ଭାଇଜୀ ନାଁରେ ଜାଣିଛନ୍ତି। ସେ କେବଳ ଗାନ୍ଧୀବାଦୀ ନଥିଲେ, ସେ ଯୁବବର୍ଗମାନଙ୍କ ପାଇଁ ପ୍ରେରଣାର ଉତ୍ସ ଓ ଜଣେ ଶାନ୍ତି ସାଧକ ଭାବେ ଯୁବଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ପ୍ରେରଣା ଦେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ଠାରେ ଆୟୋଜିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ ତଥା ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ପଦ୍ମଶ୍ରୀ ଡ. ଏସ୍ ଏନ୍ ସୁବ୍ବାରାଓଙ୍କ ସ୍ମୃତିସଭାରେ ଯୋଗଦେଇ ଗାନ୍ଧୀବାଦୀ ଡ. ଭଗବାନ ପ୍ରକାଶ କହିଛନ୍ତି। ସେ ପ୍ରାୟ ୨୦ଟି ଭାଷା ଜାଣିଥିଲେ ଏବଂ ସେ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ‘ଜୟ ଜଗତ’ କହି ଯୁବକମାନଙ୍କୁ ଆକୃଷ୍ଟ କରୁଥିଲେ ବୋଲି ଭଗବାନ ପ୍ରକାଶ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ସିଓ୍ବାଇଏସଡିର ପ୍ରତିଷ୍ଠାତା ତଥା ପୂର୍ବତନ ସୂଚନା କମିସନର ଜଗଦାନନ୍ଦ କହିଲେ, ସ୍ୱାଧୀନତା ପରେ ଚମ୍ବଲ ଘାଟିରେ ଦୌରାତ୍ମ୍ୟ ବଢ଼ାଉଥିବା ଡାକୁମାନଙ୍କୁ ଆତ୍ମସମର୍ପଣ କରାଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ଭାଇଜୀଙ୍କର ଅବଦାନ ରହିଛି। ଆଗାମୀ ଦିନରେ ତାଙ୍କର କାର୍ଯ୍ୟଧାରାକୁ ବଜାୟ ରଖିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ୍ ବୋଲି ଜଗଦାନନ୍ଦ କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସଭାପତିତ୍ବ କରିଥିବା ବେଳେ ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ଶାଖାର ଆବାହାକ ମଧୁସୂଦନ ଦାସ, ମିଳିତ ନିଶା ନିବାରଣ ଅଭିଯାନର ପ୍ରତିଷ୍ଠାତା ପଦ୍ମ ଚରଣ ନାୟକ, ବରିଷ୍ଠ ସ୍ତମ୍ଭକାର ପ୍ରଦଲ୍ଲାଦ ସିଂ, ରୁଚିକା ସମାଜ ମଙ୍ଗଳ ଅନୁଷ୍ଠାନର ପ୍ରତିଷ୍ଠାତା ବେଣୁଧର ସେନାପତି, ଖଦି ବୋର୍ଡର ସଚିବ ଅବଦୁଲ ଅଲିମ ଖାନ୍, ଜାତୀୟ ଯୁବ ପ୍ରକଳ୍ପର ସଦସ୍ୟ ବିକ୍ରମ ମହାନ୍ତି, ମନସ୍ବିନୀ ପରିଡ଼ା, ସୋମ୍ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଚିତ୍ତ ରଞ୍ଜନ ମହାନ୍ତି ସଂଯୋଜନା କରିଥିଲେ।

ଜାତୀୟ ଯୁବ ପ୍ରକଳ୍ପ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ବିଶିଷ୍ଟ ଗାନ୍ଧୀବାଦୀ ଶାନ୍ତି, ସଂହତି ଓ ସଦ୍‌ଭାବନା ଆନ୍ଦୋଳନର ଅଗ୍ରଦୂତ ତଥା ‘ଜୟ ଜଗତ’ର ପ୍ରବକ୍ତା ଡ. ଏସ୍‌.ଏନ୍‌. ସୁବ୍ବାରାଓ ‘ଭାଇଜୀ’ଙ୍କର ବିୟୋଗରେ ଜାତୀୟ ଯୁବ ପ୍ରକଳ୍ପ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କ ବିୟୋଗ ଭାରତ ବର୍ଷର ଯୁବ ସମାଜ ପାଇଁ ଏକ ଦାରୁଣ ଧକ୍କା ବୋଲି ସଭ୍ୟମାନେ ମତବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ବାର ଦିନ ଧରି ଏନ୍‌ୱାଇପି କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସର୍ବଧର୍ମ ପ୍ରାର୍ଥନା ସଭା ହେବ ବୋଲି ସଭାରେ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶା ମୁଖ୍ୟ ମଧୁ ଭାଇ, ସୋମ୍‌, ଦେବୀ ପ୍ରସାଦ ପୃଷ୍ଟି, ରବି ବେହେରା, ସୋନୁ, ସୂର୍ଯ୍ୟ ରଥ, ଭାଗ୍ୟଶ୍ରୀ ରାଉତ, ମନୋରଂଜନ ନାୟକ, ଇମ୍ରାନ୍ ଅଲ୍ଲୀ, ସତ୍ୟ ପ୍ରଧାନ, ହର ମହାନ୍ତି, ସିମରନ ଦାସ, ନିରଞ୍ଜନ ପଟ୍ଟନାୟକ, ପ୍ରଭାତ, ରଘୁନାଥ ମଣ୍ଡଳ, ଲକ୍ଷ୍ମୀ ପାଇକରାୟ, ଆସିଫ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର