ଭୁବନେଶ୍ବର: ରାଜ୍ୟରେ ଏବେ କୋଭିଡ୍ ସ୍ଥିତିରେ ସୁଧାର ଆସିଛି। ପୂର୍ବଭଳି ସମସ୍ତ କାର୍ଯ୍ୟ ପୁନର୍ବାର ଆରମ୍ଭ ହେଲାଣି। ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍ଡିଏ) ପକ୍ଷରୁ ସମସ୍ତ ପିଆଇଏମାନଙ୍କୁ ନେଇ ୱାଲ୍ର୍ଡ ସ୍କିଲ ସେଣ୍ଟରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଅଧ୍ୟକ୍ଷତା କରିଥିଲେ। ଯୁବଗୋଷ୍ଠୀ ବିଶେଷକରି ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ଉପରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଗୁରୁତ୍ବ ଦେଇ ଆସୁଛି। ପିଆଇଏମାନଙ୍କ ତୃଣମୂଳସ୍ତରରେ ଠିକ୍ ଭାବେ ତାଲିମ ପରିଚାଳନା, ନୂତନ ପିଆଇଏମାନଙ୍କୁ ଓଏସ୍ଡିଏ ଅଧୀନରେ ସାମିଲ କରିବା ଓ ଦକ୍ଷତା ବିକାଶ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ସହିତ ଓଏସ୍ଡିଏକୁ ଦିଗଦର୍ଶନ କରିବା ଲାଗି ପିଆଇଏମାନେ ମତାମତ ପ୍ରଦାନ କରିବା ଜରୁରୀ। ଡିଡିୟୁଜିକେୱାଇ ଯୋଜନାକୁ କାର୍ଯ୍ୟକାରୀ କରାଇବାରେ ରାଜ୍ୟ କ୍ରମାଗତ ଭାବେ ଦେଶରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ୨୦ ପ୍ରତିଶତ ତାଲିମ ଦୀର୍ଘ ଅବଧି ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ହେଉଥିବା ବେଳେ ସ୍ବଳ୍ପ ଅବଧି କ୍ଷେତ୍ରରେ ୮୦ ପ୍ରତିଶତ ତାଲିମ ପିଆଇଏମାନଙ୍କ ସହାୟତାରେ ହାସଲ ହୋଇଥାଏ। ଦକ୍ଷତା ତାଲିମ ଦେଉଥିବା ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ଏ ଦିଗରେ ତତ୍ପରତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି।
ଦକ୍ଷତା ବିକାଶ ଓ ବୈଷୟକି ଶିକ୍ଷା ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ, ଡବ୍ଲୁଏସ୍ସି ହେଉଛି ସ୍କିଲ୍ର ଗନ୍ତାଘର ଓ ଏହା ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି। ପିଆଇଏମାନେ ଏହାକୁ ଉପଯୋଗ କରି ତାଲିମ ପ୍ରଦାନ କରିବେ। ରାଜ୍ୟ ସରକାର ୧୫ଲକ୍ଷ ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ହାସଲ କରିବା ଦିଗରେ ପିଆଇଏମାନଙ୍କୁ ତାଲିମ ସଂଖ୍ୟା ବୃଦ୍ଧି କରିବାକୁ ହେବ। ଓଏସ୍ଡିଏ ସିଇଓ ରେଘୁ ଜି କହିଲେ, ଦକ୍ଷତା ବିକାଶ କେନ୍ଦ୍ରର ରୂପରେଖ ପରିବର୍ତନ କରାଯିବ। ଅଧିକ ସଂଖ୍ୟାରେ ଯୁବକ/ଯୁବତୀଙ୍କୁ ତାଲିମ ପ୍ରଦାନ ପାଇଁ ଏସ୍ଡିସିରେ ଖଣିଜ ପାଣ୍ଠି ଥିବା ଅଞ୍ଚଳମାନଙ୍କରେ ମହିଳା ଓ ପୁରୁଷମାନଙ୍କ ପାଇଁ ସ୍ବତନ୍ତ୍ର ଛାତ୍ର/ଛାତ୍ରୀ ନିବାସ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏହି ସମୀକ୍ଷା ବୈଠକରେ ୩୮ଟି ତାଲିମ ସହଯୋଗ ଓ ପିଆଇଏ ସସଦସ୍ୟମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/unemployed-_6253318_835x547-m.jpg)