ଭୁବନେଶ୍ୱର: ପ୍ରେମ, ଆନନ୍ଦ, ସମ୍ବେଦନଶୀଳତା ଆଦି ସତ୍ୟର ସଂଜ୍ଞା ନିରୂପଣ କରିବା କଷ୍ଟକର। ଯାହାର କିଛି ପାଇବାର ଇଚ୍ଛା ନଥାଏ କି ହରାଇବାର ଭୟ ନଥାଏ ସେ ହିଁ ସତ୍ୟକୁ ଅନୁଭବ କରିପାରେ ଏବଂ ନିର୍ଭୀକ ଭାବରେ ସତ୍ୟ ଲେଖିପାରେ। ଆଜି ଜୟଦେବ ଭବନରେ ଅନୁଷ୍ଠିତ ‘ଓଡ଼ିଶା ଏକ୍ସପ୍ରେସ୍‌’ର ୩୦ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।
ରାଜ୍ୟପାଳ ପ୍ରଫେସର ଲାଲ୍‌ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ଓଡ଼ିଶା ଏକ୍ସପ୍ରେସର କାର୍ଯ୍ୟନିର୍ବାହୀ ସଂପାଦକ ଅମ୍ବିକା ପ୍ରସାଦ ଦାସଙ୍କ ‘ସତ କହିବାକୁ କିଆଁ ଡରିବି’ର ତୃତୀୟ ସଂସ୍କରଣ ପୁସ୍ତକ ‘ଟିକ୍‌ ଟିକ୍‌ ଠିକ୍‌ ଠିକ୍‌’କୁ ପାଠକାର୍ପିତ କରିଛନ୍ତି।

Advertisment

‘ଓଡ଼ିଶା ଏକ୍ସପ୍ରେସ୍‌’ର ୩୦ତମ ବାର୍ଷିକ ଉତ୍ସବ
ଅମ୍ବିକା ପ୍ରସାଦ ଦାସଙ୍କ ‘ଟିକ୍‌ ଟିକ୍‌ ଠିକ୍‌ ଠିକ୍‌’ ପାଠକାର୍ପିତ

ଶ୍ରୀ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବାଦିକ ପ୍ରବୋଧ ମିଶ୍ର ସତ୍ୟ, ତଥ୍ୟ, ଜ୍ଞାନ, ନିଷ୍ଠାପରତା, ସାଧୁତା, ମର୍ଯ୍ୟାଦାବୋଧ ଓ ଚରିତ୍ରବୋଧ ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ନୀଳାଦ୍ରି ମୋହନ ଶତପଥୀ ସାଂପ୍ରତିକ ସମାଜରେ ସତ୍ୟ ଓ ନିପେକ୍ଷତାର ଯେଉଁ ଆବଶ୍ୟକତା ରହିଛି ତାହା ପୂରଣ କରିବାକୁ ‘ଓଡ଼ିଶା ଏକ୍ସପ୍ରେସ୍‌’ର ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି କହିଥିଲେ।

ଏହି ଅବସରରେ କରୋନା ଯୋଦ୍ଧା ଭାବେ ସଫେଇ କର୍ମଚାରୀ ଶୈଳ ଦେଈ, ସମାଜସେବୀ ବବିତା ମହାନ୍ତି, ସଫଳ ଉଦ୍ୟୋଗୀ କଳିଙ୍ଗ କେଶରୀ ରଥ, ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ପାଇଁ ଡା. ଚନ୍ଦ୍ରିକା ପ୍ରସାଦ ଦାସ ଓ ଡା. କୃତ୍ତିବାସ ପରିଡ଼ା, କଳା-ସାହିତ୍ୟ-ସଂସ୍କୃତି ଓ ସାମ୍ବାଦିକତା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ‘ଓଡ଼ିଶା ଏକ୍ସପ୍ରେସ୍‌’ର ସଂପାଦକ ଉମାପଦ ବୋଷ, ପ୍ରଶାସକ ହିମାଂଶୁ ନାରାୟଣ ପଟ୍ଟନାୟକ, କବୟିତ୍ରୀ ବିଜୟାଲକ୍ଷ୍ମୀ ପରିଡ଼ା ଓ ‘ଓଡ଼ିଶା ଏକ୍ସପ୍ରେସ୍‌’ର ଆଜୀବନ ପାଠକ ଶିଶିର ମହାପାତ୍ରଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ପରିଚାଳନା ନିର୍ଦ୍ଦେଶିକା ଶୁଚିସ୍ମିତା ଦାସ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ‘ଓଡ଼ିଶା ଏକ୍ସପ୍ରେସ୍‌’ର ସମ୍ପାଦକ ଶ୍ରୀ ବୋଷ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବନଶ୍ରୀ ମହାନ୍ତି।