ଭୁବନେଶ୍ବର: ଆମ ସାମାଜିକ ଜୀବନରେ ବିଜ୍ଞାନର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ସାମାଜିକ ଜୀବନକୁ ଅଧିକ ପ୍ରଭାବୀ କରିବା ପାଇଁ ବୈଜ୍ଞାନିକମାନେ ଚିନ୍ତା କରିବା ଦରକାର। ବିଜ୍ଞାନ ଆମକୁ ଅଦ୍ଭୂତ ଶକ୍ତି ଦେଇଥିବାରୁ ମଣିଷ ତା’ର ସାମାଜିକ ଜୀବନକୁ ସୁନ୍ଦର କରିପାରିଛି। ତେଣୁ ବିଜ୍ଞାନ ଈଶ୍ବରଙ୍କ ଅବଦାନ। ତେବେ ମଣିଷ ଓ ପରିବେଶ ମଧ୍ୟରେ ସନ୍ତୁଳନ ନିହାତି ଦରକାର।
ମଣିଷ ନିଜ କଥା ଯେମିତି ଭାବିପାରେ, ସେମିତି ପରିବେଶ କଥା ଚିନ୍ତା କରିବା ଜରୁରୀ। ଏଥିରେ ବୈଜ୍ଞାନିକମାନଙ୍କ ବଡ଼ ଦାୟିତ୍ବ ରହିଛି। କ’ଣ କଲେ ପରିବେଶ ଓ ମଣିଷ ଭିତରେ ସୁସନ୍ତୁଳନ ରହିପାରିବ, ସେଥିପାଇଁ ବୈଜ୍ଞାନିକମାନେ ଚିନ୍ତା କରିବା ଉଚିତ। ଆଜି ତନୁଜା ବିଶ୍ବାଳ ଓ ଏନ୍ସି ବିଶ୍ବାଳଙ୍କ ‘ପିଟୁଇଟାରି ଗ୍ଲାଣ୍ଡ୍ ଅଫ୍ ଇଣ୍ଡିଆନ୍ ମେଜର କାର୍ପ ଆଣ୍ଡ୍ ଏକ୍ସୋଟିକ୍ କାର୍ପ୍ସ’ ଏବଂ ଏନ୍ସି ବିଶ୍ବାଳ ଓ ସ୍ବର୍ଗତ ଡିଆର୍ ନାଏକଙ୍କ ‘ପିଟୁଇଟାରି ଗ୍ଲାଣ୍ଡ୍ ଅଫ୍ ଫ୍ରେସ୍ ୱାଟର୍ ଫିସେସ୍’ ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏପରି ମତ ରଖିଛନ୍ତି।
ସେ ଆହୁରି ମଧ୍ୟ କହିଲେ ଯେ ଉକ୍ତ ପୁସ୍ତକଦ୍ବୟ ମତ୍ସ୍ୟଚାଷ ପାଇଁ ବେଶ୍ ଉପଯୋଗୀ। ମାଛ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏହା ବହୁ ସାହାଯ୍ୟ କରିବ। ଗବେଷକମାନେ ଏହା ମଧ୍ୟ ଚିନ୍ତା କରିବା ଦରକାର ଯେ ମାଛ ବଂଶ ବୃଦ୍ଧି ପରିବେଶ ପାଇଁ ଉପଯୋଗୀ। ସମ୍ମାନିତ ଅତିଥି ଭାବେ ବିର୍ଲା ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପି ପି ମାଥୁର୍ କହିଲେ ଯେ ଯେଉଁ ସ୍ତରରେ ପିଟୁଇଟାରି ଗ୍ଲାଣ୍ଡ୍ରୁ ହରମୋନ୍ ବାହାରୁଛି, ତା ପ୍ରଭାବରେ ମାଛମାନେ ପ୍ରଜନନ କରୁଛନ୍ତି।
ଏହି ପୁସ୍ତକରେ ଏହି ସବୁ ବିଷୟରେ ସବୁ ଭଲ ଭାବେ ବୁଝାଯାଇଛି। ପିଟୁଇଟାରି ଗ୍ଲାଣ୍ତରେ ଥିବା ୬ପ୍ରକାର ସେଲ୍ରୁ ୬ ପ୍ରକାରର ହରମୋନ୍ ବାହାରିଥାଏ। ହରମୋନ୍ ମାନେ କ’ଣ କାମ କରନ୍ତି ଓ ପ୍ରଭାବରେ ମାଛ କିଭଳି ପ୍ରଜନନ କରିବାରେ କ୍ଷମତା ପାଏ ଏବଂ କେତେ ଅଧିକ ପରିମାଣରେ ଅଣ୍ଡା ଦେଇପାରନ୍ତି, ତା’ ଉପରେ ଗବେଷଣା କରାଯାଇଛି ବୋଲି ଶ୍ରୀ ମାଥୁର୍ କହିଛନ୍ତି।
ଅନ୍ୟତମ ଅତିଥି ଭାବେ ବିଶ୍ବ ଇକୋଲୋଜିକାଲ୍ ସୋସାଇଟିର ସଦସ୍ୟ ଡ. ଅଜିତ ପଟ୍ଟନାୟକ, ସିଫାର ମୁଖ୍ୟ ବୈଜ୍ଞାନିକ ଡ. କାନ୍ତା ଦାସମହାପାତ୍ର, ତନୁଜା ବିଶ୍ବାଳ, ନାରାୟଣ ଚନ୍ଦ୍ର ବିଶ୍ବାଳ ଓ ପ୍ରଫେସର ଆଦିତ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ସ୍ବାସ୍ଥ୍ୟ ସେବାର ବରିଷ୍ଠ ପରାମର୍ଶଦାତା ଡ. ଦେବକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ଡିନ୍ ଯଶସ୍ବୀ ନାୟକ, ପାର୍ବତୀ ଚରଣ ପତି, ଡ. ଅଶୋକ ସାହୁ, ରେଖା ଦାସ, ଚିନ୍ମୟୀ ମହାନ୍ତି, ଜୟକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଡା. ଐଶ୍ବର୍ଯ୍ୟା ବିଶ୍ବାଳ ଧନ୍ୟବାଦ ଦେଇଥିଲେ।