ସାଇବର ସୁନ୍ଦରୀ ଜାଲ‌ରେ ଆଇଟି ପ୍ରଫେସନାଲ୍‌: ବାହା ହେବା ବାହାନାରେ ସାଢ଼େ ୨୪ ଲକ୍ଷର ଚୁନ

ଭୁବନେଶ୍ବର: ଶେଷରେ ଆଇଟି ପ୍ରଫେସନାଲ୍‌ ବି ବର୍ତ୍ତିଲେନି ସାଇବର ଠକଙ୍କ ଫାଶରୁ। ବାହା ହେବାର ମୋହ ଦେଖାଇ ଛଦ୍ମବେଶୀ ସାଇବର ସୁନ୍ଦରୀ ଏମିତି ବାଉଳା କଲା ଯେ ଆଇଟି ପ୍ରଫେସନାଲ୍‌ ଅନ୍‌ଲାଇନ୍‌ରେ ଗଣିଦେଲେ ସାଢ଼େ ୨୪ ଲକ୍ଷ ଟଙ୍କା। ଟିକିଏ ବି ଚିନ୍ତା କଲେନି ଯେ କାଲିଫର୍ଣ୍ଣିଆରୁ ଡାକ୍ତରୀ ପଢ଼ା ସାରି ଭାରତ ଫେରୁଥିବା ଜଣେ ମେଡିକାଲ ଛାତ୍ରୀ ୭୦ ହଜାର ଡଲାର ପାଇଲେ କେଉଁଠୁ! ଦିଲ୍ଲୀ ବିମାନ ବନ୍ଦରରେ ଜିଏସ୍‌ଟି ଓ ସୀମା ଶୁଳ୍କ ବିଭାଗ ୭୦ ହଜାର ଡଲାର ଏକ୍ସଚେଞ୍ଜ କରିବାକୁ ତାଙ୍କୁ ଅଟକ ରଖିଛି ଓ ଏହି ବିଦେଶୀ ମୁଦ୍ରା ବିନିମୟ ପାଇଁ ଟଙ୍କା ଦରକାର ବୋଲି ଛାତ୍ରୀ ଫୋନ୍‌ କରି କହିବା ପରେ ଆଇଟି ପ୍ରଫେସନାଲ୍‌ ତାଙ୍କୁ ବିଶ୍ବାସ କରି ସାଢ଼େ ୨୪ ଲକ୍ଷ ଟଙ୍କା ଅନ୍‌ଲାଇନ୍‌ରେ ପଠାଇଦେଲେ। ଏମିତି ଏକ ମାମଲା ଆସିଛି ଭୁବନେଶ୍ବର ସାଇବର ଥାନାକୁ। ପୁଲିସ ମାମଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ଓ ଉକ୍ତ ସାଢ଼େ ୨୪ ଟଙ୍କା ଦିଲ୍ଲୀସ୍ଥିତ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି। ତେବେ ଆଇଟି ପ୍ରଫେସନାଲ୍‌ଙ୍କୁ ଚୁନ ଲଗାଇଥିବା ସାଇବର ଠକକୁ ଠାବ କରିବା ସମ୍ଭବ ହୋଇନାହିଁ।

ଘଟଣାଟି ଥିଲା ଏମିତି। ଜଟଣୀ ଅଞ୍ଚଳର ଏହି ଅଭିଯୋଗକାରୀ ତଥା ଆଇଟି ପ୍ରଫେସନାଲ୍‌ ନିଜ ପାଇଁ ମାଟ୍ରିମୋନି ସାଇଟ୍‌ରେ ଜଣେ ଉପଯୁକ୍ତ ପାତ୍ରୀ ଖୋଜୁଥିଲେ। ଖୋଜୁ ଖୋଜୁ କାଲିଫର୍ଣ୍ଣିଆରେ ଡାକ୍ତରୀ ପଢ଼ୁଥିବା ବାଲେଶ୍ବରର ଝିଅ ପ୍ରିୟା ଗୁପ୍ତା ମିଳିଗଲେ। ଯୋଗାଯୋଗ ଭିତରେ ପ୍ରିୟା କହିଲେ ଯେ ଚଳିତ ବର୍ଷ ତାଙ୍କ ପଢ଼ା ସରିବ ଓ ସେ ଭୁବନେଶ୍ବର ଫେରି ସେଠାରେ ନିଜର ଏକ ହସ୍ପିଟାଲ ଖୋଲିବେ। ଏମିତି ଧୀରେଧୀରେ ସେମାନଙ୍କ ଭିତରେ କଥାବାର୍ତ୍ତା ଆଗେଇ ଚାଲିଲା ଓ ଦୁଇ ପକ୍ଷର ଘର ଲୋକଙ୍କ ଭିତରେ ବି ଯୋଗାଯୋଗ ହେଲା। ମାତ୍ର ସାଇବର ସୁନ୍ଦରୀ ପ୍ରିୟା ରୢାକେଟ୍‌ର ଅନ୍ୟମାନେ ଯେ ତାଙ୍କ ବାପାମା ସାଜି କଥା ହେଉଥିଲେ ବୋଲି ଆଇଟି ପ୍ରଫେସନାଲ୍‌ଙ୍କ ମଗଜରେ ଜୁଟିଲା ନାହିଁ। ଏହିଭଳି ଦୀର୍ଘ ସାଢ଼େ ୪ମାସର ଭିଡିଓ କଲ୍, ଫୋନ୍ କଲ୍‌ରେ ସେମାନେ ପୂରା ଘନିଷ୍ଠ ହୋଇଯାଇଥିଲେ। ମେ ୧୬ ତାରିଖରେ ସେ କାଲିଫର୍ଣ୍ଣିଆରୁ ଫେରୁଛନ୍ତି ବୋଲି ପ୍ରିୟା ଫୋନ୍‌ କରି ଭାବି ସ୍ବାମୀଙ୍କୁ ଜଣାଇଥିଲେ। ତେଣୁ ଭୁବନେଶ୍ବରରେ ତାଙ୍କୁ ସ୍ବାଗତ କରିବାକୁ ଭାବି ସ୍ବାମୀ ପ୍ରସ୍ତୁତ ହୋଇରହିଲେ। ତେବେ ମେ ୧୬ରେ ପୁଣି ଆଇଟି ପ୍ରଫେସନାଲ୍‌ଙ୍କୁ ଫୋନ୍‌ କଲେ ପ୍ରିୟା। ସେ ଇଣ୍ଡିଗୋ ଫ୍ଲାଇଟ୍‌ରେ ଦିଲ୍ଲୀରେ ପହଞ୍ଚିଛନ୍ତି ଓ ତାଙ୍କ ପାଖରେ ଥିବା ୭୦ ହଜାର ଡଲାରକୁ ଦିଲ୍ଲୀ ଜିଏସ୍‌ଟି ଓ ସୀମା ଶୁଳ୍କ ବିଭାଗ ଜବତ କରିଛି। ଏହି ବିଦେଶୀ ମୁଦ୍ରା ଏକ୍ସଚେଞ୍ଜ୍ କରିବାକୁ ମାସେରୁ ଅଧିକ ସମୟ ଲାଗିବ ଏବଂ ଏଥିପାଇଁ କିଛି ଟଙ୍କା ଦରକାର ପଡ଼ୁଥିବାରୁ ପ୍ରିୟା ତାଙ୍କୁ ପଠାଇବାକୁ କହିଥିଲେ। ତେଣୁ ମେ ୧୬ରୁ ଜୁଲାଇ ୫ ତାରିଖ ମଧ୍ୟରେ ଆଇଟି ପ୍ରଫେସନାଲ୍‌ ୨୦ଟି ଟ୍ରାଞ୍ଜାକ୍‌ସନ୍‌ରେ ୨୪ଲକ୍ଷ ୫୦ହଜାର ଟଙ୍କା ପଠାଇଥିଲେ। ମାତ୍ର ଜୁଲାଇ ୬ତାରିଖ ପରଠୁ ପ୍ରିୟାଙ୍କ ଫୋନ୍ ସୁଇଚ୍‌ ଅଫ୍ ହୋଇଯାଇଥିଲା। ବହୁ ଚେଷ୍ଟା କରିବା ପରେ ବି ପ୍ରିୟାଙ୍କୁ ପାଇବା ସମ୍ଭବ ହେଲା ନାହିଁ। ଏତେବେଳେ ଯାଇ ଆଇଟି ପ୍ରଫେସନାଲ୍‌ଙ୍କ ଜ୍ଞାନ ଉଦୟ ହେଲା। ବିକଳରେ ସାଇବର ଥାନାର ଦ୍ବାରସ୍ଥ ହେଲେ।

ସମ୍ବନ୍ଧିତ ଖବର