ପୁଣି ଦାଉ ସାଧିଲା ଅଦିନିଆ ବର୍ଷା: ବାତ୍ୟା ମୁହଁରୁ ବଞ୍ଚିଥିବା ଧାନ ଖଳାରେ ଖତ

ବାଲିପାଟଣା: ଚଳିତ ବର୍ଷ ଅଦିନିଆ ବର୍ଷା ଚାଷୀଙ୍କ ପିଛା ଛାଡ଼ୁନି। ବାତ୍ୟା ଜୱାଦ ଗହୀରରେ ବିଲରେ ପ୍ରଚୁର ଧାନ ନଷ୍ଟ କରିଥିଲା। ଚାଷୀଙ୍କ ମନରୁ ଏହି ଦୁଃଖ ନଲିଭୁଣୁ ପୁଣି ଅଦିନିଆ ବର୍ଷା ଦାଉ ସାଧିଲାଣି। ଦୁଇ ଦିନ ହେଲା ଲାଗି ରହିଥିବା ବର୍ଷା ଚାଷୀଙ୍କୁ ପୁଣି କଲବଲ କଲାଣି। ବିଲରୁ ବଞ୍ଚିଥିବା କିଛି ଧାନ ଏବେ ଖଳାରେ ନଷ୍ଟ ହେଉଛି। ଧାନ ସାଇତିବାକୁ ଯାଇ ଦୁଇ ଦିନ ହେଲା ଚାଷୀ ଆଖିକୁ ନିଦ ନାହିଁ।

ସୂଚନାନୁସାରେ ବାଲିପାଟଣା ବ୍ଲକ୍‌ରେ ସାଢେ ୯ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। ଚଳିତ ବର୍ଷ ବେଶ୍ ଭଲ ଫଳ ହୋଇଥିଲା। ମାତ୍ର ବାତ୍ୟା ଜୱାଦ୍ ସବୁ ଓଲଟପାଲଟ କରିଦେଲା। ଠିକ୍ ଅମଳ ହେବା ସମୟରେ ଜୱାଦ ଜନିତ ବର୍ଷାରେ ବିଲରେ ପାଣି ହୋଇଗଲା। ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ ହେଲା। ପଙ୍କ କାଦୁଅରେ ଧାନ ବୁଡ଼ି ରହିଲା, ଗଛରେ ଗଜା ହୋଇଗଲା। କଲବଲ ଅବସ୍ଥାରେ ବଡ଼ କଷ୍ଟରେ ଚାଷୀମାନେ ବିଲରୁ କିଛି କିଛି ଧାନ ସଂଗ୍ରହ କଲେ। ଏବେ ବି ଗହୀରରେ ବହୁ ଚାଷୀଙ୍କ ଧାନ ରହିଛି। ବିଲ ସବୁ ଭଲରେ ଶୁଖିନଥିବାରୁ ବାଟ ନପାଇ ଚାଷୀମାନେ ଧାନ କାଟି ବିଲରେ ଗଦା କରି ରଖିଛନ୍ତି। କିଛି ଚାଷୀ ବିଲରୁ ଆଣି ଖଳାରେ ଗଦା କରିଛନ୍ତି। ଏମିତି ସ୍ଥିତିରେ ଗତକାଲିଠାରୁ ଲାଗି ରହିଛି ବର୍ଷା। ତେଣୁ ଧାନ ଗଦାକୁ ରକ୍ଷା କରିବାକୁ ଚାଷୀମାନେ ବଡ଼ ହଇରାଣ ହେଉଛନ୍ତି। ଏତେ ପରିମାଣର ପଲିଥିନ ନଥିବାରୁ ବହୁ ଧାନ ଗଦା ବର୍ଷାରେ ପୂରା ଭିଜିଗଲାଣି। ଫଳରେ ଗଦାରେ ଧାନ ଗଜା ହେବା ଆଶଙ୍କା ଦେଖାଯାଇଛି। ସେହିଭଳି ଏବେ ବି ବିଲରେ ଗଦା ହୋଇଥିବା ଧାନ ଅବସ୍ଥା ଆହୁରି ସାଂଘାତିକ। ବହୁ ଚାଷୀ ଗଦା ନକରି ବାହିଆ କରି ରଖିଛନ୍ତି। ଫଳରେ ବାହିଆ ଧାନ ଦୁଇ ଦିନ ହେଲା ବର୍ଷାରେ ଭିଜୁଛି। ସେସବୁ ଧାନ ଗଜା ହୋଇଯିବା‌ ନିଶ୍ଚିତ। ତେଣୁ ବାତ୍ୟା ଜୱାଦ ମୁହଁରୁ ଯେତିକି ବଞ୍ଚିଥିଲା, ଏବେ ଏହି ଅକାଳ ବର୍ଷା ସେତକ ନେଇଯିବ ବୋଲି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସମ୍ବନ୍ଧିତ ଖବର