ଭୁବନେଶ୍ବର: ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ କଟକଣା କଡ଼ାକଡ଼ି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କମିସନରେଟ୍ ପୁଲିସ ଓ ବିଏମ୍ସି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି ବିଭିନ୍ନ ଗହଳି ସ୍ଥାନରେ ଚଢ଼ଉ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିଗତ ଦିନମାନଙ୍କରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯାଇଥିବା ବେଳେ ଆଜି ବିଏମ୍ସି ବିଭିନ୍ନ ପର୍ଯ୍ୟଟନସ୍ଥଳ, ଅବସର ବିନୋଦନ ସ୍ଥଳରେ ଚଢ଼ଉ କରିଛି। ୬ଟି ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଦଳ ରାଜଧାନୀର ୬୦ରୁ ଊର୍ଦ୍ଧ୍ବ ସ୍ଥାନରେ ଚଢ଼ଉ କରିଛି। ଏହି ସବୁ ସ୍ଥାନଗୁଡ଼ିକରେ ଆଜି କେବଳ ସଚେତନ କରାଯାଇଛି। ଆସନ୍ତାକାଲି ଠାରୁ ଚଢ଼ଉ ହୋଇ ଜରିମାନା ଆଦାୟ କରାଯିବ ବୋଲି ବିଏମ୍ସି ଚେତାବନୀ ଦେଇଛି।
କଟକଣା ଜାରି ହେବା ପରେ ପରେ ବିଏମ୍ସି ବେଶ୍ ତତ୍ପର ହୋଇଥିଲା। କିନ୍ତୁ ଗତ ୩ ଦିନ ହେଲା ବିଏମ୍ସି ଥଣ୍ଡା ପଡ଼ି ଯାଇଥିଲା। ମାର୍କେଟ୍, ହାଟ, ମଲ୍, ପାର୍କ ଓ ବିଭିନ୍ନ ଦର୍ଶନୀୟସ୍ଥଳରେ ପ୍ରବଳ ଭିଡ଼ ହେଉଥିଲା। ଏ ନେଇ ଆଜି ‘ସମ୍ବାଦ’ରେ ଖବର ପକାଶ ପାଇବା ପରେ ବିଏମ୍ସି ପୁଣି ଥରେ ତତ୍ପର ହୋଇଥିଲା। କୋଭିଡ୍ କଟକଣାକୁ ନିଶ୍ଚିତ କରିବାକୁ ଗଠିତ ୬ଟି ଏନ୍ଫୋର୍ସମେଣ୍ଟ ଟିମ୍ ଆଜି ଏକ ସମୟରେ ସଚେତନତା ଅଭିଯାନରେ ବାହାରିଥିଲା। ପ୍ରଥମେ ଭୁବନେଶ୍ବରରେ ଭିଡ଼ ହେଉଥିବା ବିଭିନ୍ନ ପାର୍କରେ ଚଢ଼ଉ ହୋଇଥିଲା।
ବିଶେଷକରି ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଏକାମ୍ର ପାର୍କ, ମଧୁସୂଦନ ପାର୍କ, ବୁଦ୍ଧପାର୍କ ଓ ଖଣ୍ଡଗିରି ଖାରବେଳ ପାର୍କରେ ସକାଳେ ଓ ଅପରାହ୍ନରେ ଚଢ଼ଉ ହୋଇଥିଲା। ପ୍ରତ୍ୟେକ ପାର୍କରେ ଅପରାହ୍ନରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଅନେକଙ୍କ ମୁହଁରେ ମାସ୍କ ନଥିଲା। ସାମାଜିକ ଦୂରତା ମଧ୍ୟ ନଥିଲା। ପଞ୍ଝାପଞ୍ଝା ହୋଇ ବସି ଗପ କରୁଥିବା ଦେଖିବାକୁ ମିଳିଥିଲା। ଏନ୍ଫୋର୍ସମେଣ୍ଟ ଟିମ୍ ସେମାନଙ୍କୁ କଟକଣା ବାବଦରେ ବୁଝାଇବା ସହ ଆସନ୍ତାକାଲି ଠାରୁ କ୍ଷମା ନାହିଁ ବୋଲି ଚେତାବନୀ ଦେଇଥିଲା।
ସେହିଭଳି ଜୟଦେବ ବାଟିକାରେ ମଧ୍ୟ ପ୍ରବଳ ଭିଡ଼ ଥିବା ଏନ୍ଫୋର୍ସମେଣ୍ଟ ଟିମ୍ ନଜରରେ ପଡ଼ିଥିଲା। କେତେକ ଟିମ୍କୁ ଦେଖି ମାସ୍କ ପିନ୍ଧିପକାଇଥିଲେ। କେତେକଙ୍କର ମାସ୍କ ବିଲ୍କୁଲ ନଥିବାରୁ ସେମାନେ ଦଉଡ଼ି ପଳାଇଥିଲେ। ଏଭଳି ସ୍ଥିତିକୁ ନେଇ ବିଏମ୍ସି ଅଧିକାରୀମାନେ ବାଟିକା ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଏ ବାବଦରେ ବୁଝାଇଥିଲେ। ଯେଉଁମାନେ ଆସିବେ ସେମାନେ ଯେଭଳି କୋଭିଡ୍ କଟକଣା ପାଳନ କରିବେ ସେ ନେଇ କର୍ମଚାରୀମାରେ ଧ୍ୟାନ ଦେବେ ବୋଲି ପରାମର୍ଶ ଦେଇଥିଲେ।
ସେହିଭଳି ଖଣ୍ଡଗିରି ଓ ଉଦୟଗିରିରେ ମଧ୍ୟ ଚଢ଼ଉ ହୋଇଥିଲା। ଖଣ୍ଡଗିରି ସିଲ୍ ଥିବା ବେଳେ ଉଦୟଗିରିରେ ପୂର୍ବଭଳି ଭିଡ଼ନଥିଲା। ନିକଟ ଅତୀତରେ ଏଠାରେ ପ୍ରବଳ ଭିଡ଼ ହୋଇଥିବାରୁ ବିଏମ୍ସି ଉଭୟକୁ ପର୍ଯ୍ୟଟନସ୍ଥଳ ସହ ରାଜାରାଣୀ ମନ୍ଦିରକୁ ସିଲ୍ କରିଥିଲା। ଉଦୟଗିରି ଖୋଲିବା ପରେ ପୁଣି ଗହଳି ଆଶଙ୍କା କରି ଆଜି ବିଏମ୍ସି ଚଢ଼ଉ କରିଥିଲା। ଆସନ୍ତାକାଲି ଠାରୁ ଏଭଳି ଚଢ଼ଉ ଜୋରଦାର ହେବ ବୋଲି ବିଏମ୍ସି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/27-8.jpg)