ଭୁବନେଶ୍ୱର: ପ୍ରତିଦିନ ଖବରକାଗଜ ମରୁଥିବା ବେଳେ ଏହାକୁ ବଞ୍ଚାଇ ରଖିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ରହିଛି। ଜନସାଧାରଣଙ୍କ କାହାଣୀ, ସଂଘର୍ଷ, ସମସ୍ୟାକୁ ଲୋକଲୋଚନକୁ ଆଣିପାରିଲେ ହିଁ ଗୋଟେ ଖବରକାଗଜ ଶ୍ରେଷ୍ଠ ହୋଇପାରିବ। ଦୈନିକ ଖବରକାଗଜ ତଥା ଡିଜିଟାଲ ନ୍ୟୁଜ୍ ଚ୍ୟାନେଲ୍ ‘ଆଦ୍ୟାଶା ଲାଇଭ୍’ର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଅତିଥିମାନେ ଏଭଳି କହିଛନ୍ତି।
ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଖବରକାଗଜ ଚତୁର୍ଥ ସ୍ତମ୍ଭ ନହୋଇ ତୃତୀୟ ନୟନ ହେବା ଆବଶ୍ୟକ ବୋଲି କହିଥିଲେ। ସମସ୍ତେ ବିଶ୍ରାମ କଲାବେଳେ ଏହା ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବା ଉଚିତ। ପାଠକଙ୍କ ପ୍ରତ୍ୟେକ ଘଟଣା, ଦୁର୍ଘଟଣା ଏଥିରେ ସ୍ଥାନ ପାଇଲେ ଏହାର ଆଦୃତି ବଢ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଯୋଗ ଦେଇ ଖବରକାଗଜର ଆଞ୍ଚଳିକ ସମସ୍ୟାର ଗୁରୁତ୍ୱ ରହିବା ଆବଶ୍ୟକ ବୋଲି କହିଥିଲେ।
ଅନ୍ୟତମ ଅତିଥି ଭାବେ ସାମ୍ୱାଦିକ ସତ୍ୟପ୍ରକାଶ ନାୟକ ଯୋଗ ଦେଇ ସାମ୍ୱାଦିକର ବିଶ୍ୱସନୀୟତା ରହିଲେ ହିଁ ଖବରକାଗଜ ବଡ଼ ହୁଏ ବୋଲି କହିଥିଲେ। ଏଥିସହିତ କିଛି ଅଞ୍ଚଳକୁ ପୋଷ୍ୟ ଭାବରେ ନେଇ ଏହାର ବିଭିନ୍ନ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବାକୁ ସେ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନ, ଅନୁରାଗ ଗ୍ରୁପ ଅଫ୍ କମ୍ପାନିଜ୍ର ପ୍ରତିଷ୍ଠାତା ସମ୍ପାଦକ ଦିବ୍ୟରଞ୍ଜନ ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କ ସମେତ ସାମ୍ୱାଦିକମାନଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବବ୍ରତ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ପ୍ରିୟବ୍ରତ ଗୁମାନସିଂହ ମଞ୍ଚ ପରିଚାଳନା କରିଥିଲେ।