ଭୁବନେଶ୍ବର: ‘‘ମଞ୍ଚେଶ୍ବର-କାନପୁର ରାସ୍ତାଟି ରାଜଧାନୀ ଉପକଣ୍ଠବାସୀଙ୍କ ପାଇଁ ବେଶ ଜରୁରି। ଏ ରାସ୍ତାର ଆଲୋକୀକରଣର ବିଶେଷ ଆବଶ୍ୟକତା ରହିଛି। ଭୁବନେଶ୍ବର ବାଲିଯାତ୍ରାକୁ ଲୋକଭିମୁଖୀ କରିବା ପାଇଁ ହେଲେ ଆଲୋକୀକରଣ ନିହାତି ଆବଶ୍ୟକ। ଏଥିପାଇଁ ଟେଣ୍ଡର୍ ସରିଛି। ମାସେ ଭିତରେ ଖୁଣ୍ଟ ପୋତା ହୋଇ ଲାଇଟ୍ ଲାଗିଯିବ। ଏହାଦ୍ବାରା ଅଞ୍ଚଳବାସୀ ବି ଉପକୃତ ହେବେ।’’ ଗତଥରର ଭୁବନେଶ୍ବର ବାଲିଯାତ୍ରା ଉଦ୍ଘାଟନୀ ସମାରୋହରେ ମଞ୍ଚ ଉପରେ ଏଭଳି କିଛି ପ୍ରତିଶ୍ରୁତି ଅଜାଡ଼ି ଦେଇଥିଲେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର୍ ସୁଲୋଚନା ଦାସ। ପ୍ରତିଶ୍ରୁତିକୁ ଏ ଭିତରେ ୮ ମାସ ବିତିଗଲାଣି। ହେଲେ ଲାଇଟ୍ ଖୁମ୍ବ ପୋତିବା ପାଇଁ ଏଯାଏ ରାସ୍ତାକଡ଼ରେ ଗାତଟିଏ ବି ଖୋଳା ହୋଇନି। ଏ ବିଷୟରେ କର୍ପୋରେଟରଙ୍କଠାରୁ ବିଭାଗୀୟ ଯନ୍ତ୍ରୀ; ଯାହାକୁ ପଚାରିଲେ ଗୋଟିଏ ଉତ୍ତର, ଟେଣ୍ଡର୍ ହୋଇଛି ଖୁବ୍ଶୀଘ୍ର କାମ ହୋଇଯିବ।
ଏ ରାସ୍ତାଟି ଉପକଣ୍ଠବାସୀଙ୍କ ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ବିଏମ୍ସିର ଇଞ୍ଜନିୟରିଂ ବିଭାଗ ପକ୍ଷରୁ ଏଭଳି ଖାମଖିଆଲି ମନୋଭାବ ପାଇଁ ପ୍ରତିଦିନ ହଜାରହଜାର ଲୋକ ଜୀବନକୁ ବାଜିରେ ଲଗାଇ ଯା’ଆସ କରୁଛନ୍ତି। ରାସ୍ତାଟି ନିଛାଟିଆ ଓ ଶୂନ୍ଶାନ ହୋଇଥିବାରୁ ସଞ୍ଜ ବୁଡ଼ିଲେ ନିଶାଡ଼ିମାନେ କବ୍ଜା କରି ନେଉଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ନିଶା ସେବନ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଫଳରେ ମଞ୍ଚେଶ୍ବର, ଜରିପାଟଣା, ଇଞ୍ଜଣା, ରୋକଟ, ସିଙ୍ଗଡ଼ା, ବରିମୁଣ୍ଡ ଆଦି ଗାଁ ଲୋକ ରାତିରେ ଯାତାୟାତ କରିପାରୁନଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷେ ଅସାମାଜିକଙ୍କ ଦୌରାତ୍ମ୍ୟକୁ ନିୟନ୍ତ୍ରଣ କରିବାରେ ମଞ୍ଚେଶ୍ବର ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେମାନେ କ୍ଷୋଭର ସହ କହିଛନ୍ତି। ତେଣୁ ତୁରନ୍ତ ଏହି ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା କରିବା ସହ ରାତିରେ ପିସିଆର୍ ପାଟ୍ରୋଲିଂ କଡ଼ାକଡ଼ି ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ଏ ସଂପର୍କରେ ସ୍ଥାନୀୟ କର୍ପୋରେଟର୍ ମିନୁଶ୍ରୀ ଖୁଣ୍ଟଆଙ୍କୁ ପଚାରିବାରୁ ସେ କହିଛନ୍ତି, ଚଳିତଥର ବିଏମ୍ସି ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ରାସ୍ତା ଆଲୋକୀକରଣ ସମ୍ପର୍କରେ ସେ କଥା ଉଠାଇଥିଲେ। ଖୁବ୍ଶୀଘ୍ର ଟେଣ୍ଡର୍ ହୋଇ ଆଲୋକୀକରଣ କରାଯିବ ବୋଲି ସେ କହିଛନ୍ତି।