ଭୁବନେଶ୍ବର: ଶନିବାର ରାତିରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି। ମଧ୍ୟ ରାତ୍ରିରେ ଲଗାତାର ୩ ଘଣ୍ଟା ଧରି ୭୬.୮ମିଲିମିଟର ବର୍ଷିଛି। ଖାଲି ବର୍ଷିନାହିଁ ବରଂ ଘଣ୍ଟା ପ୍ରତି ୬୧ କିମି ବେଗରେ ବୋହିଥିବା ପବନ ଅପ୍ରସ୍ତୁତ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏକାଧିକ ବସ୍ତିରେ ଘର ଛପର ଉଡ଼ି ଯାଇଥିବା ବେଳେ ଚନ୍ଦକା ନୀଳମାଧବ ନିବାସର ଲମ୍ବା ପାଚେରି ଭୁଶୁଡ଼ି ପଡ଼ିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ସମେତ ଅନେକଙ୍କ ଘରେ ପାଣି ପଶିଯାଇଛି। ସମସ୍ତ ପରିବାର ସଦସ୍ୟ ମିଶି ଘରୁ ପାଣି କାଢ଼ୁ କାଢ଼ୁ ରାତି ପାହିଯାଇଛି। ଏହି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବିଜୁଳି। ଗଛ ପଡ଼ି ତାର ଛିଣ୍ଡି ଯିବାରୁ ଅନେକ ଜାଗାରେ ସାରା ରାତି ଲାଇନ୍‌ କଟି ଯାଇଛି। ତଳେ ପାଣି, ଉପରେ ମଶା ଆଉ ସରୀସୃପଙ୍କ ଭୟରେ ଅନେକ ପରିବାରଙ୍କ ରାତି କଟିଛି।

Advertisment

୩ ଘଣ୍ଟାରେ ୭୬.୮ ମିମି ବର୍ଷା
ଦାଉ ସାଧିଲା ବିଜୁଳି, ସାରା ରାତି କଲବଲ
କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଫୁଟେ ଉଚ୍ଚର ପାଣି
ଭାଙ୍ଗିଲା ନୀଳମାଧବ ନିବାସ ପାଚେରି

ରାତି ପ୍ରାୟ ସାଢ଼େ ୧୧ଟାରୁ ପ୍ରଥମେ ଧୂଳି ଝଡ଼ ଓ ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଲଗାତାର ରାତି ୩ଟା ପର୍ଯ୍ୟନ୍ତ ବର୍ଷା ସହ ପବନ ଲାଗି ରହିଥିଲା। ଚଳିତ ବର୍ଷର କାଳବୈଶାଖୀ ଜନିତ ଏହା ପ୍ରଥମ ଭାରି ବର୍ଷା ଥିଲା‌। ଏହି ବର୍ଷା ଯୋଗୁ କ୍ୟାପିଟାଲ ହସ୍ପିଟାଲରେ ପାଣି ପଶି ଯାଇଥିଲା। ଜରୁରୀକାଳୀନ ବିଭାଗରେ ଫୁଟେ ଉଚ୍ଚର ପାଣି ସୁଅ ପଡ଼ିଥିବା ବେଳେ ବିଭିନ୍ନ ୱାର୍ଡରେ ମଧ୍ୟ ପା‌ଣି ପଶିଥିଲା। ଜରୁରୀକାଳୀନ ବିଭାଗରେ ଉଭୟ ଡାକ୍ତର ଓ ରୋଗୀ ପାଣି ଭିତରେ ଛିଡ଼ା ହୋଇଥିବା ଦେଖା ଯାଇଥିଲା। ପ୍ରଶାସନିକ ବିଭାଗରେ ପାଣି ପଶିବା ଫଳରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓଦା ହୋଇଯାଇଥିଲା। ଅଧୀକ୍ଷକ ଓ ଉପଅଧୀକ୍ଷକଙ୍କ ରୁମରେ ମଧ୍ୟ ପାଣି ପଶିଥିଲା‌। ଏହାସହ ଏକ୍ସ ସିଟି ସ୍କାନ ରୁମ ସମ୍ମୁଖରେ ପାଣି ଭାସୁଥିଲା। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ଏବେ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଛି। ବହୁ ସ୍ଥାନରେ ନାଳ ଜାମ୍‌ ହୋଇଯାଇଛି।

ସହରର ତଳି ଅଞ୍ଚଳ ମଧ୍ୟ ଭାସିଥିଲା। ରସୁଲଗଡ଼, ଭିଏସ୍ଏସ୍‌ନଗର, ଝାରପଡ଼ା, ଆଚାର୍ଯ୍ୟବିହାର, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ବର ଭଳି ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯିବାରୁ ସେମାନେ ରାତି ଅନିଦ୍ରା ହୋଇ ଘରୁ ପାଣି ଖାଲି କରିଥିଲେ। ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳ‌ରେ ଥିବା ବସ୍ତିରେ ପାଣି ପଶି ଯିବା ସହିତ ପବନରେ ଛାତ ଉଡ଼ି ଯାଇଥିଲା। ବାଣୀବିହାର ଅଞ୍ଚଳର ଶନିମନ୍ଦିର ବସ୍ତି, ୟୁନିଟ୍‌ ୯ ବାୟା ବାବା ମଠ ଲେନ୍‌, ଅଶୋକ ନଗର, ଖାରବେଳ ନଗର, ଶାସ୍ତ୍ରୀ ନଗର, ୟୁନିଟ୍‌ ୬ ଓ ୟୁନିଟ୍‌ ୭ ଅଞ୍ଚଳର ଅଧିକାଂଶ ବସ୍ତିରେ ପାଣି ପଶିଯାଇଥିଲା। ଡ୍ରେନ୍‌ରେ ସ୍ଲାବ ନଥିବାରୁ ଆବର୍ଜନା ରାସ୍ତା କଡ଼ରେ ଗଦା ହୋଇ ରହିଥିଲା। ଜଗନ୍ନାଥ ଲେନ ସ୍ବେରେଜ୍ ନିର୍ମାଣାଧୀନ ଥିବାରୁ ରାସ୍ତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆବର୍ଜନା ପାଣିର ସୁଅ ପଡ଼ିଥିଲା।ରାତି ଅଧରେ ବିଭିନ୍ନ ଦଳର ବିଧାୟକ ପ୍ରାର୍ଥୀମାନେ ତଳିଆ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଥିବା ଦେଖାଯାଇଥିଲା। ପବନର ବେଗ ଅଧିକ ଥିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ପୋଖରୀପୁଟ, ଲକ୍ଷ୍ମୀସାଗର, ରସୁଲଗଡ଼, ଭିଏସ୍‌ଏସ୍‌ନଗର, କଳିଙ୍ଗବିହାର, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ବରର କିଛି ଅଞ୍ଚଳରେ ରାତି ୪ଟା ବେଳକୁ ଲାଇନ୍‌ ଆସିଥିଲା। ଗୋଟିଏ ପଟେ କାଳବୈଶାଖୀ ଜନିତ ବର୍ଷା ପବନ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଅନ୍ୟପଟେ ତାତିରୁ ନିସ୍ତାର ମିଳିଛି। ବର୍ଷା ପରେ ସହରର ପାଣିପାଗରେ ପରିବର୍ତ୍ତନ ଆସିଛି। ବର୍ଷା ବେଳକୁ ଭୁବନେଶ୍ବରର ତାପମାତ୍ରା ୮ ଡିଗ୍ରି କମି ଯାଇଥିଲା।