ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ‘ଏଣ୍ଡୋସାଇଟୋସୋପ୍‌’ ମେସିନ୍‌

ସହଜ ହେଲା ଗ୍ୟାଷ୍ଟ୍ରିକ୍ ଜନିତ ଅଲସର୍‌ ଓ କ୍ୟାନ୍ସର୍‌ର ଚିକିତ୍ସା, ପୂର୍ବ ଭାରତରେ ପ୍ରଥମ ମେସିନ୍‌ରେ ୫୦୦ଗୁଣା ଶକ୍ତିଶାଳୀ କ୍ୟାମେରା

ଭୁବନେଶ୍ୱର: କ୍ୟାନସର୍‌ ଭଳି ମାରାତ୍ମକ ରୋଗକୁ ଆରମ୍ଭରୁ ଚିହ୍ନଟ କରି ଚିକିତ୍ସା କରାଗଲେ, ରୋଗୀଙ୍କୁ ବଞ୍ଚାଯାଇପାରିବ। କିନ୍ତୁ ଆମ ବ୍ୟୟବହୁଳ ଚିକିତ୍ସା ପଦ୍ଧତିରେ ରୋଗ ଚିହ୍ନଟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବାରୁ ବହୁ ଲୋକ ନିଜର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାନ୍ତି ନାହିଁ। ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଆଣ୍ଡ ଲିଭର୍ ସାଇନ୍ସେସ୍‌ ଏକ ବଡ଼ ପଦକ୍ଷେପ ନେଇଛି। ଖାଦ୍ୟନଳୀରେ ଗ୍ୟାଷ୍ଟ୍ରିକ ଜନିତ ଅଲସର୍‌ ଓ କ୍ୟାନ୍ସର୍‌କୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ପାଇଁ ସଂସ୍ଥା ‘ଏଣ୍ଡୋସାଇଟୋସୋପ୍‌’ ମେସିନ୍‌ ଆଣିଛି। ଏହି ମେସିନ୍‌ ଦ୍ବାରା ପ୍ରାଥମିକ ପର୍ଯ୍ୟାୟରେ କ୍ୟାନସର୍‌କୁ ପ୍ରାଥମିକ ପର୍ଯ୍ୟାୟରୁ ଚିହ୍ନଟ କରାଯାଇପାରିବ। ଏହି ମେସିନ୍‌ରେ ସାଧାରଣ ଏଣ୍ଡୋସ୍କୋପି ମେସିନ୍ କ୍ୟାମେରାଠାରୁ ଅଧିକ ୫୦୦ଗୁଣ ଶକ୍ତିଶାଳୀ ବିଶିଷ୍ଟ କ୍ୟାମେରା ଲାଗିଛି, ଯାହାକି ରୋଗ ନିରୂପଣରେ ବେଶ୍ ସହାୟକ ହୋଇପାରୁଛି।

ସମଗ୍ର ଭାରତରେ ମାତ୍ର ୬ଟି ସ୍ଥାନରେ ଏହି ମେସିନ୍ ଥିବା ବେଳେ ପୂର୍ବ ଭାରତରେ ଅର୍ଥାତ୍ ପ୍ରଥମ କରି ଏହା ଓଡ଼ିଶାକୁ ଆସିଛି। ବରିଷ୍ଠ ଡାକ୍ତର ଆଶୁତୋଷ ମହାପାତ୍ର ଜାପାନର ଓସାକା କ୍ୟାନ୍ସର ସେଣ୍ଟରରୁ ଏହି ଏଣ୍ଡୋସାଇଟୋକୋପ୍‌ ଟ୍ରେନିଂ ନେବା ପରେ ଓଡ଼ିଶାରେ ଏହି ନୂତନ ମେସିନ୍ ଦ୍ଵାରା ତାଙ୍କର ଚିକିତ୍ସା ସେବା ଆରମ୍ଭ କରିଛନ୍ତି। ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଆଣ୍ଡ ଲିଭର୍ ସାଇନ୍ସେସ୍‌ରେ ଆଜି ଡାକ୍ତର ଶ୍ରୀ ମହାପାତ୍ର ଏହି ନୂଆ ମେସିନ୍‌ର ଡେମୋ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଦେଖାଇବା ସହ ଏହାର ବିଶେଷତ୍ବ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ସୁବାଶିଷ ପ୍ରଧାନଙ୍କ ଉପସ୍ଥିତିରେ ଡାକ୍ତର ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନର ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ଏହାର ନିରାକରଣ କ୍ଷେତ୍ରରେ ଏହି ନୂଆ ମେସିନ୍‌ର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ବିଭିନ୍ନ କାରଣରୁ ଦେଶ ତଥା ରାଜ୍ୟରେ ପ୍ରାୟ ୭୦% ଲୋକ ଏବେ ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ସାମ୍ନା କରୁଛନ୍ତି। ପ୍ରତି ଘରେ ଏକାଧିକ ଲୋକଙ୍କ ଶରୀରରେ ଏହି ସମସ୍ୟା ଦେଖାଦେଉଛି। ମାତ୍ର ଟିକେ ଅସାବଧାନତା କାରଣରୁ ବେଳେବେଳେ ଏହି ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଭୟଙ୍କର ରୂପ ନେଉଛି। ଏପରିକି ଅଲସର ଓ କ୍ୟାନସର ଭଳି ଜଟିଳ ରୋଗର ମଧ୍ୟ ଉତ୍ପତ୍ତି ଘଟୁଛି। ଏଭଳି ଜଟିଳ ରୋଗର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ଠିକ୍‌ ଭାବେ କରିବାରେ ଏହି ମେସିନ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ। ମେସିନ୍‌ର ମୂଲ୍ୟ ପ୍ରାୟ ୭୦ଲକ୍ଷ ଟଙ୍କା ହୋଇଥିବା ବେଳେ ଏହା ଖାଦ୍ୟନଳୀ କିମ୍ବା ପାକସ୍ଥଳୀରେ ଘା’ ହୋଇଥିଲେ, ତାହାକୁ ଖୁବ୍ ସ୍ୱଷ୍ଟ ଭାବେ ଏବଂ ନିର୍ଭୁଲ ଆକାରରେ ଚିହ୍ନଟ କରିଥାଏ।

ଏବେ ବି ଦିଲ୍ଲୀ ଓ ପଞ୍ଜାବ ଭଳି ଅନେକ ଉନ୍ନତ ସହରରେ ଏହି ମେସିନ୍ ଉପଲବ୍ଧ ନଥିବା ବେଳେ ପୂର୍ବ ଭାରତରେ ପ୍ରଥମ କରି ଏହା ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଆଣ୍ଡ ଲିଭର୍ ସାଇ‌ନ୍ସେସ୍‌ ଅନୁଷ୍ଠାନରେ ତଥା ଓଡ଼ିଶାରେ ସ୍ଥାପନ କରାଯାଇଛି। ଏହି ମେସିରେ ରୋଗ ନିରୁପଣ କଲେ ରୋଗୀଙ୍କୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼େ ନାହିଁ ବୋଲି ଡାକ୍ତର ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର