ଠିକଣା ସମୟରେ ଫ୍ଲାଟ୍‌ ଦଖଲ ନ ଦେବା ମହଙ୍ଗା ପଡ଼ିଲା, ଖାଉଟି କମିସନରେ ବିଲ୍ଡର୍‌ ସଂସ୍ଥା ଦଣ୍ଡିତ

କଟକ: ସମୟରେ ଫ୍ଲାଟ୍‌ର ଦଖଲ ନ ଦେବା ଓ ପୂର୍ବ ପ୍ରତିଶ୍ରୁତି ମୁତାବକ ଆପାର୍ଟମେଣ୍ଟରେ ସମସ୍ତ ସୁବିଧା ଓ ସେବା ପ୍ରଦାନ ନ କରିବା ମହଙ୍ଗା ପଡ଼ିଛି ଏକ ବିଲ୍ଡର ସଂସ୍ଥା ପାଇଁ। ରାଜ୍ୟ ଖାଉଟି କମିସନ୍ (ଷ୍ଟେଟ୍‌ କନ୍‌ଜ୍ୟୁମର ଡିସପ୍ୟୁଟସ୍‌ ରିଡ୍ରେସାଲ କମିସନ) ଏ ସଂପର୍କିତ ୯ଟି ଖାଉଟି ଅଭିଯୋଗର ଶୁଣାଣି କରି ଆବେଦନକାରୀଙ୍କୁ ସେବା ଓ ସୁବିଧା ପ୍ରଦାନରେ ରହିଥିବା ଅଭାବ ଦୂର କରିବା ପାଇଁ ଭୁବନେଶ୍ବରର ଏକ ପ୍ରତିଷ୍ଠିତ ବିଲ୍ଡର୍‌ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ଲିଡର କମିସନରଙ୍କ ରିପୋର୍ଟ ଆଧାରରେ ଆବେଦନକାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। ଏଥିସହ ଆବେଦନକାରୀଙ୍କୁ ଅକ୍ୟୁପାନ୍ସି ସାର୍ଟିଫିକେଟ୍‌ ଓ ବିଡିଏ ଜାରି କରୁଥିବା କଂପ୍ଲିସନ୍ ସାର୍ଟିଫିକେଟ୍‌ର କପି ପ୍ରତିପକ୍ଷ ସଂସ୍ଥା ୩୦ ଦିନ ଭିତରେ ପ୍ରଦାନ କରିବ। ଏଥିରେ ଯଦି ଅବହେଳା କରାଯାଏ, ଆବେଦନକାରୀଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଲେଖାଏଁ ସଂସ୍ଥା ପ୍ରଦାନ କରିବ ବୋଲି କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ ଚୁକ୍ତି ଅନୁସାରେ, ନିର୍ଦ୍ଧାରିତ ସମୟରେ ଆବେଦନକାରୀଙ୍କୁ ଫ୍ଲାଟ୍‌ ପ୍ରଦାନ କରାଯାଇ ନଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ନିର୍ଦ୍ଧାରିତ ତାରିଖଠାରୁ ଫ୍ଲାଟ୍ ଦଖଲ ଦେବା ପର୍ଯ୍ୟନ୍ତ ଅବଧି ପାଇଁ ଆବେଦନକାରୀଙ୍କୁ କନ୍‌ସିଡରେସନ୍ ଅର୍ଥ ଉପରେ ୧୨ ପ୍ରତିଶତ ସୁଧ ପ୍ରତିପକ୍ଷ ୩୦ଦିନ ଭିତରେ ପ୍ରଦାନ କରିବେ। ଏଥିରେ ଅବହେଳା କରାଗଲେ ୧୮ପ୍ରତିଶତକୁ ସୁଧ ପରିମାଣ ବୃଦ୍ଧି ପାଇବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଆବେଦନକାରୀଙ୍କୁ ଉପଲବ୍ଧ କରା ନଯିବା ପର୍ଯ୍ୟନ୍ତ ପ୍ରତିପକ୍ଷ ରକ୍ଷଣାବେକ୍ଷଣ ଦେୟ (ମେଣ୍ଟେନାନ୍ସ ଚାର୍ଜ) ଦାବି କରିପାରିବେ ନାହିଁ ବୋଲି କମିସନ୍ କହିଛନ୍ତି। ଏପରି ପରିସ୍ଥିତିରେ ଆବେଦନକାରୀ ଏ ବାବଦ ଅର୍ଥ ନ ଦେଉଥିଲେ ମଧ୍ୟ ପ୍ରତିପକ୍ଷ ସର୍ବସାଧାରଣ ସ୍ଥାନର ରକ୍ଷଣାବେକ୍ଷଣରେ କୌଣସି ଅବହେଳା କରି ପାରିବେ ନାହିଁ। ଏଥିସହ ଆବେଦନକାରୀଙ୍କୁ ମକଦ୍ଦମା ବାବଦ ଖର୍ଚ୍ଚ ବାବଦରେ ୨୫ହଜାର ଟଙ୍କା ଲେଖାଏଁ ପ୍ରତିପକ୍ଷ ସଂସ୍ଥା ପ୍ରଦାନ କରିବ ବୋଲି କମିସନ୍ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କମିସନ୍ ସଭାପତି ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀ ଓ ସଦସ୍ୟ ସ୍ମରିତା ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଚ.କେ.ନାୟକ ଓ ଅନ୍ୟ ୮ଜଣଙ୍କ ପକ୍ଷରୁ ଦାୟର ପୃଥକ୍‌ ଖାଉଟି ଅଭିଯୋଗ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆର.କେ.ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ କଟକ-ଭୁବନେଶ୍ବର ମଧ୍ୟସ୍ଥଳୀରେ ପାହାଳ ନିଟକରେ ଥିବା ଏକ ଆପାର୍ଟମେଣ୍ଟରେ ଘର ବୁକିଂ ପାଇଁ ବିଜ୍ଞା‌ପନ ପ୍ରକାଶ ପାଇବା ପରେ ଆବେଦନକାରୀମାନେ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ସଂସ୍ଥା ପକ୍ଷରୁ ଯେଉଁ ସମୟରେ ଫ୍ଲାଟ୍ ଦଖଲ ଦିଆଯିବ ବୋଲି କୁହାଯାଇଥିଲା, ତାର ପ୍ରାୟ ଦୁଇ ବର୍ଷ ପରେ ଆବେଦନକାରୀଙ୍କୁ ଦଖଲ ମିଳିଥିଲା। ଏଥିସହ ଯେଉଁ ସୁବିଧା ସବୁ ପ୍ରଦାନ କରାଯିବାକୁ ସଂସ୍ଥା ପ୍ରତିଶ୍ରୁତି ଦେଇଥିଲା, ସେଥିରୁ ଅଧିକାଂଶ ପୂରଣ ହୋଇ ପାରି ନଥିଲା। ୨୦୧୬ରେ ଏ ନେଇ ଆବେଦନକାରୀ ଖାଉଟି କମିସନରେ ମାମଲା ରୁଜୁ କରିଥିଲେ। ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ କମିସନ୍ ପ୍ଲିଡର କମିସନରଙ୍କୁ ନିଯୁକ୍ତି ଦେଇଥିଲେ। କମିସନର ସରଜମିନ୍‌ ତଦନ୍ତ କରି କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର