ଭୁବନେଶ୍ୱର: ସ୍କୁଲ ଖୋଲିବା କ୍ଷଣି ଛାତ୍ରଛାତ୍ରୀଙ୍କୁ ଅଫ୍ଲାଇନ୍ ମୋଡ୍ରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଛି। ରାଜଧାନୀର ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରୁ ଏଭଳି ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଆଜି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଫେବ୍ରୁଆରି ୧୦ ସୁଦ୍ଧା ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ସ୍କୁଲ କର୍ତୃପକ୍ଷ ମାତ୍ର କିଛି ଘଣ୍ଟା ମଧ୍ୟରେ ନିଷ୍ପତ୍ତି ବଦଳାଇଛନ୍ତି। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମୋଡ୍ରେ ପରୀକ୍ଷା ଦେବା ଲାଗି ଛାତ୍ରଛାତ୍ରୀଙ୍କୁ ଅପସନ୍ ଦିଆଯାଇଛି। ଏଥିସହ ସ୍କୁଲ କର୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍ର ଉତ୍ତର ଦେଇଥିବା ଜଣାପଡ଼ିଛି।
କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢ଼ା ବନ୍ଦ ଥିଲା। ମହାମାରୀ ପ୍ରଭାବ କମିବା ପରେ ଗତ ୭ ତାରିଖରୁ ୮ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆସନ୍ତା ୧୪ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦୁଇ ବର୍ଷ ମଧ୍ୟରେ ପିଲାଙ୍କ ପାଠପଢ଼ାରେ ବହୁ କ୍ଷତି ହୋଇଛି। ତାହାକୁ ନଜରରେ ରଖି ଫେବ୍ରୁଆରି ୩ରେ ସ୍ୱତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି) ସ୍କୁଲଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏଥିରେ ପିଲାମାନେ ତାଙ୍କ ଇଚ୍ଛା ଅନୁଯାୟୀ ଅଫ୍ଲାଇନ୍, ଅନ୍ଲାଇନ୍ କିମ୍ବା ହାଇବ୍ରିଡ୍ ମୋଡ୍ରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ମଧ୍ୟ ସ୍କୁଲଗୁଡ଼ିକୁ ଏନେଇ ଚିଠି ଲେଖି ପିଲାଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ମୋଡ୍ରେ ପରୀକ୍ଷା ଦେବା ଲାଗି ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କର୍ତୃପକ୍ଷ ଏହି ନିର୍ଦ୍ଦେଶର ଅବମାନନା କରି ଫେବ୍ରୁଆରି ୧୨ରୁ ଆରମ୍ଭ ହେବାକୁ ଥିବା ପିରିଅଡ଼୍ ଆସେସ୍ମେଣ୍ଟ ପରୀକ୍ଷାକୁ ଅଫ୍ଲାଇନ୍ ମୋଡ୍ରେ କରିବା ପାଇଁ ପିଲାଙ୍କୁ ବାଧ୍ୟ କରିଛନ୍ତି। ଯେଉଁଥିପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସାହୁ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଅଧ୍ୟକ୍ଷଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।
ଡିଏଭି ଚନ୍ଦ୍ରଶେଖରପୁର ସ୍କୁଲ ପକ୍ଷରୁ କୁହାଯାଇଛି ଯେ ବାର୍ଷିକ ପରୀକ୍ଷା ପୂର୍ବରୁ ପିରିଅଡ୍ ଆସେସ୍ମେଣ୍ଟ-୩ ଏକ ଅଭ୍ୟାସ ପରୀକ୍ଷା ଥିଲା। କେଉଁ ମାଧ୍ୟମରେ ପରୀକ୍ଷା କରାଯିବା ଆବଶ୍ୟକ ସେନେଇ ପିଲା ଓ ଅଭିଭାବକଙ୍କଠାରୁ ମତାମତ ଲୋଡ଼ାଯାଇଥିଲା। ଏହାକୁ ନେଇ ପିଲାଙ୍କ ଧାରଣା ହେଲା ଯେ କେବଳ ଅଫ୍ଲାଇନ୍ରେ ପରୀକ୍ଷା କରାଯିବ। ତେଣୁ ସେମାନେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ଅଭିଯୋଗ କରିବା ପରେ କାରଣଦର୍ଶାଅ ନୋଟିସ୍ ଆସିଛି। ଯାହାର ଉତ୍ତର ଦିଆଯାଇଛି। ପରୀକ୍ଷା ଲାଗି ପିଲାମାନଙ୍କୁ ଏବେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଅପ୍ସନ୍ ଦିଆଯାଇଛି।
ଅନ୍ୟପକ୍ଷରେ ଲୋୟଲା ସ୍କୁଲରେ ମଧ୍ୟ ସମାନ ଅବସ୍ଥା ଉପୁଜିଥିଲା। ଏନେଇ ଅଭିଭାବକ ଗତକାଲି ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଭେଟିବା ପରେ ଆଜି ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଆପଣଙ୍କ ଶିକ୍ଷାନୁଷ୍ଠାନର ଅଭିଭାବକମାନେ ଅଫ୍ଲାଇନ୍ ପରୀକ୍ଷାକୁ ବିରୋଧ କରିଛନ୍ତି। ତେଣୁ ଏସ୍ଆରସି ଓ ଗଣଶିକ୍ଷା ବିଭାଗ ଗାଇଡ୍ଲାଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ।