ଭୁବନେଶ୍ୱର: ୨୦୨୨ ଏପ୍ରିଲ୍ ୯ ତାରିଖ ଭୋର୍ ସମୟ। ରାତିର ଅନ୍ଧାର ପୂରା ହଟି ନଥିଲା। ଝାପ୍ସା ଅନ୍ଧାର ଭିତରେ ହଠାତ୍ ହାଟ ଉପରେ ହେଲା ବୁଲ୍ଡୋଜର୍ ଆକ୍ରମଣ। ଦୋକାନ ଭିତରୁ ଜିନିଷପତ୍ର ବାହାର କରିବାକୁ ବି ସୁଯୋଗ ନଥିଲା। ତେଣୁ ଆଜ୍ବେଷ୍ଟସ୍ ଛାତ, ଇଟା, ପଥର କାନ୍ଥ ତଳେ ଚାପି ହୋଇଗଲା ଦୋକାନର ସାମଗ୍ରୀ। ପୁଲିସ ବଳ ସହ ଲଢ଼ି ଦୋକାନ ବଞ୍ଚାଇବାକୁ କାହାର ଜୁ’ ନଥିଲା। ଅସହାୟ ଭାବେ ଠିଆ ହୋଇ ଦୋକାନ ଭାଙ୍ଗି ଯାଉଥିବାରୁ ବିକଳ ଦୃଶ୍ୟ ଦେଖି କାନ୍ଦିବା ଛଡ଼ା କିଛି ବାଟ ନଥିଲା ଦୋକାନୀମାନଙ୍କର। ସକାଳ ୭ଟା ହେବା ବେଳକୁ ପୂରା ହାଟ ମାଟିରେ ଲୋଟି ପଡ଼ିଥିଲା। ବିଚରା ଦୋକାନୀମାନଙ୍କର ଆର୍ତ୍ତନାଦ ନିଷ୍ଠୁର ବିଏମ୍ସି କର୍ତ୍ତୃପକ୍ଷଙ୍କ ଉପରେ କିଛି ବି ପ୍ରଭାବ ପକାଇଲା ନାହିଁ। ପରେ ଏହାକୁ ନେଇ ଚାଲିଲା ରାଜନୈତକି ଛକାପଞ୍ଝା।
ଚାପରେ ପଡ଼ି ବିଏମ୍ସି କ୍ଷତିପୂରଣ ଦେବ ବୋଲି ପ୍ରତିଶ୍ରୁତି ଦେଲା। ସ୍ଥାୟୀ ହାଟ ନିର୍ମାଣ କରି ଉଚ୍ଛେଦର ଶିକାର ହୋଇଥିବା ବେପାରୀଙ୍କୁ ଥଇଥାନ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଲା। ମାତ୍ର ବର୍ଷଟିଏ ବିତିବା ପରେ ବି ସବୁ ଶୂନ। ନା ମିଳିଲା କ୍ଷତିପୂରଣ ନା ଥଇଥାନର ସୁବିଧା। ରାଜନୀତିର ପଶାପାଲିରେ ସେଦିନ ଏମିତି ଶହଶହ ଛୋଟ ବେପାରୀ ବଳି ପଡ଼ିଗଲେ।
ପରିବା ଓ ପୂଜା ସାମଗ୍ରୀ ବେପାର କରୁଥିବା ଲଳିତା ଜେନାଙ୍କ କହିବା କଥା, ସେ ଏହି ଗଣେଶ ମଣ୍ଡପ ହାଟରେ ୫ ବର୍ଷ ହେଲା ବ୍ୟବସାୟ କରୁଥିଲେ। ପନିପରିବା ସାଙ୍ଗକୁ କିଛି ପୂଜା ସାମଗ୍ରୀ ବିକ୍ରି ପରିବାର ଭରଣପୋଷଣ କରୁଥିଲେ। ବେପାର ବଢ଼ି ଆସୁଥିଲା। କିନ୍ତୁ ସେଦିନ ସବୁ କିଛି ମାଟିରେ ମିଶିଗଲା। ଭୋର୍ ୪ଟାରେ ବିଏମ୍ସି ଅତର୍କିତ ଭାବେ ହାଟକୁ ଉଚ୍ଛେଦ କରିଦେଲା। ଫଳରେ ତାଙ୍କ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଗଲା। ଆଖି ଆଗରେ ତାଙ୍କ ସଂସାର ଉଜୁଡ଼ି ଯାଉଥିବା ଦେଖି ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ତେଣୁ ସେ ନିଜ ଦେହରେ କିରାସିନି ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏତିକିରେ ଦୁଃଖ ସରି ନଥିଲା। ମହାଜନଠାରୁ ଆଣିଥିବା ସାମଗ୍ରୀ ବାବଦ ଟଙ୍କା ଦେଇପାରିଲେ ନାହିଁ।
ତେଣୁ ମହାଜନର ଗାଳିମନ୍ଦ ଶୁଣିବାକୁ ପଡ଼ିଲା। ଏବେ ପ୍ରତି ମାସରେ ମରି ପଡ଼ି ପେଟରୁ କାଟି ମୂଳ ଓ ସୁଧ ଗଣୁଛନ୍ତି। ରାସ୍ତାକଡ଼ର ବେପାର ପାଲଟିଛି ସାହାଭରସା। ଖରା, ବର୍ଷାରେ ବସି ପରିବା ବିକ୍ରି କରୁଛନ୍ତି। ଖରା ଓ ବର୍ଷାରେ ପରିବା ନଷ୍ଟ ହେଉଛି। ଆଗ ଭଳି ଲାଭ ହେଉନାହିଁ। ଋଣ ବୋଝ ସାଙ୍ଗକୁ ରୋଜଗାର ହ୍ରାସ ତାଙ୍କ ପରିବାର ପାଇଁ ଅଭିଶାପ ପାଲଟି ଯାଇଛି। କେବେ କ୍ଷତିପୂରଣ ମିଳିବ, କେବେ ବିଏମ୍ସି ତାଙ୍କୁ ଥଇଥାନ କରିବ, ସେଇ ଚିନ୍ତା ତାଙ୍କୁ ଘାରିଛି। ଏହା କେବଳ ଲଳିତାଙ୍କ ଦୁର୍ଦ୍ଦିନର କଥା ନୁହେଁ, ତାଙ୍କ ଭଳି ଶହଶହ ବେପାରୀଙ୍କ ଅବସ୍ଥା ଗତବର୍ଷଠାରୁ ଦୟନୀୟ ହୋଇପଡ଼ିଛି। ବିଏମ୍ସି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ତୁରନ୍ତ ସ୍ଥାୟୀ ହାଟରେ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ ୩ ଏକର ୨୦୭ ଡିସିମିଲି ବିଶିଷ୍ଟ ଏହି ସରକାରୀ ଜମିରୁ ସେଦିନ ୩ଟି ସ୍ଥାୟୀ ଦୋକାନ ଘର, ୧୪ଟି ବଡ଼ ଗୋଦାମ, ୯୭ଟି ଆଜ୍ବେଷ୍ଟସ ଛାତ ଥିବା ଦୋକାନ, ୨୫ଟି ଅସ୍ଥାୟୀ ପରିବା ଦୋକାନ, ୫୨ଟି କ୍ୟାବିନ୍ ଭଙ୍ଗା ଯାଇଥିଲା।