ବର୍ଷା ଆସିଲେ ଡ୍ରେନ କରିବ ସମସ୍ୟା, ପାଣିରେ ବୁଡ଼ିବ ରାସ୍ତା

ପୁରୁଣା ଭୁବନେଶ୍ବର: ଆଉ କିଛି ଦିନ ପରେ ଆସିବ ମୌସୁମୀ। ବର୍ଷାଦିନେ ପୁରୁଣା ଭୁବନେଶ୍ବରର ଅନେକ ଅଞ୍ଚଳ ଜଳମଗ୍ନ ହେଉଥିବା ବେଳେ ଡ୍ରେନ ଗୁଡ଼ିକ ଅଧିକ ସମସ୍ୟା ସୃଷ୍ଟି କରିବ। ସମ୍ପୃକ୍ତ ଅଞ୍ଚଳରେ ଡ୍ରେନ ଗୁଡ଼ିକ ଏଯାଏ ସଫେଇ ହୋଇନାହିଁ। ଫଳରେ ବର୍ଷା ହେଲେ ବଡ଼ ଧରଣର ସମସ୍ୟା ମୁଣ୍ଡ ଟେକିବ। ସ୍ଥାନୀୟ ଅଞ୍ଚଳର ଡ୍ରେନ୍‌ ସଫେଇ କାମ ଠିକଣା ଭାବେ ନହେଲେ ବର୍ଷା ହେଲେ ରାସ୍ତାରେ ପାଣି ଭାସିବା ସହ ଲୋକେ ଦୁର୍ଦ୍ଦଶା ଭୋଗିବେ।

ଆଗକୁ ବର୍ଷାଦିନ ଥିବା ବେଳେ ଡ୍ରେନ୍‌ ଗୁଡ଼ିକରୁ ମାଟି ଓ ପଙ୍କ ସଫା ହେଉନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ଗତବର୍ଷ ଫନି ବାତ୍ୟା ପରେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଯାଇଥିବା ମୁଖ୍ୟ ଡ୍ରେନ୍‌ ନଂ ୭ର ପାର୍ଶ୍ବ କାନ୍ଥ କେଦାରଗୌରୀ ଛକ ନିକଟରେ ଭାଙ୍ଗି ଯାଇଛି। ପାର୍ଶ୍ବରେ ଥିବା ମାଟି ସହ ମିଶି ଡ୍ରେନ୍‌ ସମାନ ହୋଇଯାଇଛି। ଅଧିକ ବର୍ଷା ହେଲେ ପାର୍ଶ୍ବ ମାଟି ଧୋଇ ମୁଖ୍ୟ ଡ୍ରେନ୍‌ ପାଣି ବାହାରକୁ ଆସିବ। ଯାହା ଫଳରେ ଡ୍ରେନ୍‌ର ମଇଳା ପାଣି ରାସ୍ତାରେ ଭାସିବା ସହ ସମସ୍ୟା ହୋଇ ମୁଣ୍ଡ ଟେକିବ ବୋଲି ସ୍ଥାନୀୟ ଅଧିବାସୀ ବିଷ୍ଣୁ ପ୍ରସାଦ ମୁଦୁଲି କୁହନ୍ତି। ସେହିପରି ରଥ ଦାଣ୍ଡରେ ଚାଲିଥିବା ଡ୍ରେନ୍‌ କାମ ହୋଇଥିଲେ ହେଁ ଡ୍ରେନ୍‌ ରାସ୍ତାରୁ ଉଚ୍ଚା ହୋଇଥିବାରୁ ଏଥିରେ ନିୟମିତ ମାଟି ସଫା ନହେଲେ ପାଣି ଜମି ରହିବ।

ଅନ୍ୟପଟେ ଜମେଶ୍ବର ପାଟଣା ଅଞ୍ଚଳରେ ନୂଆ ଡ୍ରେନ୍‌ ତିଆରି ହୋଇଥିଲେ ହେଁ ଏଥିରୁ ମାଟି ସଫା ହୋଇନାହିଁ। ବର୍ଷା ହେଲେ ରାସ୍ତାରେ ପାଣି ଭାସିବ। ବର୍ଷା ଅଧିକ ହେଲେ ପୂର୍ବ ବର୍ଷ ପରି ଗ୍ୟାରେଜ୍‍ ଛକ ନିକଟ ଗୌରୀ ନଗରର ଗୌରୀ ଗାର୍ଡେନ୍‍, କୋଟିତୀର୍ଥ ନିକଟ ପ୍ରଭୁ ଗଳି, ୫୯ନଂ ଓ୍ୱାର୍ଡ ଅନ୍ତର୍ଗତ ଶ୍ରୀରାମ ନଗର ଛକ ଠାରୁ ଲିଙ୍ଗରାଜ ମନ୍ଦିରକୁ ଯାଇଥିବା ରାସ୍ତା, ନୂଆଗାଁ ରୋଡ୍‍, ବିଜୟ ବିହାର, ଆକାଶ ନଗର, ରୁଦ୍ର ବିହାର, ସାମନ୍ତରାପୁର ଠାରୁ ଗ୍ୟାରେଜ ଛକ, ଭୀମଟାଙ୍ଗୀ ଉପର ଫେଜ୍‍ର ଅଟାକଳ ଗଳି, ତଳ ଫେଜ୍‍ର ପଞ୍ଚମୁଖୀ ହନୁମାନ ମନ୍ଦିର ଗଳି, ପୋଷ୍ଟ ଅଫିସ୍‍ ଗଳି, ବେହେରା ସାହି, ଜମେଶ୍ବର ପାଟଣା ସାହି, ଦର୍ଜି ସାହି, ପରକରଣ ସାହି, ବେହେରା ସାହି, ବଣିଆ ସାହି, ପୂଜାପଣ୍ଡା ସାହି, ନାରଦ ସାହି, ସୁଆର ସାହି, ଗୋଡ଼ିପୋଖରୀ ସାହି, ଚେମେଡ଼ି ସାହି, ହରଚଣ୍ଡୀ ସାହି, ଗୋବିନ୍ଦେଶ୍ବର ରୋଡ୍‌, ତଳବଜାର, ହାଟସାହି ଆଦି ଅଞ୍ଚଳର ଅଧିବାସୀ ନାହିଁ ନଥିବା ହଇରାଣ ହେବେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର