ଦିନ ସାରା ଡରାଇଲା: ସକାଳୁ ବଢ଼ିବ ବର୍ଷା, ପବନ, କେହି ସ୍ଥାନାନ୍ତର ହେଲେନି

୧୦୦ କିମି ବେଗରେ ବହିବ, ୧୫୦ମିମି ବର୍ଷା, ମଙ୍ଗଳବାର ସଂଧ୍ୟା ସୁଦ୍ଧା ୨୭ ମିମି ବର୍ଷା

ଭୁବନେଶ୍ବର: ବାତ୍ୟା ୟାସ୍‌ ପ୍ରଭାବରେ ଆଜି ରାଜଧାନୀରେ ଦିନତମାମ୍ ତୁହାକୁ ତୁହା ବର୍ଷା ହୋଇଥିବା ବେଳେ ଘଣ୍ଟାକୁ ୪୫ରୁ ୫୫ କିମି ବେଗରେ ପବନ ବହିଛି। ଆଜି ଦିନତମାମ୍‌ ଲୋକଙ୍କୁ ବାତ୍ୟାର ଭୟ ଘାରିଥିଲେ ବି ଜୋର୍‌ରେ ବର୍ଷା, ପବନ ହୋଇନଥିବାରୁ ଲୋକ ଆଶ୍ବସ୍ତ ଅଛନ୍ତି। କିନ୍ତୁ ରାତି ଯେତେ ବଢ଼ିବ, ବର୍ଷା ଓ ପବନ ସେତେ ବଢ଼ିବ। ସକାଳୁ ରାଜଧାନୀବାସୀ ବାତ୍ୟାର ପ୍ରକୋପ ଦେଖିବେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ବଙ୍ଗୋପସାଗରରେ ଥିବା ବାତ୍ୟା ୟାସ୍‌ ଯେତେ ସ୍ଥଳଭାଗ ନିକଟତର ହେଉଛି ବର୍ଷା, ପବନ ସେତେ ବଢ଼ୁଛି। ହଠାତ୍ ଜୋର୍‌ରେ ପବନ, ବର୍ଷା ହୋଇ ଛାଡ଼ି ଯାଉଥିବାରୁ ଲୋକଙ୍କ ମନରେ ବାତ୍ୟା ନେଇ ଉତ୍କଣ୍ଠା ବଢ଼ି ଚାଲିଛି। ଆଜି ଦିନତମାମ୍ ବର୍ଷା ଲାଗି ରହିଥିବା ବେଳେ ସଂଧ୍ୟା ସୁଦ୍ଧା ଭୁବନେଶ୍ବରରେ ମାତ୍ର ୨୭ ମିମି ବର୍ଷା ହୋଇଛି। କିନ୍ତୁ ରାତିରେ ବର୍ଷା ବଢ଼ିବ। ସକାଳ ୮ଟା ୩୦ବେଳକୁ ରାଜଧାନୀରେ ୧୫୦ ମିମି ବର୍ଷା ହୋଇଯିବ। ଏପରିକି ପ୍ରକୋପ ସକାଳୁ ଆହୁରି ବଢ଼ିବ। ଭୁବନେଶ୍ବର ପାଣିପାଗ କେନ୍ଦ୍ର କହିଛି ଯେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ଭୁବନେଶ୍ବରରେ ବର୍ଷା, ପବନ ଅଧିକ ରହିବ। ଏହି ସମୟରେ ପ୍ରବଳ ବର୍ଷା ସହ ପବନର ବେଗ ୯୦ରୁ ୧୦୦ କିମି ଭିତରେ ରହିବ। ବାତ୍ୟା ଆସୁଥିବାରୁ ଆଜିଠୁ ରାଜଧାନୀବାସୀ ପୂରା ପ୍ରସ୍ତୁତ ହୋଇଯାଇଛନ୍ତି। ସମସ୍ତେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ପରିବା, ସଉଦା ଆଦି କିଣି ଘରେ ମହଜୁଦ୍ ରଖିଛନ୍ତି। ଏପରିକି ଆଜି କିଛି ମାର୍କେଟରୁ କ୍ୟାଣ୍ଡେଲ ଉଭାନ୍ ହୋଇଯାଇଥିଲା। କେହି କେହି ତ ଇନ୍‌ଭର୍ଟର, ଜେନେରେଟର ଆଦି କିଣି ନେଇ ଘରେ ରଖିଛନ୍ତି।

ଭୁବନେଶ୍ବର: ରାଜଧାନୀରେ ଆଜି ଅଧିକ ବର୍ଷା, ପବନ ହୋଇନଥିବାରୁ ବିଏମ୍‌ସି ପକ୍ଷରୁ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇନି। ଏପରିକି ପାଣିପାଗ ବିଭାଗ ବି ବର୍ତ୍ତମାନ ସୁଦ୍ଧା ଭୁବ‌ନେଶ୍ବର ପାଇଁ ବିପଦସଙ୍କେତ କିଛି ଜାରି କରିନି। ତେଣୁ ବିଏମ୍‌ସି ପକ୍ଷରୁ କୌଣସି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇନି। ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆମେ ତିନିଟି ଜୋନ୍‌ରେ ୭୨ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଚୁଡା, ଚାଉଳ, ବିସ୍କୁଟ, ଗୁଡ଼, ଛତୁଆ, କ୍ୟାଣ୍ଡେଲ, କିରାସିନ୍ ଆଦି ସଂରକ୍ଷିତ ରଖାଯାଇଛି। ହେଲେ କୌଣସି ଅପ୍ରୀତିକର ସ୍ଥିତି ନଉପୁଜିଲେ ଆମେ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବୁନି। ଜୋନାଲ୍‌ ‌ଡେପୁଟି କମିସନରମାନଙ୍କୁ ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ‌ଯଦି ଜୋରରେ ବର୍ଷା ହୁଏ ଏବଂ ତଳିଆ ଅଞ୍ଚଳରେ ପାଣି ପଶେ ତେବେ ଲୋକଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀକୁ ଅଣାଯିବ। ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଆମେ ବ୍ୟବସ୍ଥା କରିଛୁ। ଭୁବନେଶ୍ବରରେ ପବନ ଜୋରରେ ହେବନି। ଯଦି କାହାର ଘର ଭାଙ୍ଗିଲା କିଛି ସମସ୍ୟା ହେଲା ତେବେ ଆମେ ସ୍ଥାନାନ୍ତର କରିବୁ। କେତେବେଳେ କାହାକୁ ସ୍ଥାନାନ୍ତର କରାଯିବ ସେ ନିଷ୍ପତ୍ତି ଜୋନାଲ୍‌ ଡେପୁଟି କମିସନରମାନେ ନେବେ। କୋଭିଡ୍‌ କଟକଣା ଯୋଗୁଁ ଅଧିକ ଲୋକଙ୍କୁ ଅତି ଆବଶ୍ୟକ ନଥିଲେ ଏକାଠି କରିବାକୁ ଡର ଲାଗୁଛି। ଭୁବନେଶ୍ବରରେ ଏବେ ସଂକ୍ରମଣ ପିକ୍‌ରେ ଥିବା ସବୁ ଦିଗକୁ ଦେଖି ପଦକ୍ଷେପ ନିଆଯାଉଛି।

୨୫ ଜେନେରେଟର, ୧୦୦ ଆସ୍କା ଲାଇଟ୍, ୧୦୦ କଟର ମାଗିଲା ବିଏମ୍‌ସି
ବାତ୍ୟା ଯୋଗୁଁ ଯଦି ରାଜଧାନୀରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୁଏ ତେବେ ସର୍ବସାଧାରଣ ସ୍ଥାନ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଆଲୋକୀକରଣ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିବ। ଏହାକୁ ନଜରରେ ରଖି ବିଏମ୍‌ସି ଓସ୍‌ଡମାକୁ ୧୦୦ ଆସ୍କା ଲାଇଟ୍ ଏବଂ ୨୫ଟି ଉଚ୍ଚକ୍ଷମତାସଂପନ୍ନ ଜେନେରେଟର ମାଗିଛି। ଏହାବ୍ୟତୀତ ଗଛ କାଟିବା ପାଇଁ ୧୦୦ କଟର୍ ଦେବାକୁ ବିଏମ୍‌ସି ଓସ୍‌ଡମାକୁ ଅନୁରୋଧ କରିଛି।

ଡାକ୍ତରୀ ସହାୟତା ପାଇଁ ୧୦ ଆମ୍ବୁଲାନ୍ସ
ଯଦି କେଉଁଠି ବର୍ଷା, ପବନ ଯୋଗୁଁ କାହାର କିଛି କ୍ଷୟକ୍ଷତି ହୁଏ ତେବେ ତୁରନ୍ତ ଆଶୁ ଚିକିତ୍ସା ଯୋଗାଇବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ବିଏମ୍‌ସି ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ୧୦ଟି ଆମ୍ବୁଲାନ୍ସ ରଖାଯାଇଛି। ବିଏମ୍‌ସି କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କଲେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିବ ବୋଲି କୁହାଯାଇଛି।

ଅସୁବିଧାରେ ୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୧୨୫୩ରେ ଫୋନ୍‌ କର
ଘରେ ବର୍ଷା ପାଣି ପଶି ଯାଉଥିଲେ, ଜଳବନ୍ଦୀ ଥିଲେ କିମ୍ବା ବାତ୍ୟା ଓ ବର୍ଷାଜନିତ କୌଣସି ସମସ୍ୟାରେ ପଡ଼ିଲେ ବିଏମ୍‌ସିର ହେଲ୍‌ପଲାଇନ୍ ନଂ ୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୧୨୫୩ରେ ଫୋନ୍‌ କରିବାକୁ ବିଏମ୍‌ସି କହିଛି। ଏଥିପାଇଁ କଣ୍ଟ୍ରୋଲରୁମ୍‌ ଖୋଲିଛି। ଫୋନ୍‌ ପାଇବା କ୍ଷଣି ବିଏମ୍‌ସି କର୍ମଚାରୀ ତୁରନ୍ତ ସହଯୋଗ କରିବେ। ଏଥିପାଇଁ ୱାର୍ଡ ସ୍ତରରେ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି କୁହାଯାଇଛି।

ଏବେଠୁ ଭାଙ୍ଗିଗଲାଣି ବହୁ କୃଷ୍ଣଚୂଡ଼ା ଗଛ
ବାତ୍ୟା ଆରମ୍ଭ ହୋଇନି। କିନ୍ତୁ ବାତ୍ୟା ପୂର୍ବର ପବନରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଲାଣି। ବହୁ ସ୍ଥାନରେ କୃଷ୍ଣଚୂଡ଼ା ଭାଙ୍ଗି ରାସ୍ତା ଉପରେ ଓ ଡିଭାଇଡରରେ ପଡ଼ିଥିଲା। ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ କଟରରେ କାଟି ଉଠାଇଛନ୍ତି। ଅଧିକ ଗଛ ଭାଙ୍ଗିଲେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ର ସହାୟତା ନିଆଯିବ ବୋଲି କୁହାଯାଇଛି।

 

ସମ୍ବନ୍ଧିତ ଖବର