ଖଣ୍ଡଗିରି: ରାଜଧାନୀଠାରୁ ମାତ୍ର ୧୫ କିଲୋମିଟର ଦୂର ମେଣ୍ଢାଶାଳ ପଞ୍ଚାୟତ ଅନ୍ତର୍ଗତ ବାରାପିଟା ଗାଁରେ ଲୋକେ ଆଜି ବି ପାଇପ୍‌ ଜଳ ପାଇନାହାନ୍ତି। ମଶା, ମାଛି ଓ କୀଟ ଭାସୁଥିବା ଚୁଆ ଉପରେ ସେମାନେ ନିର୍ଭରଶୀଳ। ସେହିଭଳି ରାଜଧାନୀକୁ ଲାଗି ରହିଥିବା ରଣସିଂପୁର, ତମାଣ୍ଡୋ ନୂଆସାହି ଭଳି ଗାଁକୁ ମଧ୍ୟ ପାଇପ୍‌ ଜଳ ଯୋଗାଣ ହୋଇନାହିଁ। ଚୁଡ଼ଙ୍ଗ, ଭାଲୁଙ୍କ ଭଳି ଅନେକ ଗାଁ ମଧ୍ୟ ପାଇପ୍‌ ଜଳ ପାଇବାରୁ ବଞ୍ଚିତ। ‌ଏସବୁ ଅଞ୍ଚଳର ଅଧିବାସୀମାନେ କୂଅ, ପୋଖରୀ ଓ ଚୁଆର ଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। କିନ୍ତୁ ଏବେ ମେଗା ଜଳ ଯୋଗାଣ ପ୍ରକଳ୍ପରେ ପାଇପ୍‌ ଯୋଗେ ସେହି ଅଞ୍ଚଳକୁ ସିଧାସଳଖ ଜଳ ଯୋଗାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବ ବୋଲି ଆର୍‌ଡବ୍ଲୁଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି। ଏଥିରେ ଭୁବନେଶ୍ବର ବ୍ଲକ୍‌ର ୨୦ ପଞ୍ଚାୟତର ୮୭ଟି ଗାଁର ୯୧ ହଜାର ଲୋକେ ଉପକୃତ ହେବେ ବୋଲି ଆଶା କରାଯାଉଛି।

Advertisment

ସୂଚନାନୁଯାୟୀ, ନାବାର୍ଡ ଅନୁଦାନରେ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିସନ ଏବଂ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଅନ୍ତର୍ଗତରେ ରାଜ୍ୟରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ନରାଜରୁ ମହାନଦୀ ପାଣି ଆସିବା ପରେ ବାଆଁରାସ୍ଥିତ ଜଳ ବିଶୋଧନ ପ୍ରକଳ୍ପରେ ପାଣି ବିଶୋଧିତ ହେବ। ଗ୍ରାମାଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରାୟ ୧୫ ବର୍ଷ ପୂର୍ବରୁ ଏଥିପାଇଁ ସର୍ଭେ କାର୍ଯ୍ୟ କରାଯାଇଥିଲା। ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ର ବିଭିନ୍ନ ପଞ୍ଚାୟତର ଅପହଞ୍ଚ ଗାଁଗୁଡ଼ିକ ଚିହ୍ନଟ କରାଯାଇଥିଲା। କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରିନଥିଲା। ମାର୍ଚ୍ଚ ମାସରୁ ନିର୍ମାଣ ଆରମ୍ଭ ହୋଇଛି। ଖୋର୍ଧା ଜିଲ୍ଲାର ୬୩ ଗ୍ରାମପଞ୍ଚାୟତର ୪ ଲକ୍ଷ ୧୬ ହଜାର ଲୋକଙ୍କ ନିକଟରେ ପାଣି ପହଞ୍ଚାଇବା ପାଇଁ ପ୍ରକଳ୍ପ କାର୍ଯ୍ୟ କରୁଛି।
କିନ୍ତୁ ଏହା ସତ୍ତ୍ବେ ନିକଟରେ ରାଜଧାନୀରେ ଗଢ଼ି ଉଠୁଥିବା ଅନେକ ଅଞ୍ଚଳ କିନ୍ତୁ ଏହି ପ୍ରକଳ୍ପରୁ ବାଦ୍‌ ପଡ଼ିବା ନେଇ ଆଶଙ୍କା ରହିଛି। ପ୍ରାୟ ୧୫ ବର୍ଷ ପୂର୍ବର ସର୍ଭେକୁ ଆଧାର କରି ଏହି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ଏଭଳି ଆଶଙ୍କା କରାଯାଉଛି।

ଭୁବନେଶ୍ବର ଏମ୍‌ସ ନିକଟସ୍ଥ ସିଜୁଆ ଅଞ୍ଚଳରେ କିଛି ବର୍ଷ ପୂର୍ବରୁ ଗଢ଼ିଉଠିଥିବା ଜନବସତି ଅଞ୍ଚଳ ଏଥିରୁ ବାଦ୍‌ ପଡ଼ିବ। ନା ମେଗା ଜଳ ପ୍ରକଳ୍ପ ନା ବସୁଧା ପ୍ରକଳ୍ପରେ ଏହି ଅଞ୍ଚଳକୁ ସାମିଲ୍‌ କରାଯାଇଛି। ନୂତନ ଭାବେ ଗଢ଼ିଉଠିଥିବା ଅଞ୍ଚଳକୁ ଜଳ ଯୋଗାଣ ପାଇଁ ପୁନର୍ବାର ଆଉ ଏକ ସର୍ଭେ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ତମାଣ୍ଡୋ ନୂଆସାହିରେ ୧୫ ବର୍ଷ ପୂର୍ବରୁ ଏଠାରେ ପାଣି ପାଇପ ଯାଇଥିଲା। କିନ୍ତୁ ମାତ୍ର ଗୋଟିଏ ଦିନ ପାଣି ଆସିବା ପରେ ବୈଷୟିକ ତ୍ରୁଟି ଯୋଗୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଏତେ ବର୍ଷ ମଧ୍ୟରେ ସେହି ପାଇପ ତା’ର ଅସ୍ତିତ୍ବ ହରାଇଛି। ଏହି ଅଞ୍ଚଳକୁ ବସୁଧାରେ ସାମିଲ କରିବା ନେଇ ଅନିଶ୍ଚିତତା ରହିଛି। ପ୍ରଶାସନ ଏଥିପ୍ରତି କେତେ ଦୃଷ୍ଟି ଦେବେ ଦେଖିବାକୁ ବାକି ରହିଲା।