ଜରିପାଲ ତଳେ ଶୋଇଲେ ଆଇଟିଆଇ ଛାତ୍ର

କାଳବୈଶାଖୀରେ ଉପୁଡ଼ିଲା ୧୭ ବିଦ୍ୟୁତ୍‌ ଖୁଣ୍ଟ

ବାଲିପାଟଣା : ବାଲିପାଟଣା ବିଦ୍ୟୁତ୍‌ ବିଭାଗ ଅଧୀନ ବାଳକାଟିରୁ ବାଲିପାଟଣା ମଧ୍ୟରେ ଥିବା ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟରୁ ୧୭ଟି ଗତକାଲି କାଳବୈଶାଖୀରେ ଉପୁଡ଼ି ପଡ଼ିଛି। ୧୧ କେଭିର ବହୁ ବିଦ୍ୟୁତ୍‌ ଖୁଣ୍ଟ ରାସ୍ତା ଉପରେ ନଇଁ ପଡ଼ିଛି। ସରାଟ ଚଣାହଟା ମଧ୍ୟରେ ସରାଟ ଶାସନରେ ଅନେକ ଖୁଣ୍ଟ ବିପଦସଂକୁଳ ଅବସ୍ଥାରେ ରହିଛି। ଗତକାଲିଠାରୁ ବାଲିପାଟଣା ଅଞ୍ଚଳ ଅନ୍ଧାରରେ ରହିଛି। ନିର୍ବାହୀ ଯନ୍ତ୍ରୀ ଆଜି କାମ ତଦାରଖ କରିଛନ୍ତି। ଗତ ୧୫ ଦିନ ତଳେ ପୋତା ଯାଇଥିବା ଖୁଣ୍ଟ ଗୁଡ଼ିକ ହାଲୁକା ପବନରେ ଉପୁଡ଼ି ପଡ଼ିବା ନେଇ କାମର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପରପକ୍ଷରେ ବିଦ୍ୟୁତ୍‌ ମରାମତି କାମ କରିବାକୁ ଆସିଥିବା ଆଇଟିଆଇ ଛାତ୍ର କାଲି ରାତିରେ ଜରି ପାଲ ଭିତରେ ଶୋଇଥିଲେ। ସେମାନଙ୍କୁ ବୁଦ୍ଧନା‌ଥ ହାଇସ୍କୁଲରେ ରହିବା ବ୍ୟବସ୍ଥା ହୋଇଥିବା ବେଳେ ଗତକାଲିର ବର୍ଷା ଦାଉ ସାଧିଥିଲା। ବାତ୍ୟାରେ ଆଜବେଷ୍ଟସ୍‌ ଭାଙ୍ଗିଯାଇଥିବାରୁ ସେମାନଙ୍କ ସମସ୍ତ ଜିନିଷପତ୍ର ଓଦା ହୋଇଯାଇଥିଲା। ସ୍କୁଲ ଗୃହର କାନ୍ଥ ନଥିବାରୁ ବର୍ଷା ପାଣିରେ ଚଟାଣ ସମ୍ପୂର୍ଣ୍ଣ ଭିଜି ଯାଇଥିଲା। ଫଳରେ ଆଇଟିଆଇ ଛାତ୍ରମାନେ ଜରି ପାଲ ପକାଇ ତା’ ଭିତରେ ରାତି କାଟିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ଦେଢ଼ ଶହ ପିଲାଙ୍କୁ ରାତାରାତି ଶିଶିଲୋ ହାଇସ୍କୁଲ ଓ ଶିଶୁ ଅନନ୍ତ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ନେଇ ଛାତ୍ରମାନେ ବିଭାଗୀୟ ଅବହେଳାକୁ ଦାୟୀ କରିଥିଲେ।

ସମ୍ବନ୍ଧିତ ଖବର