ଇଟିକିଲି ମିଟିକିଲି ଚିତ୍ରାଙ୍କନ ପ୍ରଦର୍ଶନୀ

ଭୁବନେଶ୍ବର: ଶିଶୁଭିତ୍ତିକ ଅନୁଷ୍ଠାନ ‘ଇଟିକିଲି ମିଟିକିଲି’ ପକ୍ଷରୁ କୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ସଚେତନତା ସୃଷ୍ଟି ତଥା ନିଜ ପ୍ରତିଭାର ପରିପ୍ରକାଶ ପାଇଁ ଆଜି ଜୟଦେବ ଭବନଠାରେ ଦୁଇ ଦିବସୀୟ ଚିତ୍ରାଙ୍କନ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ନିକଟ ଅତୀତରେ ଦୁର୍ନୀତି ନିବା‌ରଣ ସପ୍ତାହ ଯାଇଥିବାରୁ ‘ଦୁର୍ନୀତିକୁ ନା’ ଓ ‘ଦୁର୍ନୀତିମୁକ୍ତ ଭାରତ’ ଶୀର୍ଷକରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୮୨ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପୂର୍ବରୁ ଆୟୋଜିତ ଏକ ପ୍ରତିଯୋଗିତାର ଚିତ୍ରାଙ୍କନ ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା। ଏଥିସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ‘ଫୁଲ କୁଣ୍ଡ’ ଓ ‘ଫୁଲ ବଗିଚା’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାର ୧୦୦ରୁ ଊର୍ଧ୍ବ ଚିତ୍ରାଙ୍କନ ମଧ୍ୟ ପ୍ରଦର୍ଶିତ ହୋଇଛି। ଇଟିକିଲି ମିଟିକିଲିର ସଭାପତି ଦାଶ ବେନହୁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଆୟକର ଆୟୁକ୍ତ ଶରତ କୁମାର ଦାଶ ଓ ଏମ୍‌ସିଏଲ୍‌ର ମୁଖ୍ୟ ସତର୍କତା ଅଧିକାରୀ ମୁନୱାର ଖୁର୍ସିଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦର୍ଶନୀର ଶ୍ରେଷ୍ଠ ୧୪ଟି ଚିତ୍ରାଙ୍କନକୁ ନେଇ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ସଂସ୍ଥା ଏମ୍‌ସିଏଲ୍‌ ପକ୍ଷରୁ ୨୦୧୯ ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ଖୁର୍ସିଦ କହିଛନ୍ତି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଶରତ କୁମାର ନାୟକ ସଂଯୋଜନା କରିଥିବା ବେଳେ ସହ-ସଂପାଦକ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦିକା ଅନୀତା ରଥ, ସଂଯୋଜକ ଚିତ୍ତ ମହାପାତ୍ର, ପ୍ରିୟଦର୍ଶୀ ଶୁଭକାନ୍ତ, ତପତି ପାଣିଗ୍ରାହୀ, ପ୍ରତିମା ମିଶ୍ର ଓ ପ୍ରବୀଣା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ପୁରୁଷ ହକି ବିଶ୍ବକପ୍‌ ଅବ୍ୟବହିତ ପୂର୍ବରୁ କୁନି ପିଲାମାନଙ୍କ ମନରେ ହକି ପ୍ରତି ସଚେତନତା ତଥା ଉତ୍ସାହ ସୃଷ୍ଟି ଉଦ୍ଦେଶ୍ୟରେ ଆସନ୍ତାକାଲି ଏକ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର