ଭୁବନେଶ୍ୱର: ଗତ ବର୍ଷ ସେପ୍ଟେମ୍ବର ୯ ତାରିଖ ଦିନ ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଶତାବ୍ଦୀନଗର ଦେଇ ଯାଇଥିବା ମୁକୁଳା ଡ୍ରେନ୍‌ରେ ଭାସିଯାଇ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ପ୍ରବଳ ବର୍ଷାରେ ଜଳ ନିଷ୍କାସନ ହୋଇ ପାରୁନଥିବାରୁ ଭୁବନେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନୂଆ କଥା ନଥିଲା। ହେଲେ ଏହି କୃତ୍ରିମ ବନ୍ୟାରେ ଜଣେ ବାଳକ ଭାସି ଯାଇ ପ୍ରାଣ ହରାଇବା ବଡ଼ କଥା ଥିଲା। ଯାହାକୁ ନେଇ ବିଏମ୍‌ସି ଅପବାଦ ମୁଣ୍ଡାଇବା ସହ ତତ୍ପର ହୋଇଥିଲା। ସମସ୍ତ ଡ୍ରେନ୍‌ରେ ଲୁହା ବାଡ଼ ବାନ୍ଧିବା ସହ ଜଳ ନିଷ୍କାସନ ସମସ୍ୟାକୁ ଦୂର କରିବା ପାଇଁ ଡ୍ରେନ୍‌ଗୁଡ଼ିକୁ ଚଉଡ଼ା କରିବାକୁ ଯୋଜନା କରିଥିଲା। ଏଥିପାଇଁ କ୍ୟାବିନେଟ୍‌ ମଞ୍ଜୁରି ମଧ୍ୟ ମିଳିଥିଲା। ଏହା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା।

Advertisment

ହେଲେ ଏବେ ବି ଶତାବ୍ଦୀନଗରସ୍ଥିତ ଉକ୍ତ ଡ୍ରେନ୍‌ରେ ସ୍ଥିତି ଯେମିତି ଥିଲା ଠିକ୍‌ ସେମିତି ଅଛି। ଯେଉଁଠି ଅଘଟଣ ଘଟିଥିଲା ସେଇଠି ବାଉଁଶ ବାଡ଼ ଦିଆଯାଇଛି। ୯ ମାସ ଧରି ଲାଗିଥିବା ବାଉଁଶ ବାଡ଼ ଏବେ ଦୁର୍ବଳ ହୋଇଗଲାଣି। ଆଗକୁ ବର୍ଷା ଋତୁ ଆସୁଛି। ଜଳ ନିଷ୍କାସନ ପାଇଁ ହୋଇଥିବା ଯୋଜନା ଆଗେଇ ପାରୁନଥିବାରୁ ପୁଣି କୃତ୍ରିମ ବନ୍ୟା ହେବା ଥୟ ହୋଇଛି। ବାଉଁଶ ବାଡ଼ ଦୁର୍ବଳ ହୋଇ ଯାଇଥିବାରୁ ଏଠାରେ ପୁଣି ଅଘଟଣ ଘଟିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ଅନ୍ୟ ସମସ୍ତ ଜାଗାରେ ଲୁହାବାଡ଼ କରାଯାଇଥିଲେ ମଧ୍ୟ ଅଘଟଣ ଘଟିଥିବା ସ୍ଥାନ‌ରେ କାହିଁକି ବାଉଁଶ ବାଡ଼ ଦିଆଯାଇଛି ସେ ନେଇ ମଧ୍ୟ ବିଏମ୍‌ସି ପାଖରେ ମଧ୍ୟ ଉତ୍ତର ନାହିଁ।

ତେବେ କେବଳ ଏହି ଅଘଟଣ ଘଟିଥିବା ସ୍ଥାନ ନୁହେଁ, ବରଂ ଅନେକ ଜାଗାରେ ଡ୍ରେନ୍‌ ମୁକୁଳା ରହିଥିବା ବେଳେ କେତେକ ଡ୍ରେନ୍‌ ଉପରେ ଅତି ନିମ୍ନମାନର ସ୍ଲାବ୍‌ ପଡ଼ିଛି। ଏଣୁ ଅନେକ ସ୍ଥାନରେ ମଧ୍ୟ ଶତାବ୍ଦୀନଗର ଭଳି ପରିସ୍ଥିତି ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି। ସହର ଭିତର ଦେଇ ଜାତୀୟ ରାଜପଥ, ପୂର୍ତ୍ତ ଓ ବିଏମ୍‌ସିର ଡ୍ରେନ୍‌ ଯାଇଛି। ତିନୋଟିଯାକ ବିଭାଗର ଡ୍ରେନ୍‌ରେ ସମାନ ଅବସ୍ଥା ରହିଛି। ବର୍ଷାଋତୁ ଆରମ୍ଭ ପୂର୍ବରୁ ଏସବୁକୁ ବ୍ୟବସ୍ଥିତ ନ କଲେ, ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏନେଇ ବିଏମ୍‌ସି ପକ୍ଷରୁ କୁହାଯାଇଛି କି ସମସ୍ତ ଡ୍ରେନ୍‌ ସଫେଇ ଆରମ୍ଭ ହୋଇଯାଇଛି। ଜୁନ୍‌ ୧୫ ସୁଦ୍ଧା ସଫା କାମ ଶେଷ ହୋଇଯିବ। ସ୍ଲାବ୍‌ର ଅବସ୍ଥା ପରୀକ୍ଷା କରାଯାଉଛି। ଯେଉଁଗୁଡ଼ିକ ଭାଙ୍ଗିଯିବା ଭଳି ଅବସ୍ଥାରେ ରହିଛି ତାହା ପରିବର୍ତ୍ତନ କରିବାକୁ କୁହାଯାଇଛି।

ବର୍ଷା ପୂର୍ବରୁ ଏ ସବୁକୁ ବ୍ୟବସ୍ଥିତ କରାଯିବ। କେତେକ ଗୁରୁତ୍ବପୂର୍ଣ୍ଣ ଜାଗାରେ ନୂଆ ଡ୍ରେନ୍‌ ନିର୍ମାଣ କରାଯିବା ସହ ପୁରୁଣା ଡ୍ରେନ୍‌କୁ ପୁନରୁଦ୍ଧାର ମଧ୍ୟ କରାଯାଇଛି। ଏଣୁ କୌଣସି ଅଘଟଣ ଯେଭଳି ଘଟିବ ନାହିଁ, ସେନେଇ ବିଏମ୍‌ସି ବ୍ୟବସ୍ଥା କରୁଛି। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୧୯ ତାରିଖରେ ଟ୍ୟୁସନ୍‌ ଯାଉଥିବା ବେଳେ ବରମୁଣ୍ଡା ଗାଁ ଢିପସାହି ୪୨୦ ନମ୍ବର ପ୍ଲଟ୍‌ରେ ରହୁଥିବା ହୃଷୀକେଶ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ପ୍ରବଳ ବର୍ଷା ପରେ ରାସ୍ତାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାରେ ସାଇକେଲ୍‌ ସହ ଭାସି ଯାଇଥିଲେ। ପରଦିନ ୧୦ ନମ୍ବର ପ୍ରାକୃତିକ ନାଳରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।