ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚାଲିଥିବା ଘରକୁ ଘର ଆବର୍ଜନା ସଂଗ୍ରହ ଓ ରାସ୍ତାଘାଟ ସଫେଇ ବ୍ୟବସ୍ଥା ସ୍ଥାଣୁ ପାଲଟିଛି। ଚାରିଦିନ ହେଲାଣି ରାଜଧାନୀରୁ ଅଳିଆ ଉଠିନି। ଯେଉଁଥିପାଇଁ ରାସ୍ତାରେ କୁଢ଼କୁଢ଼ ଆବର୍ଜନା ଗଦା ହେଲାଣି। ସେପ‌ଟେ ବୋଝ ଉପରେ ନଳିତା ବିଡ଼ା ସାଜିଛି ପାର୍ବଣ ଆବର୍ଜନା। ଦୀପାବଳିରେ ଫୁଟିଥିବା ବାଣର ଆବର୍ଜନା ସେହିଭଳି ସାହି ଗଳିକନ୍ଦିରେ ପଡ଼ିରହିଛି। ଦୋଷ ଲୁଚାଇବା ପାଇଁ ଠିକାସଂସ୍ଥାମାନେ କେବଳ ଭିଆଇପି, ଭିଭିଆଇପି ଅଞ୍ଚଳରେ ସଫେଇ କାମକରି ଦାୟିତ୍ବ ‌ସାରି ଦେଇଛନ୍ତି। ଏଣୁ ଭୁବନେଶ୍ବର ମହାନଗର ନିଗମ ପାଖକୁ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି। ମାଳମାଳ ଅଭିଯୋଗ ଏତେ ମୁଣ୍ଡବିନ୍ଧା କଲାଣି ଯେ ଶେଷରେ ଭୁବନେଶ୍ବର ମହାନଗର ନିଗମ କମିସନର୍‌ ଏଥିରେ ହସ୍ତକ୍ଷେପ କରିଛନ୍ତି। ଅଭିଯୋଗକାରୀଙ୍କ ଟ୍ବିଟ୍‌ ଓ ଅନ୍ୟାନ୍ୟ ଅଭିଯୋଗକୁ ଅଧିକାରୀ ଓ ଠିକାସଂସ୍ଥାମାନଙ୍କୁ ପଠାଇ ତାଗିଦ କରିଛନ୍ତି। ତଥାପି ଠିକାସଂସ୍ଥାମାନେ ଚୁପ୍‌ହୋଇ ବସିଛନ୍ତି। ଟଙ୍କା ବାକି ଥିବା ଆଳରେ କାମ କରୁନାହାନ୍ତି। ତିନିମାସ ହେଲାଣି ସେମାନଙ୍କ ପ୍ରାପ୍ୟ ମିଳୁ ନଥିବା ଓ ଦରମା ନ ଦେଇପାରିବାରୁ ସଫେଇ କର୍ମଚାରୀମାନେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଥିବାରୁ ଏଭଳି ସ୍ଥିତି ଲାଗି ରହିଛି ବୋଲି କହୁଛନ୍ତି।

Advertisment

ଘରକୁ ଘର ଆବର୍ଜନା ସଂଗ୍ରହ, ରାସ୍ତାଘାଟ ସଫେଇ ପାଇଁ ଭିନ୍ନ ଭିନ୍ନ ଠିକାସଂସ୍ଥାକୁ ନିୟୋଜିତ କରିଛି ବିଏମ୍‌ସି। ଅଭିଯୋଗ ପାଇ ସମୟରେ ସଫାସୁତରା ପାଇଁ ବିଏମ୍‌ସି ସ୍ବତନ୍ତ୍ର ‘ସଫା’ ଆପ୍‌ବି ବିକଶିତ କରିଛି। କିନ୍ତୁ ଏହା କେବଳ ଲୋକଦେଖାଣିଆ। ଠିକାସଂସ୍ଥାମାନେ ସଫେଇ କର୍ମଚାରୀଙ୍କୁ ଦରମା ଦେଉ ନଥିବାରୁ ସେମାନେ ଅଳିଆ ଉଠାଉ ନାହାନ୍ତି। ଏଣୁ ସଫେଇକୁ ନେଇ ଚାରିଦିନ ହେଲାଣି ଅଚଳାବସ୍ଥା ଜାରି ରହିଛି। ଅଭିଯୋଗ କଲେ ବି ଫଳଶୂନ। ୨୩ ନମ୍ବର ୱାର୍ଡରେ ପରିମଳ ଅବ୍ୟବସ୍ଥା ସଂପର୍କରେ ଇଂ. ଦିବ୍ୟ ମଲ୍ଲିକ, ବିଏମ୍‌ସି ମେୟର, କମିସନର୍‌ପ୍ରମୁଖଙ୍କୁ ଅଭିଯୋଗ କରିଥିଲେ। ୨୩ ନମ୍ବର ୱାର୍ଡରେ ପରିମଳ ସ୍ଥିତି ଉପରେ ଫଟୋ ସମ୍ବଳିତ ତଥ୍ୟ ବି ପ୍ରଦାନ କରିଥିଲେ। କିନ୍ତୁ ଅଦ୍ୟାବଧି ୨୩ ନମ୍ବର ୱାର୍ଡର ଚିତ୍ର ବଦଳିପାରିନି। ସେହିଭଳି କୁଢ଼ କୁଢ଼ ଆବର୍ଜନା ଚାରିଆଡ଼େ ଗଦା ହୋଇ ରହିଛି। ୨୩ ନମ୍ବର ୱାର୍ଡ ସଂପର୍କରେ ଚିନ୍ତାମଣି ରାଉତ ଓ ଅନ୍ୟମାନେ ବି ସମାନ ଅଭିଯୋଗ ଆଣିଛନ୍ତି। ୫ ଦିନ ହେଲାଣି ସେମାନଙ୍କ ଅଞ୍ଚଳରୁ ଅଳିଆ ଉଠୁ ନଥିବା ଅଭିଯୋଗ କରିଛନ୍ତି।

ହେଲ୍‌ପଲାଇନ୍‌ନମ୍ବର ୧୯୨୯ରେ ବି ଏମାନେ ଅଭିଯୋଗ କରି ଜଣାଇଛନ୍ତି। ତଥାପି ତାଙ୍କ ଅଞ୍ଚଳରୁ ଅଳିଆ ଉଠୁ ନଥିବା ସେ ଅଭିଯୋଗ କରିଛନ୍ତି। ସମାନ ସ୍ଥିତି ବିଏମ୍‌ସିର ତିନି ଜୋନ୍‌ରେ। କେବଳ ବଡ଼ବଡ଼ିଆଙ୍କ ଅଞ୍ଚଳ ଛାଡ଼ିଦେଲେ, ଅନ୍ୟ କୌଣସିଠାରେ ଝାଡ଼ୁ ବାଜୁନି କି ଅଳିଆ ଉଠୁନି। ଯଦି କୌଣସି ଅଞ୍ଚଳରେ ଠିକ୍‌ରେ ସଫାସୁତରା ନ ହୁଏ, ସେଥିପାଇଁ ବିଏମ୍‌ସି ସଂପୃକ୍ତ ଏଜେନ୍ସି ତଥା ଠିକାସଂସ୍ଥାକୁ ଜରିମାନା କରିପାରିବ। ସଂପୃକ୍ତ ଏଜେନ୍ସିର ପ୍ରାପ୍ୟକୁ କାଟି ଦେଇ ପାରିବ। କିନ୍ତୁ ଅଦ୍ୟାବଧି ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସଂପୃକ୍ତ ଠିକାସଂସ୍ଥାଙ୍କ ମନମୁଖୀ କାର୍ଯ୍ୟକଳାପ ବଢ଼ିଚାଲିଥିବା ଚର୍ଚ୍ଚା ହେଉଛି।