ପୁରୁଣା ଭୁବନେଶ୍ୱର: ବର୍ଷା ଦିନେ ଗଙ୍ଗନଗର ଅଞ୍ଚଳରେ ଥିବା ସ୍ୱିଟି ହାଉସିଂ କମ୍ପ୍ଲେକ୍ସ ଫେଜ୍ରେ ବିଷମ ପରିସ୍ଥିତି ସୃଷ୍ଟି ହେଉଛି। ବର୍ଷା ଦିନେ ସେଠାରେ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ଜମି ରହୁଛି। ସେଠାରେ ଯାଇଥିବା ୭ନଂ ଡ୍ରେନ୍ରୁ ମାଟି ବାହାର କରା ନଯିବାରୁ ବର୍ଷା ପାଣି ସ୍ଥାନୀୟ ଅଞ୍ଚଳକୁ ବୁଡ଼ାଇ ଦେଉଛି। ଏନେଇ ସ୍ଥାନୀୟ ଲୋକ ଅଭିଯୋଗ କରିବା ପରେ ବିଏମ୍ସି ପକ୍ଷରୁ ଏହାର ଅନୁଧ୍ୟାନ କରାଯାଇଛି।
ସୂଚନା ଅନୁଯାୟୀ, ଗଙ୍ଗନଗରରେ ନିର୍ମିତ ସ୍ୱିଟି ହାଉସିଂ କମ୍ପ୍ଲେକ୍ସ ଫେଜ୍-୨ରେ ୪ଟି ଲେନ୍ରେ ଥିବା ୫୨ଟି ହାଉସିଂବୋର୍ଡ ଘର ସମେତ ଶତାଧିକ ପରିବାର ୨୦ ବର୍ଷ ଧରି ରହୁଛନ୍ତି। ଏହା ତଳିଆ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ସମୟରେ ବର୍ଷା ପାଣି ଆସି ଏଠାରେ ଜମି ରହେ। ଏଥିସହ ରାଜଧାନୀର ମୁଖ୍ୟ ଡ୍ରେନ୍ ନଂ-୭କୁ ଏହାର ସଂଯୋଗ ଥିବାରୁ ଡ୍ରେନ୍ଗୁଡ଼ିକ ପୋତି ହେବା ସହ ବର୍ଷା ହେଲେ ପାଣି ନିଷ୍କାସନ ସମସ୍ୟା ଦେଖା ଦେଉଛି। ପ୍ରକାଶ ଥାଉକି, ରାଜଧାନୀର ମୁଖ୍ୟ ଡ୍ରେନ୍ ନଂ-୭ ବରମୁଣ୍ଡା ଅଞ୍ଚଳରୁ ବାହାରି ଗଙ୍ଗନଗରର ଦେଇ ଏରୋଡ୍ରମ୍ ଅଞ୍ଚଳ ନବୀନ ନିବାସ ପଛପଟେ ପୁରୁଣା ଭୁବନେଶ୍ବର ଲୁଇସ୍ ରୋଡ଼୍ ଦେଇ ଗଙ୍ଗୁଆରେ ମିଶିଛି। ଗଙ୍ଗନଗର ଅଞ୍ଚଳରେ ଏହି ମୁଖ୍ୟ ଡ୍ରେନ୍ରେ ବିଭିନ୍ନ ଛୋଟ ନଳା ମିଶିଛି। ଡ୍ରେନ୍ଗୁଡ଼ିକ ବର୍ଷା ପୂର୍ବରୁ ସଫେଇ ନ ହେବାରୁ ମୁଖ୍ୟ ଡ୍ରେନ୍ ସମେତ ଛୋଟ ନଳାଗୁଡ଼ିକ ପୋତି ହୋଇ ସମସ୍ୟା ସୃଷ୍ଟି ହୋଇଛି। ୨୦ବର୍ଷ ଧରି ଲୋକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହୋଲଡିଂ ଟ୍ୟାକ୍ସ ନେଇଥିଲେ ମଧ୍ୟ ବିଏମ୍ସି ହାତ ବନ୍ଦକରି ବସିଛି। ଏନେଇ ବିଏମ୍ସିକୁ ବାରମ୍ବାର ଅନୁରୋଧ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସ୍ଥାନୀୟ ସୋସାଇଟିର ସଭାପତି ସୋମନାଥ ରଥଙ୍କ କହିବା ଅନୁଯାୟୀ, ବିଭିନ୍ନ କାରଣରୁ ମୁଖ୍ୟ କେନାଲ ଓ ତାହାର ଶାଖା ଡ୍ରେନ୍ ପୋତି ହୋଇଥିବା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଏଠାରେ ଥିବା ଘରମାନଙ୍କରେ ପ୍ରାୟ ୩ ଫୁଟର ପାଣି ପଶୁଛି। ଫଳରେ ରହିବାରେ ବହୁତ ଅସୁବିଧା ହେଉଛି। ସୋସାଇଟିର ସମ୍ପାଦକ ନିରଞ୍ଜନ ମିଶ୍ର କୁହନ୍ତି, ବର୍ଷା ହେଲେ ପାଣି ଜମିବା ନିତିଦିନିଆ ସମସ୍ୟା ହୋଇଛି। ଗତ କାଳବୈଶାଖୀ ବର୍ଷା ପରେ ଆଣ୍ଠୁଏ ଲେଖାଏଁ ଉଚ୍ଚର ପାଣି ଜମିଥିଲା। ଏଠାରେ ଥିବା କୂଅ, ବୋରିଂ ଆଦି ଜଳ ଉତ୍ସ ଗୁଡ଼ିକ ମଧ୍ୟ ପ୍ରଦୂଷିତ ହେଉଛି। ଏନେଇ ବିଏମ୍ସି ଡେପୁଟି କମିସନର ଅଂଶୁମାନ ରଥ କୁହନ୍ତି ଏହି ଡ୍ରେନ୍ଗୁଡ଼ିକ ବିଏମ୍ସି ପକ୍ଷରୁ ଅନୁଧ୍ୟାନ କରାଯାଇଛି। ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ।