ଭୁବନେଶ୍ବର: ଗଣତନ୍ତ୍ରର ଚାରି ସ୍ତମ୍ଭ ଏବେ ଅବକ୍ଷୟର ଚରମ ସୀମାରେ ପହଞ୍ଚିଛି। ଶାସନର ଚାବି କାଠି ଧରିଥିବା ବ୍ୟକ୍ତି କ୍ଷମତା ଜାବୁଡ଼ି ଧରିବାର ଲାଳସାରେ ସବୁ ସୀମା ଲଘଂନ କରୁଛି। ସମ୍ପ୍ରତି ରାଜ୍ୟ ଓ ଦେଶ ଏକ ସଙ୍କଟ ସମୟ ଦେଇ ଗତିକରୁଛି। ଏଭଳି ସମୟରେ ସମସ୍ତଙ୍କୁ ଠିକ୍ ବାଟ ଦେଖାଇବା ଗଣମାଧ୍ୟମର ପ୍ରଥମ କାମ। ସତ୍ୟ ଓ ଧର୍ମର ଜୟକୁ କେହି ରୋକି ପାରିବେ ନାହିଁ। ତେଣୁ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ‘ବଡ଼ଖବର’ ଭଳି ସାହାସ କରି ଆଗକୁ ବଢ଼ିବା ଦ୍ବାରା ଗଣତନ୍ତ୍ର ସମୃଦ୍ଧ ହେବ। ଆଜି ଜୟଦେବ ଭବନରେ ‘ବଡ଼ଖବର’ର ସ୍ବନକ୍ଷତ୍ର ଦିବସ ଅବସରରେ ଆୟୋଜିତ ‘ପୁନର୍ଜନ୍ମ’ ଉତ୍ସବର ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଏହା କହିଛନ୍ତି।
ଏହି ଅବସରରେ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ। ୧୯୭୮ ମସିହାରେ ରତ୍ନଭଣ୍ଡାରର ଅଳଙ୍କାର ଗଣିବା ପାଇଁ ୭୨ ଦିନ ଲାଗିଥିଲା। କିନ୍ତୁ ଏବେ ସରକାର ମାତ୍ର ୯ ଦିନ ଭିତରେ ଅଳଙ୍କାର ଗଣିବେ ବୋଲି କହୁଛନ୍ତି। ଏହା କିଭଳି ସମ୍ଭବ ବୋଲି ସେ ପ୍ରଶ୍ନ କରିବା ସହ ସରକାର ମିଛ କହି ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି କଂଗ୍ରେସ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଲେ ଯେ ଏବେ ସାଧାରଣ ସ୍ୱରକୁ ବନ୍ଦ କରିବାକୁ ବିଭିନ୍ନ କଳବଳ ଓ ଅସ୍ତ୍ର ପ୍ରୟୋଗ କରାଯାଉଛି। ବର୍ତ୍ତମାନ ସମୟରେ ଶେଷ ଅସ୍ତ୍ର ହେଉଛନ୍ତି ଜନସାଧାରଣ। ତେଣୁ ଚିନ୍ତାଶୀଳ ବ୍ୟକ୍ତିମାନେ ଆଗକୁ ଆସିଲେ, ପୁଣି ସୁଶାସନ ପ୍ରତିଷ୍ଠା ହେବ। ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର କହିଲେ ବର୍ତ୍ତମାନ ସମୟରେ ନୀତି ନୈତିକତା ବୋଲି କିଛି ନାହିଁ। ସାମ୍ବାଦିକମାନଙ୍କୁ ଆହ୍ବାନ ଦେଇ ସେ ଓଡ଼ିଶାରେ ଘଟୁଥିବା ସବୁ ସତ ଘଟଣାଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ କହିଥିଲେ। ସମ୍ମାନିତ ଅତିଥି ଭାବେ ସାଧାରଣ ଲୋକଙ୍କ ପ୍ରତିନିଧି ଭାବେ ହେମନ୍ତ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବଡ଼ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସମ୍ପଦ ମହାପାତ୍ରଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ଏବଂ ୩୫ ଜଣଙ୍କୁ ‘ବିପଦର ବନ୍ଧୁ’ ସମ୍ମାନ ପ୍ରଦାନ କରାଯାଇଥିଲା। ସିଓଓ କୀର୍ତ୍ତିକ୍ ଚନ୍ଦ୍ର ରାୟ ଧନ୍ୟବାଦ ଦେଇଥିଲେ। କିଶନ ବରାଇ କାର୍ଯ୍ୟକ୍ରମ ପରିଚାଳନା ଓ ଲିନି ପଟ୍ଟନାୟକ ମଂଚ ସଂଯୋଜନା କରିଥିଲେ।