ଖଣ୍ଡଗିରି: ବୟସର ମାପ କାଠିରେ ଯୌବନକୁ ମାପ ନାହିଁ। ପ୍ରବଳ ଇଚ୍ଛାଶକ୍ତି ହିଁ କେବଳ ଯୌବନର ମାପକାଠି। ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ ହେଲେ ହିଁ ସଫଳତା ମିଳିବ। ସମ୍ବିଧାନରେ ମଧ୍ୟ ଏହାକୁ ମାର୍ଗଦର୍ଶିକା ହିସାବରେ ଗ୍ରହଣ କରାଯାଇଛି। ସେହିପରି ଗଣତାନ୍ତ୍ରିକ ଅନୁଷ୍ଠାନର ଅବକ୍ଷୟ ହେଉଛି ବୋଲି ଭାରତରେ ଯେତେ ଚର୍ଚ୍ଚା ହେଉଛି, ସେଭଳି ଚର୍ଚ୍ଚା ବିଶ୍ବରେ ହେଉନାହିଁ। କିନ୍ତୁ ଆମକୁ ମନେ ରଖିବାକୁ ହେବ, ଗଣତନ୍ତ୍ରକୁ ସୁରକ୍ଷା ଦେବାଲାଗି ଫାସିବାଦ ବିରୋଧରେ ଦ୍ବିତୀୟ ବିଶ୍ବଯୁଦ୍ଧ ହୋଇଥିଲା। ଆଜି ଯେତେବେଳେ ଗଣତାନ୍ତ୍ରିକ ଅନୁଷ୍ଠାନର ଅବକ୍ଷୟ ହେଉଛି, ସମ୍ବିଧାନର ଅବମାନନା ହେଉଛି, ସେଭଳି ସମୟରେ ଯୁବକଙ୍କ ମଧ୍ୟରେ ଏପରି ଘଟଣାକୁ ନେଇ କିଛି ମତମନ୍ତବ୍ୟ ପ୍ରକାଶ ପାଇବା ଭଳି ମନେ ହେଉନାହିଁ। ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଆମେ ଦ୍ବିତୀୟ ବିଶ୍ବଯୁଦ୍ଧ ଲଢ଼ିଲେ। ହେଲେ ଗଣତନ୍ତ୍ର ସୁରକ୍ଷିତ ଅଛି ବୋଲି ଆମର ବିଶ୍ବାସ ହେଉନାହିଁ।
ଏ ସମ୍ପର୍କରେ ଯୁବକମାନେ ଆଲୋଚନା କରିବା କଥା। ଆଜି ସୁମାକର କେନ୍ଦ୍ର, ଆଡ୍ସ ଆଣ୍ଡ ଏଫ୍ଇଏସ୍ ଓ ନିସ୍ର ମିଳିତ ସହଯୋଗରେ ଆୟୋଜିତ ‘ବିକାଶରେ ଯୁବବର୍ଗର ଭୂମିକା’ ଶୀର୍ଷକ ସମ୍ପାନରେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ଯୁବ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଆହୁରି କହିଲେ, ସମାଜରେ ଘଟିଥିବା ସବୁ ବିପ୍ଳବ, ପରିବର୍ତ୍ତନ ଓ ନୂଆକଥା ଯୁବବନ୍ଧୁଙ୍କ ଉଦ୍ୟମରେ ହୋଇଛି। ତେଣୁ ତାଙ୍କ ଭିତରେ ଜଳିଥିବା ସେହି ବତୀକୁ ପୁଣି ଜଳାଇବାର ସମୟ ଆସିଛି। ସେହିଭଳି ସବୁ ସମାନ କରିବାର ଯେଉଁ କଥା ରହିଛି, ତାହା କେବେ ହୋଇ ପାରିବ ନାହିଁ। ବିସମତା ସବୁବେଳେ ରହିବ, ତାହା ମଧ୍ୟ ନୁହେଁ। ଭାରତୀୟ ପରମ୍ପରା ଏ ପ୍ରକାରର ସମସ୍ୟାର ସମାଧାନ ପାଇଁ ଆମକୁ ଅନେକ ମନ୍ତ୍ର ଦେଇଛି। ଦେବାର ଯେଉଁ ପରମ୍ପରା ଭାରତୀୟ ସଂସ୍କୃତିରେ ଅଛି ତାକୁ ଅଗ୍ରାଧିକାର ଦେଇ ଯଦି ସମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାନ୍ତା, ତାହାଲେ ଆମେ ଏହା ନିକଟରେ ପହଞ୍ଚି ପାରନ୍ତେ। କାର୍ଯ୍ୟକ୍ରମରେ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ସୋସିଆଲିଜିମ୍ର ସେକ୍ରେଟେରି ଜେନେରାଲ ଡିକେ ଗିରି, ସୁମାକର ସୋସାଇଟି ଦିଲ୍ଲୀର ନିର୍ଦ୍ଦେଶିକା ସୁଶାନ ଚେରିଆନ୍, ଫେଡ୍ରିକ୍ ଏବର୍ଟ ଷ୍ଟିଫଙ୍ଗ୍ର କଣ୍ଟ୍ରି ନିର୍ଦ୍ଦେଶକ ଖ୍ରୀଷ୍ଟଫ ପି ମୋହର, ପ୍ ରୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ପୂର୍ବତନ ପ୍ରଶାସକ କରୁଣାକର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ‘ବିକାଶରେ ଯୁବ ବର୍ଗର ଭୂମିକା’ ସମ୍ପର୍କରେ ମତ ରଖିଥିଲେ।
ଏହି ଅବସରରେ ୨ଟି ଅଧିବେଶନ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନରେ ପରିବେଶବିତ୍ ଦିଲୀପ ଶ୍ରୀଚନ୍ଦନ, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ପୂର୍ବତନ କୁଳପତି ସୁଧାକର ପଣ୍ଡା, ସେଣ୍ଟର ଫର୍ ପବ୍ଲିକ୍ ପଲିସି ଅଲ୍ଟରନେଟିଭର ନିର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକ ଏବଂ ଦ୍ବିତୀୟ ଅଧିବେଶନରେ ସୁଶାନ ଚେରିଆନ୍, ସମାଜସେବୀ ବିଶାଖା ଭଞ୍ଜ, ଟ୍ରାଇବାଲ୍ ଏକାଡେମିର ଭାନୁମତି ସିଂହ ଯୋଗଦେଇ ଚର୍ଚ୍ଚା କରିଥିଲେ। ସେହିପରି ଆୟୋଜିତି ଏକ ଗୋଷ୍ଠୀ ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ନାଗେଶ୍ବର ପଟ୍ଟନାୟକ, ଏଫ୍ଇଏସ୍ର ପ୍ରୋଗ୍ରାମ ମ୍ୟାନେଜର ଅନୁରାଗ ଶଙ୍କର, ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ସୋସିଆଲିଜିମ୍ର ଜେନେରାଲ ଶ୍ରୀ ଗିରି ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଦୁଷ୍ମନ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ। ସିଇଓ ସ୍ମୃତି ସୁଧା ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।