ଭୁବନେଶ୍ୱର: ସୁନ୍ଦରପଦା ପରେ ସିଲ ହେଲା ଯଦୁପୁର ଓ ବେଗୁନିଆ

ଭୁବନେଶ୍ୱର: ସୁନ୍ଦରପଦା ପରେ ଭୁବନେଶ୍ୱର ମହାନଗର ନିଗମ ୬୪ ନମ୍ବର ୱାର୍ଡ ଅନ୍ତର୍ଗତ ଯଦୁପୁର ଓ ବେଗୁନିଆକୁ ସିଲ କରିଛି । ଫଳରେ ଏହି ଅଂଚଳର ଲୋକେ ଘରୁ ବାହାରକୁ ବାହାରି ପାରିବେ ନାହିଁ । ରାଜଧାନୀର ଅନ୍ୟ ଅଂଚଳର ଲୋକେ ମଧ୍ୟ ଏହି ଅଂଚଳକୁ ପ୍ରବେଶ କରିପାରିବେ ନାହିଁ ବୋଲି ବିଏମସି ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ଯଦୁପୁର ଓ ବେଗୁନିଆକୁ ବିଏମସି ଅବରୋଧ ଅଂଚଳ ଘୋଷଣା କରିଛି ।

ବେଗୁନିଆର ପାଲାମଣ୍ଡପ ଛକଠାରୁ ଯଦୁପୁର ପର୍ଯ୍ୟନ୍ତ, ପାଣିଟାଙ୍କି ଠାରୁ ଯଦୁପୁର ଗାଁ, ମୁଖ୍ୟ ରୋଡ ଅଟୋ ଷ୍ଟାଣ୍ଡ ଠାରୁ ଯଦୁପୁର ଗାଁ ଓ ଆମ୍ବେଦକର ଶିକ୍ଷା କେନ୍ଦ୍ର ଠାରୁ ଯଦୁପୁର ଗାଁ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି ।

ଏକ ବିଜ୍ଞପ୍ତି ଜରିଆରେ ବିଏମସି କହିଛି, ଏହି ନିଷିଦ୍ଧାଂଚଳରେ କେହି ଯିବାଆସିବା କରିପାରିବେ ନାହିଁ । ଏହି ସମସ୍ତରେ ସମସ୍ତେ ଘରେ ରହିବେ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦି ପ୍ରଶାସନ ଯୋଗାଇବେ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ବନ୍ଦ ରହିବ । ବିଏମସି ଏହି ଅଂଚଳରେ ୪ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।

ସାନିଟେସନ ପାଇଁ ଡ. ଦେବୀକାରାଣୀ ଧାମିଲ (ମୋବାଇଲ, ୯୪୩୭୦୨୮୯୪୫), ଯୋଗାଣ ପାଇଁ କମଲଜୀତ ଦାସ (ମୋବାଇଲ, ୯୪୩୯୪୩୧୬୭୨), ସ୍ୱାସ୍ଥ୍ୟ ପାଇଁ ଡ. ମଧୁସ୍ମିତା ପ୍ରହରାଜ (ମୋବାଇଲ, ୮୩୨୮୯୨୦୧୨୮) ଓ ଆକ୍ଟିଭ ସରଭାଇଲେନ୍ସ ପାଇଁ ଡ. ଦେବଜୀତ ପରିଡା (ମୋବାଇଲ ୭୦୭୭୩୨୪୭୪୫)ଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର