ଯଦୁପୁର ସିଲ୍ : ପ୍ରଥମ ଦିନରେ କେବଳ କ୍ଷୀର ଯୋଗାଣ

୪ ତେଜରାତି ଦୋକାନୀଙ୍କୁ ଅନୁମତି, ମଙ୍ଗଳବାର ଯିବେ ଡାକ୍ତରୀ ଟିମ୍‌

ଭୁବନେଶ୍ବର : ରବିବାର ଅପରାହ୍‌ଣରୁ ବିଏମ୍‌ସି ୬୪ ନମ୍ବର ୱାର୍ଡର ଯଦୁପୁର ଓ ତା’ର ସଂଲଗ୍ନ ବେଗୁନିଆ ଅଞ୍ଚଳକୁ ସିଲ୍ କରାଯାଇଛି। ସୋମବାର ପ୍ରଥମ ଦିନରେ ଏହି ଅଞ୍ଚଳକୁ କେବଳ କ୍ଷୀର ଯୋଗାଣ କରାଯାଇଥିବା ବେଳେ ତେଜରାତି ଓ ପରିବାପତ୍ର ଯୋଗାଣ ହୋଇପାରିନାହିଁ। ତେଣୁ ଆଜି ଏଠିକାର ଅଧିବାସୀମାନେ ବେଶ୍ କିଛି ସମସ୍ୟାରେ ପଡ଼ିଥିବା ଅଭିଯୋଗ କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାରଠାରୁ ଏଠାରେ ୪ ଜଣଙ୍କୁ ତେଜରାତି ବେପାର କରିବା ପାଇଁ ଅନୁମତି ମିଳିଥିବାରୁ ଲୋକମାନେ ଆଶ୍ବସ୍ତ ହୋଇଛନ୍ତି।

ଏହି ଅଞ୍ଚଳର କିଛି ବ୍ୟକ୍ତି ମହାମାରୀ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି ବିଏମ୍‌ସି ପକ୍ଷରୁ ଏଠାରେ ନାକାବନ୍ଦୀ କରାଯାଇଛି। ଗତକାଲି ସଟ୍‌ଡାଉନ୍‌ ହଟିବା ପୂର୍ବରୁ ଏହି ଅଞ୍ଚଳକୁ ସିଲ୍ କରାଯାଇଥିଲା। ଫଳରେ ଆଜି ସକାଳୁ ଏଠିକାର ଅଧିବାସୀମାନେ ବାହାରକୁ ବଜାର କରି ଯାଇ ପାରିନଥିଲେ। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ବିଏମ୍‌ସି ପକ୍ଷରୁ ମଧ୍ୟ ହଠାତ୍ କିଛି ବ୍ୟବସ୍ଥା କରି ହୋଇନଥିଲା। ଫଳରେ ସକାଳେ ଲୋକେ କ୍ଷୀର ପାଇଲେ ନାହିଁ କି ରୋଷେଇ କରିବା ପାଇଁ ପରିବାପତ୍ର ପାଇଲେ ନାହିଁ। ଘରେ ଯାହା ଥିଲା ସେଥିରେ କ‌ଷ୍ଟେମଷ୍ଟେ କାମ ଚଳେଇନେଲେ। ଅପରାହ୍‌ଣରେ ଓମ୍‌ଫେଡ୍ ଗାଡ଼ି ଆସିଥିଲା ଓ ଲୋକେ କ୍ଷୀର କିଣିଥିଲେ।

ପୂର୍ବତନ କର୍ପୋରେଟର ମୁଜାହିଦ ହୁସେନଙ୍କ ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ପାଖାପାଖି ୩୫୦ ପରିବାର ରହୁଛନ୍ତି। ଆଜି ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଘରଘର ବୁଲିଛନ୍ତି ଓ ପ୍ରାୟ ୧୦୦ ପରିବାରର ଡାଟା ସଂଗ୍ରହ କରିଛନ୍ତି। ଆସନ୍ତାକାଲିଠାରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଏଠାରେ ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯାଞ୍ଚ କରିବ। ସ୍ଥାନୀୟ ଅଧିବାସୀମାନେ ବିଏମ୍‌ସିର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହେବାକୁ ଥିବା ସମସ୍ତ ପ୍ରକାର ଯାଞ୍ଚର ସମ୍ମୁଖୀନ ହେବାକୁ ସେମାନେ ପ୍ରସ୍ତୁତ ଓ ଏଥିରେ ବିଭାଗକୁ ସେମାନେ ସହଯୋଗ କରିବେ ବୋଲି ଜଣାଇଛନ୍ତି। ତେବେ ଏହି ଯାଞ୍ଚ ପ୍ରକ୍ରିୟା ତୁରନ୍ତ ସାରିବାକୁ ସେମାନେ ଅନୁରୋଧ କରିଛନ୍ତି। କାରଣ ନାକାବନ୍ଦୀ ଭିତରେ ବାସନ୍ଦ ହୋଇ ରହିବା ଯେତିକି ଖରାପ ଲାଗୁଛି, କରୋନା ସଂକ୍ରମଣକୁ ତା’ଠାରୁ ଅଧିକ ଭୟ ଲାଗଛି। ସେହିଭଳି ବିଭିନ୍ନ କାମଧନ୍ଦାରେ ନିୟୋଜିତ ବହ‌ୁ ଗରିବ ଲୋକେ ରୋଜଗାର ହରାଇ ଘରେ ବସି ରହିବା ଆହୁରି କଷ୍ଟଦାୟକ ହୋଇପଡ଼ୁଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର