ଜାଗା ମିସନ୍‌: ୧୪ ଏସ୍‌ଡିଏଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଏପ୍ରିଲ୍‌ରେ ବଣ୍ଟା ହେବ ୫୦ ହଜାର ଜମି ଅଧିକାର ପ୍ରମାଣପତ୍ର, ଡ୍ରୋନ୍‌ ସର୍ଭେରୁ ବାଦ୍‌ ୧୩୨ ବସ୍ତି, ବିକଳ୍ପ ପାଇଁ ମାନସମନ୍ଥନ

ଭୁବନେଶ୍ବର: ଜାଗା ମିସନକୁ ନେଇ ବିବାଦ ଥମୁନି। ଏବେ ଚାଲିଥିବା ସର୍ଭେରେ ବସ୍ତି ଉନ୍ନୟନ ସଂଘ(ଏସ୍‌ଡିଏ)ର ହସ୍ତକ୍ଷେପ ସୀମା ଲଂଘିଛି। ନିଜ ସ୍ବାର୍ଥ ସାଧନ କରିବାକୁ ଯାଇ ଏସ୍‌ଡିଏ ଏହି ସର୍ଭେ ତାଲିକାରୁ ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ଦେଉଛି। ଏଭଳି ଅଭିଯୋଗ ଦିନକୁ ଦିନ ବଢ଼ି ବଢ଼ି ଯାଉଛି। ଏ ଯାବତ୍‌ ବିଏମ୍‌ସି ୧୪ ଏସ୍‌ଡିଏଙ୍କୁ କୈଫିୟତ ତଲବ କରିଥିବା ବେଳେ ୯ ଜଣ ଉତ୍ତର ଦେଇଛନ୍ତି। କିନ୍ତୁ ଉତ୍ତର ସନ୍ତୋଷଜନକ ହୋଇ ନାହିଁ। ବାକି ୫ଟି ସଂଘର ଉତ୍ତର ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି କହିଛି। ସରକାର ଏହି ମିସନକୁ ଗୁରୁତ୍ବ ଦେଇଛନ୍ତି। ବସ୍ତିକୁ ଉଚ୍ଛେଦ ନ କରି ସେମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଦେବା ପାଇଁ ଘୋଷଣା କରିଛନ୍ତି। ଏହି କ୍ରମରେ ଏପ୍ରିଲ୍‌ ସୁଦ୍ଧା ଭୁବନେଶ୍ବରରେ ୫୦ ହଜାର ବସ୍ତିବାସିନ୍ଦାଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ସର୍ଭେ କରାଯିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏଭଳି ସ୍ଥିତିରେ ଏସ୍‌ଡିଏଙ୍କ ବେଆଇନ ହସ୍ତକ୍ଷେପ ଏହି ମିସନ୍‌ରେ ବାଧକ ସାଜିଛି। ଏଣୁ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଏମ୍‌ସି ପ୍ରକ୍ରିୟା ଆରମ୍ଭ କରିଛି।

ଏଭଳି ଅଭିଯୋଗ ନିୟମିତ ଆସୁଛି। କେତେକ ଏସ୍‌ଡିଏ ଏକ ପ୍ରକାର ଦଲାଲ ସାଜିଛନ୍ତି। ନାଁ ଯୋଡ଼ିବା ଓ ନାଁ କାଟିବା ପାଇଁ ‌ମୋଟା ଅଙ୍କର ହାତଗୁଞ୍ଜା କାରବାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ବିଏମ୍‌ସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗର ତଦନ୍ତ କରୁଛନ୍ତି। ପ୍ରମାଣ ମିଳିବା ପରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଉଛି। ତେବେ ଏହାକୁ କିଭଳି ଜଗିବେ ସେ ନେଇ ବିଏମ୍‌ସି ଚିନ୍ତାରେ ପଡ଼ିଛି। କେବଳ ଅଭିଯୋଗ ଆସିଲେ ତାହାର ସମାଧାନ କରାଯାଉଥିବା ବେଳେ ଯେଉଁଠି ଅଭିଯୋଗ ଆସୁନାହିଁ କିମ୍ବା ହିତାଧିକାରୀ ଜାଣି ପାରୁ ନାହାନ୍ତି ସେଠାରେ କଣ କରାଯିବ ସେ ନେଇ ମାନସମନ୍ଥନ ଆରମ୍ଭ ହୋଇଛି। ସର୍ଭେ କରୁଥିବା ଘରୋଇ ସଂସ୍ଥାକୁ ଏହା ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ସେହିଭଳି ଅନେକ ଜାଗାରେ ବସ୍ତିବାସିନ୍ଦା ସର୍ଭେର ବିରୋଧ କରୁଛନ୍ତି। ସରକାର ନିର୍ଦ୍ଦିଷ୍ଟ ପରିମାଣର ଜମି ଉପରେ ଅଧିକାର ପ୍ରମାଣପତ୍ର ଦେବା ଯୋଜନା କରିଥିବା ବେଳେ ସେମନେ ଅଧିକ ଜମି ମାଡ଼ି ବସିଛନ୍ତି। ପ୍ରମାଣପତ୍ର ମିଳିବା ପରେ ଅତିରିକ୍ତ ଜମି ଜବରଦଖଲ ମୁକ୍ତ ହେବା ସହ ସରକାରଙ୍କ ଦଖଲକୁ ଚାଲିଯିବ। ଏହି ଭୟରେ ସେମାନେ ସର୍ଭେ କରାଇ ଦେଉ ନାହାନ୍ତି। ଯେଉଁଠି ଏଭଳି ସମସ୍ୟା ହେଉଛି ସେଠାରେ ସର୍ଭେ ହୋଇପାରୁ ନାହିଁ। ଫଳରେ ସେମାନେ ଏହି ମିସନ୍‌ରୁ ବାଦ୍‌ ପଡ଼ିବା ସହ ଭବିଷ୍ୟତରେ ଜବରଦଖଲ ଉଚ୍ଛେଦର ଶିକାର ହେବା ଆଶଙ୍କା ସୃଷ୍ଟି ହୋଇଛି। ଅଦ୍ୟାବଧି ୪ଟି ବସ୍ତିରେ ଏଭଳି ସମସ୍ୟା ହୋଇଛି।

ଅନ୍ୟପଟେ ସର୍ଭେ ସମୟରେ ବିଚିତ୍ର କଥା ପଦାକୁ ଆସିଛି। ବସ୍ତିରେ ଘର କରି ରହୁଥିବା କେତେକ ବାସିନ୍ଦା ଘର ଭଡ଼ା ଦେଇଛନ୍ତି। ଆଉ କେତେକ ବାହାରେ ରହୁଥିବା ବେଳେ ବସ୍ତି ଭିତରେ ଘର କରି ଭଡ଼ା ଦେଇଛନ୍ତି। ଏବେ ସର୍ଭେ ଚାଲିଛି। ସର୍ଭେ ସମୟରେ ଯିଏ ଘରେ ରହୁଥିବ ତା’ନାମରେ ଭୂମି ଅଧିକାର ପ୍ରମାଣପତ୍ର ମିଳିବାକୁ ଥିବାରୁ ଏହି ଅସାଧୁ ଗୋଷ୍ଠୀ ଚିନ୍ତାରେ ପଡ଼ିବା ସହ ଭଡ଼ାଟିଆଙ୍କୁ ଘରୁ ବାହାର କରି ନିଜ ନିଜ ସମ୍ପର୍କୀୟଙ୍କ ନାମ ତାଲିକାରେ ଚଢ଼ାଉଛନ୍ତି। ଏଥିରେ ଏସ୍‌ଡିଏମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଏଣୁ ଯେଉଁମାନେ ଭଡ଼ା ରହୁଛନ୍ତି ସେମାନେ ଏ ନେଇ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି କହିଛି। ଡ୍ରୋନ୍‌ ଜରିଆରେ ଏହି ସର୍ଭେ ହେଉଛି। ବିମାନବନ୍ଦର ନିକଟରେ ଡ୍ରୋନ୍‌ ଉଡ଼ାଇବା ପାଇଁ କର୍ତ୍ତୃପକ୍ଷଙ୍କର ସ୍ବୀକୃତି ଆବଶ୍ୟକ ପଡ଼ିଥାଏ। ଏଣୁ ବିମାନବନ୍ଦର ପାଖାପାଖି ରହିଥିବା ବସ୍ତିଗୁଡ଼ିକ ସର୍ଭେ ପାଇଁ ଡ୍ରୋନ୍‌ ଉଡ଼ାଇବାକୁ ବିଏମ୍‌ସି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ମଧ୍ୟ ସ୍ବୀକୃତି ମିଳିନାହିଁ। ଫଳରେ ଏଠାରେ ଥିବା ପ୍ରାୟ ୧୩୨ ବସ୍ତିର ସର୍ଭେ ହୋଇ ପାରିନାହିଁ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସମସ୍ତ ସର୍ତ୍ତରେ ବିଏମ୍‌ସି ରାଜି ଥିଲେ ମଧ୍ୟ ଦୁଇ ମାସ ହେଲା ସ୍ବୀକୃତି ମିଳୁନାହିଁ। ଏହି ବସ୍ତିବାସିନ୍ଦା ବାଦ୍‌ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ବିଏମ୍‌ସି ମାନସମନ୍ଥନ କରିଛି। ସାଟେଲାଇଟ୍‌ ମ୍ୟାପ୍‌ ଜରିଆରେ ସର୍ଭେ କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର