ଗୌରାଙ୍ଗ ଦାଶଙ୍କୁ ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ସାରସ୍ବତ ସାଧକ ଜଗବନ୍ଧୁ ସିଂହଙ୍କ ୧୪୪ତମ ଜୟନ୍ତୀ ଉତ୍ସବ ଅବସରରେ ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଗୌରାଙ୍ଗ ଚରଣ ଦାଶଙ୍କୁ ‘ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି। ଉତ୍ସବରେ ପୌରୋହିତ୍ୟ କରି ଆଚାର୍ଯ୍ୟ ଭାବାନନ୍ଦ ଡକ୍ଟର ଦାଶଙ୍କୁ ୧୦ ହଜାର ଟଙ୍କା ଅର୍ଥରାଶି ଓ ମାନପତ୍ର ସମ୍ବଳିତ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଉତ୍ସବରେ ଅବସରପ୍ରାପ୍ତ ପ୍ରଫେସର ତଥା ଗବେଷକ ଦେବେନ୍ଦ୍ର କୁମାର ଦାଶ ମୁଖ୍ୟ ଅତିଥି ଓ ସଂସ୍କୃତି ଗବେଷକ ଡକ୍ଟର ଅସିତ ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗଦେଇ ଜଗବନ୍ଧୁ ସିଂହଙ୍କ ଜୀବନ ଓ ସାଧନା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜଗବନ୍ଧୁ ସିଂହ ସ୍ମାରକୀ ନ୍ୟାସ ପକ୍ଷରୁ ଅଧ୍ୟକ୍ଷା ସୁଜାତା ସିଂହ ସଭାର ସଂଯୋଜନା କରିଥିଲେ। ଏହି ଅବସରରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ରମେଶ ମଲ୍ଲିକ ଓ ରମାଦେବୀ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସଂଘମିତ୍ରା ଭଞ୍ଜ ଯୋଗଦେଇ ଜଗବନ୍ଧୁ ସିଂହଙ୍କ ବିଭିନ୍ନ ସାରସ୍ବତ କୃତୀ ସଂପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର