ଗଳ୍ପ-ପାଠକୀୟତାର ପ୍ରାଞ୍ଜଳ ଧାରା ବ୍ୟାହତ ହୋଇଛି

ଜଗଦୀଶ ମହାନ୍ତି ଜୟନ୍ତୀ ଉତ୍ସବ

ନେତାଜୀ ଅଭିନନ୍ଦନଙ୍କୁ ‘ଜଗଦୀଶ ଯୁବ ସମ୍ମାନ’
ଶ୍ୟାମାପ୍ରସାଦ ଚୌଧୁରୀଙ୍କୁ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର : ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ କେଶରୀଠାରେ ‘ଜଗଦୀଶ ଜୟନ୍ତୀ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଥାକାର ରାମଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଲେଖକ ପ୍ରଦୀପ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ଓଡ଼ିଆ କଥା ସାହିତ୍ୟର ଜଣେ ଟ୍ରେଣ୍ଡ୍‌ ସେଟର୍‌ ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ଅବର୍ତ୍ତମାନରେ ଗଳ୍ପ-ପାଠକୀୟତାର ଏକ ପ୍ରାଂଜଳ ଧାରା ବ୍ୟାହତ ହୋଇଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଚଳିତ ବର୍ଷର ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ କଥାକାର ଶ୍ୟାମାପ୍ରସାଦ ଚୌଧୁରୀଙ୍କୁ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ୧୦ ହଜାର ଟଙ୍କା ଓ ମାନପତ୍ର ଦିଆଯାଇଥିଲା। ସେହିପରି ‘ଜଗଦୀଶ ଯୁବ ସମ୍ମାନ’ ଗାଳ୍ପିକ ନେତାଜୀ ଅଭିନନ୍ଦନଙ୍କୁ ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ୩ ହଜାର ଟଙ୍କା ଓ ମାନପତ୍ର ଦିଆଯାଇଛି। ଉତ୍ସବରେ ଟାଇମ୍‌ପାସ୍‌ ପ୍ରକାଶନୀ ପକ୍ଷରୁ ଜଗଦୀଶ ମହାନ୍ତିଙ୍କ ‘ସୃଜନ ସମଗ୍ର’ର ତୃତୀୟ ଭାଗ ଓ ଶ୍ୟାମାପ୍ରସାଦ ଚୌଧୁରୀଙ୍କ ଗଳ୍ପ ସଂକଳନ ‘କାପୁରୁଷର ଗୋଡ଼ ଓ ଅନ୍ୟାନ୍ୟ ଗଳ୍ପ’ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ ହୋଇଥିଲା। କଥାକାର ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଟ୍ରଷ୍ଟ୍‍ର ସଂପାଦକ ସରୋଜ ବଳ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର