ଜଗଦୀଶ କଥା ସମ୍ମାନ ପାଇବେ ନିବାରଣ ଜେନା, ଶକ୍ତି ମହାନ୍ତିଙ୍କୁ ଜଗଦୀଶ ଯୁବ ସମ୍ମାନ

ଭୁବନେଶ୍ବର: ସାହିତ୍ୟିକ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି। ପ୍ରବୀଣ କଥାକାର ନିବାରଣ ଜେନା ଚଳିତଥର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଯୁବ ଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ ପାଇଁ ଚଳିତବର୍ଷ ଯୋଗ୍ୟ ବିବେଚିତ ହୋଇଛନ୍ତି କବି ଓ କଥାକାର ଶକ୍ତି ମହାନ୍ତି।

ଆସନ୍ତା ୧୭ ତାରିଖରେ କେଶରୀ ହୋଟେଲରେ ଆୟୋଜିତ ହେବାକୁ ଥିବା ଜଗଦୀଶ ଜୟନ୍ତୀ ଉତ୍ସବରେ ବିଶିଷ୍ଟ କଥାକାର ଦାଶ ବେନହୁର, ପବିତ୍ର ପାଣିଗ୍ରାହୀ ପ୍ରମୁଖ ଅତିଥିଙ୍କ ଗହଣରେ ପ୍ରତିଭାଦ୍ବୟଙ୍କୁ ପୁରସ୍କୃତ କରାଯିବ। ଏହି ଅବସରରେ ଜଗଦୀଶ ମହାନ୍ତିଙ୍କ ରଚନା ସମ୍ପର୍କିତ ଆଲୋଚନା, ଗଳ୍ପପାଠ ଆଦି ଆୟୋଜିତ ହେବ। କାର୍ଯ୍ୟକ୍ରମରେ ସାହିତ୍ୟାନୁରାଗୀମାନେ ଯୋଗଦେବାକୁ ଟ୍ରଷ୍ଟର ଅଧ୍ୟକ୍ଷା ଡ. ସରୋଜିନୀ ସାହୁ ଓ ସଂପାଦକ ସରୋଜ ବଳ ଅନୁରୋଧ କରିଛନ୍ତି। ୨୦୧୪ ମସିହାରୁ ପ୍ରଦାନ କରାଯାଇ ଆସୁଥିବା ଜଗଦୀଶ କଥା ସମ୍ମାନ ପୂର୍ବରୁ କଥାକାର ପ୍ରକାଶ ମହାପାତ୍ର, ସଦାନନ୍ଦ ତ୍ରିପାଠୀ, ରଜନୀକାନ୍ତ ମହାନ୍ତି, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକ, ଅଜୟ ସ୍ବାଇଁଙ୍କ ପରି ଖ୍ୟାତନାମା କଥାକାରମାନେ ପାଇ ସାରିଛନ୍ତି।

ସମ୍ବନ୍ଧିତ ଖବର