ଭୁବନେଶ୍ବର: ଜାଗା ମିସନ୍କୁ ବିବାଦ ପିଛା ଛାଡ଼ୁନି। ଏପ୍ରିଲରେ ୫୦ ହଜାର ଜମି ଅଧିକାର ପ୍ରମାଣପତ୍ର ବାଣ୍ଟିବାକୁ ଯୋଜନା ଥିବା ବେଳେ ବିବାଦ କିନ୍ତୁ ବଢ଼ିବାରେ ଲାଗିଛି। ଉପକଣ୍ଠ ପଞ୍ଚାୟତ ଅଧୀନରେ ଥିବା ମହାବୀର ବସ୍ତିକୁ ଜାଗା ମିସନ ସର୍ଭେରେ ସାମିଲ କରି ଏବେ ବିଏମ୍ସି ହରଡ଼ଘଣାରେ ପଡ଼ିଛି। ସେଠାରେ ପ୍ରାୟ ୪୧୬ବାସିନ୍ଦାଙ୍କର ସର୍ଭେ ହୋଇଥିବା ବେଳେ ବିଏମ୍ସି ମାତ୍ର ୩୫ ଜଣଙ୍କୁ ଯୋଜନାରେ ସାମିଲ କରିଛି। ଏହାକୁ ନେଇ ଏହି ବସ୍ତିର ଶତାଧିକ ବାସିନ୍ଦା ଦାୟିତ୍ବରେ ଥିବା ବିଏମ୍ସି ଅଧିକାରୀଙ୍କୁ ଘେରିଛନ୍ତି। ତେବେ ଜଙ୍ଗଲ କିସମ କହି ଲୋକଙ୍କୁ ବୁଝାଇ ସୁଝାଇ ଫେରାଇ ଦେଇଛନ୍ତି। କିନ୍ତୁ ଘଟଣା ଉଗ୍ର ରୂପ ନେବାରେ ଲାଗିଛି। ଏ ସବୁକୁ ଆଧାର କରି ବିଜେପି ଆସନ୍ତା ୩୧ ତାରିଖ ଦିନ ବିଏମ୍ସି ଅଫିସ୍ ଘେରିବାକୁ ଯୋଜନା କରିଛି। ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, ଜାଗା ମିସନ ସର୍ଭେରେ ଟଙ୍କା ନେଇ ନାଁ ଯୋଡ଼ା ହେଉଛି। ଏତେ ସବୁ ଅଭିଯୋଗ ପରେ ବି ବିଏମ୍ସି ନିରବ ବସିଛି। ସର୍ଭେ ଠିକ୍ ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ସେ କହିଛନ୍ତି। ଏ ନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜାଗା ମିସନ୍କୁ ନେଇ ବହୁତ ଅଭିଯୋଗ ଆସିଛି। କେତେକ ଏସ୍ଡିଏଙ୍କ ବିରୋଧରେ ପ୍ରମାଣ ଆସିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ସୂଚନାଯୋଗ୍ୟ, ବିଭିନ୍ନ ୱାର୍ଡରେ ସର୍ଭେ କରି ବିଏମ୍ସି ତାଲିକା ପ୍ରସ୍ତୁତ କରିଛି। ସେ ସବୁ ତାଲିକାକୁ ସମ୍ପୃକ୍ତ ବସ୍ତିରେ ଲଗା ଯିବା ସହ ଆପତ୍ତି/ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ତାହାର ଶେଷ ତାରିଖ ମାର୍ଚ୍ଚ ୨୯ ତାରିଖ ରହିଥିଲା। ରୁକୁଣା ରଥ ପାଇଁ ଛୁଟି ଘୋଷଣା ହେବାରୁ ଗତକାଲି (୨୮ତାରିଖରେ) ବିଏମ୍ସିରେ ପ୍ରବଳ ଭିଡ଼ ହୋଇଥିଲା। ଏଠାରେ ରଖାଯାଇଥିବା ଅଭିଯୋଗ ବାକ୍ସରେ ନ ପକାଇ ତାଲିକାରୁ ବାଦ୍ ପଡ଼ିଥିବା ବସ୍ତିବାସିନ୍ଦାମାନେ ଅଧିକାରୀଙ୍କୁ ଭେଟିଥିଲେ। ଏଥିପାଇଁ ବିଏମ୍ସିରେ ଉତ୍ତେଜନା ପ୍ରକାଶ ପାଇଥିଲା।