ଜଗନ୍ନାଥ ସେନାର ଡାକୋଟା ପୂଜାର୍ଚ୍ଚନା

ମୂଳ ରଙ୍ଗ, ଲୋଗୋ ସ୍ଥାପନା ପାଇଁ ଦାବି

ଭୁବନେଶ୍ୱର: ବିଜୁ ବାବୁଙ୍କ ଡାକୋଟାକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଶ୍ରୀଜଗନ୍ନାଥ ସେନା ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲା। ସେନାର ଚିଠି ଆଧାରରେ କେନ୍ଦ୍ରମନ୍ତ୍ରୀ ଡାକୋଟା ଫେରାଇ ନେବାକୁ ଅନୁମତି ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଏ ବାବଦରେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ପରାମର୍ଶ ଦେଇଥିଲେ। ସେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ବାବଦରେ ଦାବିପତ୍ର ପ୍ରଦାନ କରିଥିଲା।

ଏହା ପରେ ଡାକୋଟା ଓଡ଼ିଶା ଫେରି ଆସିବା ସହ ବିମାନବନ୍ଦରରେ ସ୍ଥାପିତ ହୋଇଛି। କିନ୍ତୁ ଶ୍ରେୟ ଦେବା ତ ଦୂରର କଥା, ସରକାର ଶ୍ରୀଜଗନ୍ନାଥ ସେନାକୁ ନିମନ୍ତ୍ରଣ ପତ୍ରଟିଏ ଦେବାକୁ ମନ କଲେ ନାହିଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ସେ କହିଛନ୍ତି ଡାକୋଟାକୁ ଆମେ ପୁରୀ ଆଣିବାକୁ ଦାବି କରିଥିଲୁ। ସେଠାରେ ଲକ୍ଷ ଲକ୍ଷ ଭକ୍ତ ଦେଖିବାର ସୁଯୋଗ ପାଇଥା’ନ୍ତେ। କିନ୍ତୁ ତାହା ହେଲା ନାହିଁ। ଡାକୋଟାରେ ବ୍ୟବହୃତ ହୋଇଥିବା ରଙ୍ଗ ଏହାର ମୂଳ ରଙ୍ଗ ନହେଁ। ‌ଏହାର ଲୋଗା ମଧ୍ୟ ନାହିଁ। ଏହା ନୀଳବର୍ଣ୍ଣ ଶୃଗାଳ ଭଳି ଦେଖାଯାଉଛି। ଏଣୁ ଡାକୋଟାରେ ମୂଳ ରଙ୍ଗ ସହ ଲୋଗୋ ସ୍ଥାପନ କରିବାକୁ ‌ସେ ଦାବି କରିଛନ୍ତି। ଏହି ଅବସରରେ ସେନା ପକ୍ଷରୁ ଧୂପ, ଦୀପ ଲଗାଯାଇ ପୂଜାର୍ଚ୍ଚନା କରାଯାଇଥିଲା।

ସମ୍ବନ୍ଧିତ ଖବର