ଭୁବନେଶ୍ବର : ଲୋକକବି ଜଗନ୍ନାଥ ପାଣିଙ୍କ ସ୍ମୃତିରେ ସଂସ୍କୃତି ଭବନଠାରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଜଗନ୍ନାଥ ପାଣି ସ୍ମୃତି ସଂସଦ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସଂସ୍କୃତି ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଊନବିଂଶ ଶତାବ୍ଦୀରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜଗନ୍ନାଥ ପାଣି ଲୋକ ରଚନା ଜରିଆରେ ଏକ ସାଂସ୍କୃତିକ ଜାଗରଣ ଆଣିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କବି ଉପେନ୍ଦ୍ର ପ୍ରସାଦ ନାୟକ କହିଲେ, ଲୋକକବି ଜଗନ୍ନାଥ ପାଣି ଥିଲେ ଓଡ଼ିଆ ଭାଷାର ଆଦି ଗୀତିନାଟ୍ୟକାର। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ପୂର୍ବତନ ସଚିବ ଧୀରେନ୍ଦ୍ର ନାଥ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜଗନ୍ନାଥ ପାଣିଙ୍କ ଲୀଳା, ସୁଆଙ୍ଗ ଓ ଛାନ୍ଦ ନାଟ୍ୟର ବହୁଳ ପ୍ରସାର ପାଇଁ ମଞ୍ଚାଭିନୟକୁ ପ୍ରୋତ୍ସାହିତ କରାଯିବା ଦରକାର ବୋଲି କହିଥିଲେ।

Advertisment

ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ସଭାରେ ଅଧ୍ୟକ୍ଷତା କରିଥିଲେ। ସେ କହିଲେ, ଜଗନ୍ନାଥ ପାଣି ତାଙ୍କ ରଚନାଗୁଡ଼ିକରେ ନାଟ୍ୟ ଭାଷାକୁ ଲୋକାଭିମୁଖୀ କରିଛନ୍ତି। ତାଙ୍କ ସାହିତ୍ୟର ପ୍ରସାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରଚେଷ୍ଟା ଚଳାଇଛି। ଏକାଡେମିର ଉପସଭାପତି ସଂଗ୍ରାମ ଜେନା ଲୋକକବିଙ୍କୁ ଲୋକ ହୃଦୟର କବି ବୋଲି ବର୍ଣ୍ଣନା କରିଥିଲେ। ଏକାଡେମି ସଚିବ ପ୍ରବୋଧ କୁମାର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ବରପୁତ୍ରମାନଙ୍କ ସ୍ମୃତିରକ୍ଷା ପାଇଁ ଏକାଡେମିର ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ। ଏକାଡେମିର ସାଧାରଣ ପରିଷଦ ସଦସ୍ୟା ଡ. ସୁନୀତି ମୁଣ୍ଡ ସଭା ସଂଯୋଜନା କରିଥିଲେ। ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଦେଇଥିଲେ। ପୂର୍ବାହ୍ନରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା କବିଙ୍କ ପ୍ରତିମୂର୍ତ୍ତିରେ ସଂସ୍କୃତି ବିଭାଗ, ଏକାଡେମି ଓ ଜଗନ୍ନାଥ ପାଣି ସ୍ମୃତି ସଂସଦ ପକ୍ଷରୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା।