ଭୁବନେଶ୍ବର: ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ପୁଲିସ ଗିରଫ।  କରିଛିଏହାକୁ ନେଇ ଆଜି ଭୁବନେଶ୍ବର ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ତାଙ୍କ ଗିରଫଦାରୀକୁ ବିରୋଧ କରି ସମର୍ଥକ ତଥା ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଜାତୀୟ ରାଜପଥ ଅବରୋଧ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ପୁଲିସ ଅଧିକାରୀମାନେ ଅଧଘଣ୍ଟା କାଳ ବୁଝାସୁଝା କରି ବହୁ କଷ୍ଟରେ ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିଥିଲେ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ବିକ୍ଷୋଭକାରୀମାନେ ଧାରଣାରୁ ହଟିଯାଇଥିଲେ।  

Advertisment

ଶ୍ରୀ ପ୍ରଧାନ ଝାରପଡ଼ାସ୍ଥିତ ନିଜ ବାସଭବନରୁ ବାହାରି ରାତି ପ୍ରାୟ ସାଢ଼େ ୯ଟାରେ ଡିସିପି ଅଫିସରେ ପହଞ୍ଚିଥିଲେ। ଏହି ଖବର ପ୍ରଚାରିତ ହେବା ପରେପରେ ତାଙ୍କର ଶହଶହ ସମର୍ଥକ ଡିସିପି ଅଫିସକୁ ଧାଇଁଆସିଥିଲେ। ଜଗନ୍ନାଥଙ୍କୁ ଗିରଫ ନ କରିବାକୁ ସମର୍ଥକମାନେ ନାରାବାଜି କରିଥିଲେ। ସେମାନେ ଡିସିପି ଅଫିସ ସମ୍ମୁଖରେ ଧାରଣାରେ ବସିଯିବାରୁ ରାସ୍ତା ଅବରୋଧ ହୋଇଯାଇଥିଲା। ସେହିଭଳି ସମର୍ଥକମାନେ ବାଣୀବିହାର ଛକରେ ରାସ୍ତାରୋକ କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜଗନ୍ନାଥଙ୍କୁ ଛାଡ଼ିଦେବାକୁ ଦାବି କରି ସମର୍ଥକମାନେ ହୋ-ହଲ୍ଲା କରିଥିଲେ। ଏହା ପୂର୍ବରୁ ଡିସିପି କାର୍ଯ୍ୟାଳୟରେ ପୁଲିସ ଛାଉଣି ଥିଲେ ମଧ୍ୟ ଜଗନ୍ନାଥଙ୍କ ସମର୍ଥକମାନଙ୍କୁ ବୁଝାଇବାକୁ ଯାଇ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ହଠାତ୍ କର୍ମୀମାନେ ବାଣୀବିହାର ଛକରେ ରାସ୍ତା ଅବରୋଧ କରି ବସିଯିବାରୁ ପରିସ୍ଥିତି ବିଗିଡ଼ିଯାଇଥିଲା। ରାସ୍ତାରୋକ ହେବା ଫଳରେ ଜାତୀୟ ରାଜପଥରୁ ସର୍ଭିସ୍‌ ରୋଡ୍‌କୁ ଆସୁଥିବା ଓ ଜନପଥରୁ ବାଣୀବିହାର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଗାଡ଼ିଗୁଡ଼ିକ ଲମ୍ବା ଲାଇନ୍‌ରେ ଭିଡ଼ରେ ଫସି ରହିଥିଲା। ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରୋକ ଲାଗି ରହିବା ଯୋଗୁ ଯାତାୟାତ ଠପ୍‌ ହୋଇଯାଇଥିଲା। ସର୍ଭିସ୍‌ ରୋଡ୍‌ ଜାମ୍‌ ହୋଇଯିବାରୁ କଟକ ପଟୁ ରସୁଲଗଡ଼ ଓଭରବ୍ରିଜ୍‌ରେ ଆସୁଥିବା ଗାଡ଼ିଗୁଡ଼ିକ ମଧ୍ୟ ଫସିରହିଥିଲେ। ବରିଷ୍ଠ ପୁଲିସ ଅଧିକାରୀମାନେ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ହଟିଥିଲେ। ଏହା ଭିତରେ ପୁଲିସ ଜଗନ୍ନାଥଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇସାରିଥିଲା।