ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନ ଝାରପଡ଼ା ଜେଲ୍ରୁ ବାହାରିଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଭୁବନେଶ୍ବର ଜିଲ୍ଲା ଏବଂ ଦୌରା ଜଜ୍ଙ୍କ ନ୍ୟାୟାଳୟରୁ ତାଙ୍କୁ ଜାମିନ ମିଳିଛି। ଆଜି ଅପରାହ୍ଣରେ ଝାରପଡ଼ା ଜେଲରୁ ମୁକୁଳିବା ପରେ ବାଜା ବଜାଇ, ବାଣ ଫୁଟାଇ ତାଙ୍କୁ ସ୍ବାଗତ କରାଯାଇଥିଲା। ବିରାଟ ଶୋଭାଯାତ୍ରାରେ ଜେଲ୍ ନିକଟରୁ ଝାରପଡ଼ା ବିଜେପି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ। ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମୁଁ ସଂଶ୍ଳିଷ୍ଟ ନୁହେଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗଜନ୍ନାଥ।
ଏହି ଆକ୍ରମଣ ଘଟଣାରେ ପୂର୍ବରୁ ୫ ଜଣ ଗିରଫ ହୋଇଥିଲେ ମଧ୍ୟ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଓଏଏସ୍ ସଂଘ ଜିଦ୍ରେ ଅଟଳ ରହିଥିଲା। ଏଥିପାଇଁ ଅକଳରେ ପଡ଼ିଥିଲେ ସରକାର। ଶେଷରେ ଡିସିପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିଲେ ଜଗନ୍ନାଥ। ଅତିରିକ୍ତ କମିସନରଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ଗିରଫ କରିଥିଲା ପୁଲିସ। ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଥିଲା। ତେଣୁ ଶୀଘ୍ର ଜାମିନ ମିଳିବ ନାହିଁ ବୋଲି ଆଲୋଚନା ହେଉଥିଲା। ହେଲେ ଆଜି ସକାଳେ ତାଙ୍କୁ ଜାମିନ ମଳିଥିଲା। ସନ୍ଧ୍ୟାରେ ଜେଲ୍ରୁ ବାହାରିବା ଖବର ପାଇ ଶହ ଶହ ସଂଖ୍ୟାରେ ସମର୍ଥକ ଜେଲ୍ ସମ୍ମୁଖରେ ଅପେକ୍ଷା କରି ରହିଥିଲେ। ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଜଗନ୍ନାଥଙ୍କୁ ସ୍ବାଗତ କରିଥିଲେ। ସନ୍ଧ୍ୟାରେ ଏକ ରୋଡ୍ ସୋ’ କରି ଜଗନ୍ନାଥ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାର୍ଯ୍ୟାଳୟରେ ପହଞ୍ଚି ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।
ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ମୁଁ ଆଇନକୁ ମାନିଛି। ଆଗକୁ ମଧ୍ୟ ମାନିବି। ବିଚାରାଳୟର ନିଷ୍ପତ୍ତିକୁ ସମ୍ମାନ ଦେଉଛି। ଗତ ୩୦ରେ ଯେଉଁ ଘଟଣା ଘଟିଲା ତାକୁ ମୁଁ ଏବେବି ନିନ୍ଦା କରୁଛି। ଏଭଳି କାର୍ଯ୍ୟକୁ କେହି ପ୍ରଶ୍ରୟ ଦେଇ ନାହାନ୍ତି କି ମୁଁ ଦେବି ନାହିଁ। ଆଜି ପ୍ରମାଣ ମିଳି ସାରିଛି, ମୋର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଉକ୍ତ ଘଟଣାରେ କୌଣସି ସଂପୃକ୍ତି ନାହିଁ। ଗିରଫ ୫ ଜଣ ଦଳର କାର୍ଯ୍ୟକର୍ତ୍ତା ହେଲେ ବି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳର କାର୍ଯ୍ୟକର୍ତ୍ତା ହେଉ ବା ଅନ୍ୟ କେହି ମୋହନ ମାଝୀଙ୍କ ସରକାରରେ କୌଣସି ବାଛ ବିଚାର କରାଯାଇନାହିଁ। ଏ ଷଡ଼୍ଯନ୍ତ୍ର ବିରୋଧୀ କରିଥିଲେ। ଓଏଏସ୍ ସଂଘ ସେଥିରେ ଶିକାର ହୋଇଥିଲେ। ଯେଉଁ ଅଧିକାରୀମାନେ ଶିକାର ହୋଇଥିଲେ ସେ ଏହାକୁ ବୁଝନ୍ତୁ। କାର୍ଯ୍ୟକର୍ତ୍ତାଙ୍କ ପରି ଅଧିକାରୀମାନେ ମଧ୍ୟ ଆମ ପରିବାରର। ସରକାରକୁ ସୁରୁଖୁରୁରେ ପରିଚାଳନା କରିବାର ଦାୟିତ୍ବ ଅଧିକାରୀମାନଙ୍କର। ମୁଁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ମୋର କର୍ତ୍ତବ୍ୟ, ମୋ ନିଷ୍ଠାପରତା ମୋ ଦଳ ଜାଣିଛି। ଦଳର ନେତୃତ୍ବଙ୍କ କଥାକୁ ମାନି ସରକାର ଓ ସଙ୍ଗଠନ କିପରି ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବ ସେଥିପ୍ରତି ଧ୍ୟାନ ଦେବି। ମୋ ଦଳର ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋ ସହ ସଦାସର୍ବଦା ଅଛନ୍ତି ବୋଲି ଜଗନ୍ନାଥ କହିଛନ୍ତି।
ସୂଚନାଯୋଗ୍ୟ ଯେ ସ୍ବଚ୍ଛସାଥୀ ରେବତୀ ରାଉତଙ୍କୁ କେନ୍ଦ୍ର କରି ଗତ ୩୦ ତାରିଖ ଦିନ ବିଏମ୍ସି କାର୍ଯ୍ୟାଳୟ ଭିତରେଅଭାବନୀୟ ଘଟଣା ଘଟିଥିଲା। ଜନଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ବିଜେପି କର୍ମୀ ଅତିରିକ୍ତ କମିସନରଙ୍କୁ ବସିଥିବା ସ୍ଥାନରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଟାଣି ଆଣିଥିଲେ। ଅତି ଅମାନୁଷିକ ଭାବେ ତାଙ୍କୁ ତଳେ ପକାଇ ମୁହଁକୁ ବିଧା ଗୋଇଠା ମାଡ଼ ମାରିଥିଲେ। ଅତିରିକ୍ତ କମିସନରଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନା ପୁଲିସ କର୍ପୋରେଟର ଅପରୂପ ନାରାୟଣ ରାଉତ(ଜୀବନ), ରଶ୍ମିରଂଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଞ୍ଜୀବ ମିଶ୍ର ଓ ସଚ୍ଚିକାନ୍ତ ସ୍ବାଇଁଙ୍କୁ ଗିରଫ କରିଥିଲା। ତେବେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଭିଯୋଗ କରି ତାଙ୍କର ଗିରଫ ପାଇଁ ଓଏଏସ୍ ସଂଘ ଦାବି କରିଥିଲା। ଏ ନେଇ ଚାପ ବଢ଼ିବାରୁ ଗତ ୩ ତାରିଖରେ ଡିସିପିଙ୍କ କାର୍ଯ୍ୟାଳୟରେ ଜଗନ୍ନାଥ ଆତ୍ମସମର୍ପଣ କରିଥିଲେ।
ଜେଲ୍ରୁ ବାହାରିଲେ ଜଗନ୍ନାଥ ପ୍ରଧାନ
ବିଜେପି ନେତା ଜଗନ୍ନାଥ ପ୍ରଧାନ ଝାରପଡ଼ା ଜେଲ୍ରୁ ବାହାରିଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ...
/sambad/media/media_files/2025/07/10/wnbvcdfgh-2025-07-10-06-50-37.jpg)