ଭୁବନେଶ୍ବର: ଗୋଟିଏ ପଟେ ଟିପି ସ୍କିମ୍‌କୁ ସରକାର ରାଜ୍ୟବ୍ୟାପୀ ବିସ୍ତାର କରିବାକୁ ଚାହୁଥିବା ବେଳେ ଏହି ସ୍କିମ୍‌ ଏବେ ଯୋଜନା ଠାରୁ ଯୋଜନ ଦୂରକୁ ଚାଲିଯିବାକୁ ବସିଛି। ଲୋକଙ୍କ ଅବ୍ୟବହୃତ ଜମିରେ ସମସ୍ତ ପ୍ରକାରର ଭିତ୍ତଭୂମି ଯୋଗାଇଦେବା ଲକ୍ଷ୍ୟରେ ଯେଉଁ ଟିପି ସ୍କିମ୍‌ ହୋଇଥିଲା ତାହା ଏବେ ଦିଗ ବଦଳାଇ ଦେଇଛି। ବିଡିଏ କିଭଳି ଲାଭବାନ୍‌ ହେବ କେବଳ ସେତିକି ଚିନ୍ତା ଛାଡ଼ିଦେଲେ ଲୋକଙ୍କ କଥା ବା ଜମିମାଲିକଙ୍କ କଥା ଚିନ୍ତା କରୁନାହିଁ। ଯେଉଁଥିପାଇଁ ଅନ୍ଧାରୁଆ-ଦାସପୁର ପ୍ରକଳ୍ପକୁ ଲାଗି ରହିଥିବା ଜଗନ୍ନାଥପ୍ରସାଦ ଟିପି ସ୍କିମ୍‌ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ପ୍ରକଳ୍ପରେ ହାଇଟେନ୍‌ସନ୍‌ ବିଦ୍ୟୁତ୍‌ ତାର ସହ ଟାୱାର ସ୍ଥାପନ ହୋଇଛି। ଏହାକୁ ହଟାଇବାରେ ଖର୍ଚ୍ଚାନ୍ତ ହେବାକୁ ଥିବାରୁ ବିଡିଏ ଏହି ପ୍ରକଳ୍ପକୁ ଏକ ପ୍ରକାର ସ୍ଥଗିତ ରଖିଛି। ଫଳରେ ବର୍ଷବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିରହିଥିବା ଜମି କାମରେ ଲାଗିବ ଭାବି ଆଶାବାଦୀ ହୋଇପଡ଼ିଥିବା ଶହଶହ ଜମିମାଲିକ ହତାଶ ହୋଇପଡ଼ିଛନ୍ତି। ଏପଟେ, ଯେଉଁ ଜମିରେ ଚାଷ ହେଉଛି ବା ସର୍ବନିମ୍ନ ଭିତ୍ତିଭୂମି ଉପଲବ୍ଧ ଅଛି ସେଠାରେ ବିଡିଏ ଟିପି ସ୍କିମ୍‌ ଘୋଷଣା କରିଛି। ଯାହାକୁ ନେଇ ଅସନ୍ତୋଷ ଉଗ୍ରରୂପ ନେଇଛି।

Advertisment

ଜଗନ୍ନାଥପ୍ରସାଦ ଟିପି ସ୍କିମ୍‌ ଯେଉଁ ଅଞ୍ଚଳରେ ହେବାକୁ ଘୋଷଣା ହୋଇଥିଲା ସେହି ଅଞ୍ଚଳରେ ୧୦ଟି ବଡ଼ବଡ଼ ଟାୱାରରେ ହାଇଟେନ୍‌ସନ୍‌ ତାର ଯାଇଛି। ଫଳରେ ଏହାର ଅଧିକାଂଶ ଜାଗାରେ ଗୃହନିର୍ମାଣ ଅନୁମତି ନାହିଁ। ଯଦି ଟିପି ସ୍କିମ୍‌ ହୁଏ ତେବେ ଏହି ୧୦ଟି ଟାୱାରକୁ ହଟାଇବାକୁ ପଡ଼ିବ। ଏଭଳି ଗୋଟିଏ ଟାୱାର ସ୍ଥ‌ାନାନ୍ତର କରିବାକୁ ୧୭ କୋଟି ଟଙ୍କା ଖର୍ଚ୍ଚ ହେବ। ଫଳରେ ସ୍କିମ୍‌ ଅଞ୍ଚଳକୁ ହାଇଟେନ୍‌ସନ୍‌ ତାର ମୁକ୍ତ କରିବାକୁ ୧୦ଟି ଟାୱାର ପିଛା ୧୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅତିରିକ୍ତ ଖର୍ଚ୍ଚ ସହ କାମରେ ମଧ୍ୟ ଘୋର ବିଳମ୍ବ ହେବାକୁ ଥିବାରୁ ବିଡିଏ ଏହି ପ୍ରକଳ୍ପକୁ ସ୍ଥଗିତ ରଖିଛି। ଅନ୍ୟ ପ୍ରକଳ୍ପ ସାରିବା ପରେ ୟା’ କଥା ଚିନ୍ତା କରିବାକୁ ଯୋଜନା କରିଛି। ଯଦି ପାଇକରାପୁର ଠାରୁ ହିସାବ କରାଯାଏ ତେବେ ଜଗନ୍ନାଥପ୍ରସାଦକୁ ମିଶାଇଲେ ଟିପି ସ୍କିମ୍‌ ପୂରା ଚନ୍ଦକା ପର୍ଯ୍ୟନ୍ତ ଲାଗି ଯାଇଥା’ନ୍ତା। ଏହି ପ୍ରକଳ୍ପ ସ୍ଥଗିତ ରହିଲେ ଏବେ ତାହା ଅଧାପନ୍ତରିଆ ରହିବ। ଅନ୍ୟପଟେ ଏହି ସ୍କିମ୍‌କୁ ଗୁରୁତ୍ବର ସହ ନେଇ ରାଜ୍ୟର ଅନ୍ୟ ସହରାଞ୍ଚଳରେ କାର୍ଯ୍ୟକ୍ଷମ କରିବାକୁ ଚାହୁଥିବା ନୂଆ ସରକାର ଟାୱାର ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ହେଉଥିବା ୧୭୦ କୋଟି ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଲେ କାହିଁକି?

ଯୋଜନା ଠାରୁ ଯୋଜନ ଦୂରରେ ଟିପି ସ୍କିମ୍‌
ହାଇଟେନ୍‌ସନ୍‌ ‌ତାର ଆଳରେ ଯୋଜନା ସ୍ଥଗିତ
ସିଜୁଆ ପଟେ ନେବେ ଚାଷଜମି
ବଡ଼ଗଡ଼ରେ ହଟହଟ୍ଟା ପରେ ନିରବ ବିଡିଏ

ଅନ୍ୟପଟେ ଯେଉଁ ଜମିଗୁଡ଼ିକ ନିକଟ ଭବିଷ୍ୟ‌ତରେ ଉନ୍ନତ ହେବାଭଳି ଦିଶୁନାହିଁ ବା ସହରର ପରିକଳ୍ପନା କରାଯାଇପାରିବ ନାହିଁ ସେହି ଅଞ୍ଚଳରେ ଏହି ଯୋଜନା କରିବାକୁ ଲକ୍ଷ୍ୟ ରହିଥିଲା। ଯେଉଁଥିପାଇଁ ଜମିମାଲିକ ୪୦ ପ୍ରତିଶତ ଜମି ଖୁସିଖୁସି ଛାଡ଼ି ଦେଉଥିଲେ। କିନ୍ତୁ ଯେଉଁ ଜମିଗୁଡ଼ିକର ବିକାଶ ହେବା ସମ୍ଭାବନା ରହିଛି ବା‌ ପୂର୍ବରୁ ଭିତ୍ତିଭୂମିର ବିକାଶ ହୋଇଛି ସେଠାରେ ଏହି ସ୍କିମ୍‌ କାର୍ଯ୍ୟକ୍ଷମ କରିବା କୌଣସି ଯୋଜନା ନଥିଲା। ଏହି କାରଣରୁ ହିଁ ବଡ଼ଗଡ଼ ଓ ବାଙ୍କୁଆଳ ମୌଜାରେ ଟିପି ସ୍କିମ୍‌ ଘୋଷଣା କରି ବିଡିଏ ଅପଦସ୍ଥ ହୋଇଥିଲା। ଏହି ସ୍କିମ୍‌ ପାଇଁ ଜନଶୁଣାଣି ବେଳେ ବିଡିଏ ଅଧିକାରୀମାନେ ଜମିମାଲିକମାନଙ୍କର ଘୋର୍‌ ବିରୋଧର ଶିକାର ହୋଇଥିଲେ। ପ୍ରାୟ ୫ ବର୍ଷ ହେଲାଣି ବିଡିଏ ଆଉ ଏହି ସ୍କିମ୍‌ କଥା ଉଠାଉନାହିଁ କିମ୍ବା ବାତିଲ୍‌ ମଧ୍ୟ କରୁନାହିଁ। ଠିକ୍‌ ସେମିତି ଅନ୍ଧାରୁଆ-ଦାସପୁର ପ୍ରକଳ୍ପକୁ ଜମିମାଲିକମାନେ ବିରୋଧ କରୁଛନ୍ତି। ଏହି ପ୍ରକଳ୍ପ ପାଇଁ ଜମି ନଦେବାକୁ ଜମି ମାଲିକ ମେଳି କରିଛନ୍ତି। କାରଣ ଏଠାରେ ମଧ୍ୟ ଯେଉଁ ଜମିର ବିକାଶ ସମ୍ଭାବନା ରହିଛି ଓ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ହେଉଛି ସେଭଳି କିଛି ଜମିରୁ ବିଡିଏ ୪୦ ପ୍ରତିଶତ ‌ନେଇ ଟିପିରେ ସାମିଲ୍‌ କରିବାକୁ ଘୋଷଣା କରିଛି। 

ଠିକ୍‌ ସେହିଭଳି ବିଡିଏ ସିଜୁଆ, ପାତ୍ରପଡ଼ାରେ ମଧ୍ୟ ଟିପି ସ୍କିମ୍‌ ଘୋଷଣା କରିଛି। ଏହି ଅଞ୍ଚଳ ମଧ୍ୟ ସହର ଭଳି ବେଶ୍‌ ଉନ୍ନତ। ଏଠାରେ ଅଧିକାଂଶ ଚାଷ ଜମି ମଧ୍ୟ ରହିଛି। ଏ ସବୁକୁ ବିଡିଏ ଟିପିରେ ସାମିଲ୍‌ କରି ଜମିମାଲିକଙ୍କ ଠାରୁ ୪୦ ପ୍ରତିଶତ ମୂଲ୍ୟବାନ ଜମି ନେବାକୁ ବସିଛି। ଫଳରେ ଟିପି ସ୍କିମ୍‌କୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ତେବେ ବିଡିଏର କହିବା କଥା ହେଉଛି, ଜଗନ୍ନାଥପ୍ରସାଦ କିମ୍ବା ବଡ଼ଗଡ଼-ବାଙ୍କୁଆଳ ପ୍ରକଳ୍ପ ବାତିଲ୍‌ ହୋଇ ନାହିଁ। ତାହା ଉପରେ ବିଚାର ବିମର୍ଶ ହେଉଛି। ସମସ୍ତଙ୍କ ସୁବିଧାକୁ ଦେଖି ନିଷ୍ପତ୍ତି ନିଆଯିବ।