ଅାଜି ଭଙ୍ଗା ହେବ ଜଗନ୍ନାଥ ବସ୍ତି : ମୁତୟନ ହେବେ ୧୦ପ୍ଲାଟୁନ୍ ପୁଲିସ ଫୋର୍ସ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍‌ ଭିତ୍ତିଭୂମି ଉନ୍ନତିରେ ବାଧକ ସାଜୁଥିବା ଜଗନ୍ନାଥ ବସ୍ତିକୁ ଗୁରୁବାର ଉଚ୍ଛେଦ କରାଯିବ। ଏଥିପାଇଁ ବିଏମ୍‌ସି, ବିଡିଏ, କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଦୀର୍ଘ ବର୍ଷ ହେଲା ଏହି ବସ୍ତି ଉଚ୍ଛେଦ କରିବାକୁ ପ୍ରଶାସନ ଯୋଜନା କରିଥିଲେ ହେଁ ବସ୍ତିବାସିନ୍ଦାଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁ ନଥିଲା। ଗୁରୁବାର ବ୍ୟାପକ ପୁଲିସ ଫୋର୍ସ ମୁତୟନ କରି ଏହାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି।

ସୂଚନା ଅନୁଯାୟୀ, ଗୁରୁବାର ପୂର୍ବାହ୍ଣ ୧୦ଟାରୁ ଉଚ୍ଛେଦ ଆରମ୍ଭ ହେବ। ଦୁଇ ଦିନ ମଧ୍ୟରେ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବିଡିଏ ଓ ବିଏମ୍‌ସି ପକ୍ଷରୁ ୪ଟି ଏକ୍ସକାଭେଟର୍‌, ଜେସିବି ସହ କମିସନରେଟ୍‌ ପୁଲିସର ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ୍‌କୁ ରାଜ୍ୟ ସରକାର ସ୍ପୋର୍ଟସ କମ୍ପଲେକ୍ସରେ ପରିଣତ କରିଥିବାରୁ ଏଠାରେ ବର୍ଷତମାମ୍ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବ। ତେଣୁ ଗା‌ଡ଼ି ପାର୍କିଂ ପାଇଁ ଏବଂ ଯାତାୟାତ ପାଇଁ ଅଧିକ ରାସ୍ତା ଆବଶ୍ୟକ ଥିବାରୁ ଏହି ବସ୍ତି ଉଚ୍ଛେଦ କରିବା ଆବଶ୍ୟକତା ଅଛି। ଏସିଆନ୍‌ ଆଥଲେଟିକ୍ସ ଗେମ୍ ସମୟରେ ଏହି ବସ୍ତି ଉଚ୍ଛେଦ କରିବାକୁ ନିଷ୍ପତ୍ତିି ହୋଇଥିଲେ ହେଁ ବସ୍ତି ବାସିନ୍ଦା ବିରୋଧ କରିବାରୁ ଷ୍ଟାଡିୟମ୍‌ର ଗେଟ୍ ନଂ-୯ର ଉଭୟ ପାର୍ଶ୍ବରୁ ୫୦ମିଟର ଲମ୍ବରେ ଉଚ୍ଛେଦ କରାଯାଇଥିଲା। ଏହାସହ ନିକଟରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ ସମ୍ପୂର୍ଣ୍ଣ ବସ୍ତି ଉଚ୍ଛେଦ ହୋଇପାରି ନଥିଲା।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ଜଗନ୍ନାଥ ବସ୍ତିରେ ପ୍ରାୟ ୩୦୦ ପରିବାର ଥିବାବେଳେ ସେମାନଙ୍କୁ ସମ୍ ହସ୍ପିଟାଲ ନିକଟସ୍ଥ ପଣ୍ଡାକୁଡ଼ିଆ ନିକଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଏହାପରେ ସେମାନଙ୍କୁ ଘର ଆବଣ୍ଟନ ହେବ। କିନ୍ତୁ ବସ୍ତିବାସିନ୍ଦା କହୁଛନ୍ତି ଯେ, ସେମାନଙ୍କୁ ରାଜୀବ ଆବାସ ଯୋଜନାରେ ମିଳିବାକୁ ଥିବା ଘର ହସ୍ତାନ୍ତର କଲେ ହିଁ ସେମାନେ ବସ୍ତି ଛାଡ଼ିବେ। ଏବେ ଏହି ବସ୍ତିବାସିନ୍ଦାଙ୍କ ପାଇଁ ଘର ନିର୍ମାଣ ହୋଇ ନଥିବାରୁ ଖୁବ୍ ଶୀଘ୍ର ଘର ଦିଆଯିବ ବୋଲି କୁହାଯାଇଛି। କିନ୍ତୁ ବସ୍ତିବାସିନ୍ଦା ତାଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ଏପରିକି କନ୍ୟାଶ୍ରମ ନିକଟରେ ଥିବା ଟ୍ରାନଜିଟ୍ ହାଉସ୍‌କୁ ଯିବେନି ବୋଲି କହୁଛନ୍ତି। ତେଣୁ ହକି ବିଶ୍ବକପ୍‌କୁ ନଜରରେ ରଖି ଗୁରୁବାରଠାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ।
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ନୂଆ ରୂପ ପାଉଛି। ଷ୍ଟାଡିୟମ୍‌ର ସୌନ୍ଦର୍ଯ୍ୟକରଣରୁ ଆରମ୍ଭ କରି ଭିତ୍ତିଭୂମି ଉନ୍ନତି ଏବଂ ପାର୍କିଂ ସ୍ଥାନ ସୃଷ୍ଟି କରିବା ପାଇଁ ଷ୍ଟାଡିୟମ୍‌ ନିକଟରେ ଉଚ୍ଛେଦ କାର୍ଯ୍ୟ ଜୋରଦାର ହେଉଛି। ଜଗନ୍ନାଥ ବସ୍ତି ଉଚ୍ଛେଦ ପରେ ଷ୍ଟାଡିୟମ୍‌ ନିକଟରେ ଥିବା ବିଶ୍ବକର୍ମା ମନ୍ଦିର ଭଙ୍ଗାଯିବ।

ସମ୍ବନ୍ଧିତ ଖବର