ଭୁବନେଶ୍ବର: ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାକୁ ନେଇ ବିଜେପିରେ କେଁ ଦେଖାଦେଇଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ସାମାଜିକ ଗଣମାଧ୍ୟମ(ଏକ୍ସ, ଫେସ୍‌ବୁକ୍‌)ରେ ଘଟଣାକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍‌ କରି ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।  ନିଜ ଦଳର କର୍ମୀଙ୍କ ବିରୋଧରେ ସାଂସଦଙ୍କ କାର୍ଯ୍ୟାନୁଷ୍ଠାନ ଦାବିକୁ ଶାସକ ଦଳର ନେତାମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଭୁବନେଶ୍ବର ମଧ୍ୟ ବିଧାନସଭା କ୍ଷେତ୍ରର ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଜି ସିଧାସଳଖ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment

ଗଣମାଧ୍ୟମକୁ  ଶ୍ରୀ ପ୍ରଧାନ କହିଛନ୍ତି ସାଂସଦଙ୍କ ସହ ମୋର ଭଲ ସମ୍ପର୍କ ରହିଛି। କର୍ପୋରେସନରେ ଥିଲା ବେଳଠାରୁ ଭଲ ବୁଝାମଣା ରହିଛି। ସିଏ ଦଳରେ ଯୋଗଦେଇ ଆଜି ଦୁଇ ଥର ସାଂସଦ ହୋଇଛନ୍ତି। ତାଙ୍କ ପାଇଁ ଆମେ ବହୁତ କଷ୍ଟ କରିଛୁ। ସିଏ କ’ଣ ପାଇଁ ହଠାତ୍‌ ଏଭଳି କଲେ ସେ ହିଁ କହିପାରିବେ। ମାତ୍ର ଘଟଣା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ କହିବା ପୂର୍ବରୁ ସ୍ଥାନୀୟ ନେତା ହୋଇଥିବାରୁ ମୋତେ ଥରେ ପଚାରିବାର ଥିଲା। ମୁଁ ତାଙ୍କ ସ୍ଥାନରେ ଥିଲେ ସ୍ଥାନୀୟ ନେତୃତ୍ବଙ୍କୁ ଆଗ ପଚାରିଥାନ୍ତି। ବିଜେପି କାର୍ଯ୍ୟକର୍ତ୍ତା ଏହି ଗଣ୍ଡଗୋଳରେ ସାମିଲ ଥିବା ସାଂସଦ ଜାଣିଛନ୍ତି। ଦୁଃଖର କଥା ହେଉଛି ସାଂସଦ ଏବିଷୟରେ ମୋତେ ଥରୁଟିଏ ପଚାରିଲେ ନାହିଁ। ଏହା ବିରୋଧୀ ଦଳକୁ ସୁହାଇଲା ଭଳିଆ କାର୍ଯ୍ୟ ହୋଇଛି। ତାଙ୍କଠାରୁ ଏଭଳି ଆଶା କରାଯାଉ ନ ଥିଲା। ସେ ସମ୍ପର୍କରେ ଦଳ ବିଚାର କରିବ।

ଆହୁରି କହିଛନ୍ତି ଯେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କର ଏଭଳି ସ୍ବାଭାବ ରହିଛି। ଟିଆରପି ନେବାକୁ ଗଣମାଧ୍ୟମରେ ଯେଉଁଭଳି ପ୍ରତିଯୋଗିତା ଚାଲେ ତାହା ଭାବି ସେ କରିଦେଇଛନ୍ତି। ରାଜନୀତିରେ ଏଭଳି ହେବା କଥା ନୁହେଁ। ବିଜେପିରେ କାମ କଲେ ପ୍ରଥମେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁତ୍ବ ଦେବା କଥା। ସେମାନଙ୍କ ସହ ମିଶି କାମ କରିବାକୁ ହେବ। କାର୍ଯ୍ୟକର୍ତ୍ତାଙ୍କ ସହ ନ ମିଶି କାମ କଲେ କିମ୍ବା ଉପରୁ ଉପରୁ ଆସି ବଡ଼ ନେତା ହୋଇଗଲେ ବହୁଦିନ ଚାଲି ହେବ ନାହିଁ। ଏହା ଧୂମକେତୁ ଭଳି ଆସିବ ପୁଣି ଧୂଳିସାତ୍‌ ହୋଇଯିବ। ୩୦ ବର୍ଷ ହେଲା ବିଜେପିରେ ରହିଛି। ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସବୁବେଳେ ସମ୍ମାନ ଦେଇଛି।
ସୂଚନାଯୋଗ୍ୟ ଯେ ଗତକାଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ବିଜେପି କିମ୍ବା ସରକାର ଏପରି କାର୍ଯ୍ୟ ଓ ବିଚାରଧାରା ସହ କୌଣସି ରୂପେ ସଂଶ୍ଲିଷ୍ଟ ନୁହନ୍ତି। ପ୍ରୋତ୍ସାହନ ମଧ୍ୟ କରନ୍ତି ନାହିଁ। କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ କାର୍ଯ୍ୟ। ଏଥିରେ ସମ୍ପୃକ୍ତ ଦୁବୃର୍ତ୍ତଙ୍କ ବିରୋଧରେ ଅବଶ୍ୟକୀୟ ଆଇନଗତ ତଥା ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ନିତ୍ୟାନ୍ତ ଆବଶ୍ୟକ। କାର୍ଯ୍ୟରତ ଅଧିକାରୀଙ୍କୁ ନିଜର କାର୍ଯ୍ୟ ନିଷ୍ଠା ଓ ସାହସର ସହ କରୁଥିବାରୁ ସାଧୁବାଦ ଜଣାଉଛି। ଶୃଙ୍ଖଳା, ଅନୁଶାସନ ଓ ନିଷ୍ଠା ବିନା ସୁଶାସନ କିମ୍ବା ବିକାଶ ସମ୍ଭବ ନୁହେଁ।