୨୦୦୯ରୁ ଲଗାତାର ଚତୁର୍ଥ ଥର ପାଇଁ ଭୁବନେଶ୍ବର ମଧ୍ୟରେ ପ୍ରାର୍ଥୀ ହୋଇଛନ୍ତି ଜଗନ୍ନାଥ ପ୍ରଧାନ। ଲୋକଙ୍କ ଭଲପାଇବା, ବିଶ୍ବାସ ଜିତିଥିଲେ ବି ବିଧାୟକ ହେବା ପାଇଁ ସେତିକି ଭୋଟ୍ ପାଇନାହାନ୍ତି। ଗତ ଦୁଇଟି ନିର୍ବାଚନରେ କଡ଼ା ଲଢ଼େଇ କରିଥିବା ଜଗନ୍ନାଥ ଏଥର ରାଜଧାନୀବାସୀଙ୍କ ବିଶ୍ବାସକୁ ଭୋଟ୍ରେ ପରିବର୍ତ୍ତନ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଉଦ୍ୟମ ଚଳାଇଛନ୍ତି। ସହର ଭିତରେ ଥିବା ଗାଁ, ବସ୍ତି, ସହରୀ ବାସିନ୍ଦାଙ୍କୁ ଏଥର ଥରୁଟିଏ ସୁଯୋଗ ଦେବାକୁ ଅନୁରୋଧ କରୁଛନ୍ତି।
ଆପଣ ଚତୁର୍ଥ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର ଆପଣଙ୍କ ମୁଖ୍ୟ ପ୍ରସଙ୍ଗ କ’ଣ ରହିବ?
ପୂର୍ବରୁ ମୁଁ ତିନି ଥର ପ୍ରାର୍ଥୀ ହୋଇ ହାରିଥିଲେ ବି ଗତ ୨୦ବର୍ଷ ହେଲା ଭୁବନେଶ୍ବରବାସୀଙ୍କ ସହ ଅଛି। ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଛି। ୧୫ବର୍ଷରେ ବିଜେଡିର ପ୍ରାର୍ଥୀ ତିନି ଥର ବିଜୟୀ ହୋଇଥିଲେ ବି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଲୋକଙ୍କର ଯେମିତି ବିକାଶ ହେବା କଥା ହୋଇନି। ଭୁବନେଶ୍ବରର କେନ୍ଦ୍ରସ୍ଥଳୀ ସାମାନ୍ୟ ବର୍ଷାରେ ଜଳବନ୍ଦୀ ହୋଇଯାଉଛି, ଲୋକ ଡେଙ୍ଗୁରେ ମରୁଛନ୍ତି, ମୁକୁଳା ଡ୍ରେନ୍ରେ ପଡ଼ି ଲୋକ ମରୁଛନ୍ତି। ଏହା କ’ଣ ବିକାଶ। ବସ୍ତି ବାସିନ୍ଦାଙ୍କୁ ଭୁଆଁ ବୁଲାଯାଉଛି। ସେମାନଙ୍କୁ ମୌଳିକ ଅଧିକାର ମିଳୁନି। ଏହି ସବୁ ପ୍ରସଙ୍ଗ ନେଇ ମୁଁ ଲୋକଙ୍କ ପାଖକୁ ଯାଉଛି। ମଧ୍ୟ ନିର୍ବାଚନମଣ୍ଡଳୀର ପ୍ରମୁଖ ସମସ୍ୟା କ’ଣ ଅଛି? ଏହାକୁ କିପରି ସମାଧାନ କରିବେ ବୋଲି ଭାବୁଛନ୍ତି। ଏହି ନିର୍ବାଚନମଣ୍ଡଳୀ ସ୍ମାର୍ଟସିଟି ଭୁବନେଶ୍ବରର ପ୍ରମୁଖ ଅଞ୍ଚଳ। କେନ୍ଦ୍ରର ବିଜେପି ସରକାର ଅର୍ଥରେ ଭୁବନେଶ୍ବର ସ୍ମାର୍ଟ ସିଟି ହେଲା। କିନ୍ତୁ କେବଳ ଜନପଥକୁ ଛାଡ଼ି ଦେଲେ ଆଉ କୌଣସି ଅଞ୍ଚଳର ବିକାଶ ହୋଇନି। ବସ୍ତିବାସିନ୍ଦାଙ୍କୁ ଠିକ୍ ଭାବେ ଥଇଥାନ କରାଯାଇନି, ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ସୁବିଧା ନାହିଁ, ମହିଳା ଏସ୍ଏଚ୍ଜି ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ନାହିଁ, ଡ୍ରେନ୍ ଓ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ବାଟମରଣା କରାଯାଉଛି। ୫ବର୍ଷରେ ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ କରିବି। ରାଜଧାନୀରେ ଥିବା ବମିଖାଲ, ରସୁଲଗଡ଼, ଲକ୍ଷ୍ମୀସାଗର, ଝାରପଡ଼ା, ନୂଆପଲ୍ଲୀ ଗାଁଗୁଡ଼ିକରେ ଲୋକଙ୍କର ଥିବା ସବୁ ସମସ୍ୟାର ସମାଧାନ କରିବି।
ତିନି ଥର ଆପଣ ଲଢ଼େଇ କରି ହାରିଛନ୍ତି, ଏଥର ଅନୁକମ୍ପା ମିଳିବ ବୋଲି ଭାବୁଛନ୍ତି?
ମୁଁ ନିର୍ବାଚନ ହାରିବା ସତ୍ତ୍ବେ ଗତ ୨୦ବର୍ଷ ଧରି ଲୋକଙ୍କ ସହ ଥିବାରୁ ଏଥର ନିଶ୍ଚିତ ଲୋକଙ୍କ ଅନୁକମ୍ପା ମିଳିବ। ମୁଁ ପ୍ରଚାର ସମୟରେ ତାହା ଅନୁଭବ କରୁଛି। ଗତ ନିର୍ବାଚନଗୁଡ଼ିକରେ ଯେଉଁ ଭୁଲ୍ ରଣନୀତି ଥିଲା ତାକୁ ସୁଧାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ନିର୍ବାଚନମଣ୍ଡଳୀରେ ରୋଡ୍ ସୋ’ କରିଥିଲେ। ଲକ୍ଷାଧିକ ଲୋକ ସ୍ବତଃସ୍ଫୂର୍ତ୍ତ ଭାବେ ଏଥିରେ ସାମିଲ୍ ହୋଇଥିଲେ। ତେଣୁ ରାଜଧାନୀବାସୀ ମୋତେ ଜିତାଇବେ ବୋଲି ଭାବୁଛି।
ସବୁଠୁ କମ୍ ମତଦାନ ହେଉଥିବା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆପଣଙ୍କ ନିର୍ବାଚନମଣ୍ଡଳୀ ଅଛି। ଏଠାରେ କେଉଁ ବର୍ଗର ମତଦାତା ପ୍ରାର୍ଥୀଙ୍କୁ ଜିତାଇବାରେ ପ୍ରମୁଖ ନିଭାଇବେ?
ଆମ ନିର୍ବାଚନମଣ୍ଡଳୀରେ କମ୍ ମତଦାନ ହୋଇଥାଏ। ତେଣୁ ଅଧିକ ମତଦାତା କିପରି ମତଦାନ କେନ୍ଦ୍ରକୁ ଆସିବେ ସେନେଇ ଆମେ ସଚେତନତା ସୃଷ୍ଟି କରୁଛୁ। ଘରେ ଘରେ ଚିରିକୁଟି ଦେଇ ବୁଥ୍ ସମ୍ପର୍କରେ ସୂଚନା ଦେଇଛୁ।
ଆପଣଙ୍କୁ ଭୁବନେଶ୍ବର ମଧ୍ୟର ଜନତା କାହିଁକି ତାଙ୍କର ନେତା ଭାବେ ନିର୍ବାଚିତ କରିବେ?
ରାଜଧାନୀବାସୀ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ଗତ ୨୪ବର୍ଷ ହେଲା ବିଜେଡି ଶାସନରେ ଅଣନିଃଶ୍ବାସୀ ହୋଇଯାଇଛନ୍ତି। ମୁଁ ଲଗାତାର ହାରିବା ସତ୍ତ୍ବେ ଲୋକଙ୍କ ସହ ଅଛି। ତେଣୁ ମୋର ବିଶ୍ବାସ ମୋତେ ଲୋକ ଏଥର ସୁଯୋଗ ଦେବେ।