ଭୁବନେଶ୍ବର: ମାସମାସ ଧରି ଜଗନ୍ନାଥନଗର ଲେନ୍-୧ରେ ଡ୍ରେନ୍ ଓ ରାସ୍ତା କାମ ଚାଲିଛି। ଏବେ ବର୍ଷା ହେବାରୁ ଏହି ରାସ୍ତା ମହାଦେବନଗର ଓ ଜଗନ୍ନାଥନଗରବାସୀଙ୍କ ସହ କେଶୁରାରୁ ଝାରପଡ଼ା ଆସୁଥିବା ଲୋକଙ୍କ ଦୁଃଖ ପାଲଟିଛି। ରାସ୍ତାରେ ବଡ଼ ବଡ଼ ଗାତ ହୋଇଯାଇଥିବାରୁ ଏହି ଗାତରେ ପଡ଼ି ପ୍ରତିଦିନ ଲୋକେ ଆହତ ହେଉଛନ୍ତି। ସୂଚନାନୁସାରେ ପୁରୀ ବାଇପାସ୍ ରୋଡ୍ର ମଙ୍ଗରାଜ ପଏଣ୍ଟରୁ ଝାରପଡ଼ା ଓ ଜଗନ୍ନାଥନଗର ରୋଡ୍କୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଖରାପ ହୋଇଯାଇଛି। ବିଶେଷ କରି ପ୍ରଜାପତି କଲ୍ୟାଣମଣ୍ଡପ ନିକଟସ୍ଥ ରାଧାକୃଷ୍ଣମନ୍ଦିର ଛକ ଏବେ ଅଞ୍ଚଳବାସୀଙ୍କ ପାଇଁ ଦୁଃଖ ପାଲଟିଛି। ମହାଦେବନଗର ରୋଡ୍ ୫, ଜଗନ୍ନାଥନଗର ରୋଡ୍ ୧ ଓ ଝାରପଡ଼ାକୁ ଯିବା ପାଇଁ ଏହି ଛକ ଏକମାତ୍ର ବିକଳ୍ପ। ପ୍ରତିଦିନ ଏହି ରାସ୍ତାଦେଇ ଶହଶହ ଗାଡ଼ି ଯାତାୟାତ କରୁଛି। ମାତ୍ର ୩ ମାସରୁ ଅଧିକ ଦିନ ଧରି ଏହି ରାସ୍ତାରେ ଡ୍ରେନ୍ କାମ ଚାଲିଛି। ବର୍ଷା ଦିନ ପୂର୍ବରୁ ଏହି କାମ ସାରିବାକୁ କୁହାଯାଇଥିବା ବେଳେ କାମ ସରିନାହିଁ।
ପ୍ରତିଦିନ ଦୁର୍ଘଟଣାରେ ଆହତ ହେଉଛନ୍ତି
ଚିନ୍ତା ବଢ଼ାଇଛି ରାଧାକୃଷ୍ଣ ମନ୍ଦିର ଛକ
ବିଶେଷ କରି ଛକରେ ଡ୍ରେନ୍ କାମ ସରିଥିବା ବେଳେ ରାସ୍ତାକାମ ହୋଇନଥିବାରୁ ଛକ ଅଣଓସାରିଆ ହୋଇଯାଇଛି। ଝାରପଡ଼ା, ଜଗନ୍ନାଥନଗର ରୋଡ୍ ୧ , ଝାରପଡ଼ା ଓ ମହାଦେବନଗର ରୋଡ୍ ୫, ଏହି ଚାରିଦିଗରୁ ଲୋକେ ଯାନବାହନ ନେଇ ଆସି ଛକରେ ଫସୁଛନ୍ତି। ଜଗନ୍ନାଥନଗର ରୋଡ୍-୧ ରାସ୍ତାରେ ବଡ଼ବଡ଼ ଗାତ ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ତେଣୁ ଯଥା ଶୀଘ୍ର ରାସ୍ତାକାମ ସାରିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ସ୍ଥାନୀୟ କର୍ପୋରେଟର ଶ୍ରୀଧର ଜେନା କହିଛନ୍ତି ଯେ ଯେଉଁ ରାସ୍ତା ଦେଇ ଡ୍ରେନ୍ ଯାଇଛି ସେହି ରାସ୍ତା ଦେଇ ସ୍ବରେଜ୍ ପାଇପ୍ଲାଇନ୍ ରହିଛି। ଏହାସହିତ ପାଣି ପାଇପ୍ ଓ ଇଲେଟ୍ରିକ୍ କେବୁଲ ରହିଛି। ତେଣୁ ସବୁ ଦେଖି ଡ୍ରେନ୍ କାମ ଚାଲି ଥିବାରୁ ଡ୍ରେନ୍ କାମ ବିଳମ୍ବ ହେଉଛି। ଆଗାମୀ ଦେଢ଼ ମାସ ମଧ୍ୟରେ କାମ ସରିବ ବୋଲି ଶ୍ରୀ ଜେନା କହିଛନ୍ତି। ସାମୟିକ ଭାବେ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତା’ର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କର୍ପୋରେଟର୍ ଶ୍ରୀ ଜେନା କହିଛନ୍ତି।