ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫକୁ ନେଇ ରାଜଧାନୀ ରାଜନୀତି ଜୋର ଧରିଛି। ବିଜେଡି ଓ କଂଗ୍ରେସ ଦଳର ନେତାମାନେ ଗିରଫଦାରୀକୁ କଟାକ୍ଷ କରି ଗିରଫଦାରୀ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ତେରେଛା ବାଣ ମାରିଛନ୍ତି। ବିରୋଧୀଙ୍କ କଟାକ୍ଷ ଅପେକ୍ଷା ଅପରାଜିତାଙ୍କ ସମାଲୋଚନା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ‘ଭୁଲ୍କୁ ଭୁଲ୍ କହିବା ପାଇଁ ସତ୍ ସାହାସ ଦରକାର। ଆମ ସମସ୍ତଙ୍କ ପାଖରେ ସେଭଳି ସତ୍ ସାହାସ ରହିବା କଥା। ୩୦ ତାରିଖରେ ବିଏମ୍ସି ଅଫିସ୍ରେ ଯାହା ହେଲା, ଯଦି ମୋ ପୁଅ କରିଥାନ୍ତା ତା’ହେଲେ ମୁଁ ପୁଲିସକୁ ଡାକି କହିଥାନ୍ତି ଗିରଫ କର। ସରକାରୀ କର୍ମଚାରୀ କିମ୍ବା ଯେ କେହି ହୁଅନ୍ତୁ ନା କାହିଁକି ସେଦିନ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରାଗଲା ତାହା ହେବା କଥା ନୁହେଁ। ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର ସହ ଶାଳୀନତା ଓ ବିନମ୍ରତା ରହିବା ଦରକାର। ୨୪ ବର୍ଷ ଧରି ମୁଁ ପ୍ରଶାସନିକ ସେବାରେ ରହିଥିଲି। ୬ ବର୍ଷ ହେଲା ରାଜନୀତି କରୁଛି। କେବେ ବି ଏଭଳି ଦୁର୍ବ୍ୟବହାର ପ୍ରଦର୍ଶନ ଦେଖି ନ ଥିଲି କି ଶୁଣି ନ ଥିଲି। ଘଟଣାକୁ ନେଇ ମୁଁ ବହୁତ ଦୁଃଖିତ। ଜଗନ୍ନାଥ ପ୍ରଧାନଙ୍କ ତରଫରୁ ଭୁଲ୍ ହୋଇଛି। ଆଜି ଦୁଃଖ ଲାଗୁଛି ସେ ଜେଲ୍ରେ ଅଛନ୍ତି।’ ସୂଚନାଯୋଗ୍ୟ ଯେ ଘଟଣା ଘଟିବା ଦିନ ଅପରାଜିତା ଏହାକୁ ଦୃଢ଼ ବିରୋଧ କରିଥିଲେ। ସାଂସଦ ବିରୋଧୀ ଦଳକୁ ସୁହାଇଲା ପରି କାର୍ଯ୍ୟ କରୁଛନ୍ତି ବୋଲି ଜଗନ୍ନାଥ ପାଲଟା ଆରୋପ ଲଗାଇଥିଲେ। ତେବେ ଅପରାଜିତା ଘଟଣାକୁ ଲଗାତାର କଡ଼ା ଭାଷାରେ ସମାଲୋଚନା କରୁଥିଲେ ବି ବିଜେପିର ଜିଲ୍ଲା ନେତାମାନେ ଓ ଏକାମ୍ର ବିଧାୟକ ବାବୁ ସିଂହ ବେଶ୍ ମାପିଚୁପି ମନ୍ତବ୍ୟ ଦେଉଥିବା ଲକ୍ଷ୍ୟ କରାଯାଉଛି।
ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରି କହିଛନ୍ତି, ଗତକାଲି ସନ୍ଧ୍ୟାରେ ସାରା ଦେଶ ଏକ ହାଇଡ୍ରାମା ଦେଖିଲା। ଜନସାଧାରଣଙ୍କ ଚାପରେ ରାଜ୍ୟ ସରକାର ଚେପା ହୋଇଗଲେ। ଜଣେ ଅଭିଯୁକ୍ତଙ୍କୁ ବାନ୍ଧିବାକୁ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଲା। ଜଣେ ଅଭିଯୁକ୍ତ କେବେ ନିଜ ଇଚ୍ଛାରେ ଆତ୍ମସମର୍ପଣ କରି ନାହିଁ। ସେ ଯେଉଁଭଳି ଗିରଫ ହେଲେ ତାହା ଆଇନ ସମ୍ମତ ନୁହେଁ। ବରଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ବହୁତ ବଡ଼ କାରଣ। ଓଡ଼ିଶାରେ ପ୍ରତିଦିନ ଗୁଣ୍ଡାରାଜ ଚାଲିଛି। ହତ୍ୟାକାଣ୍ଡ ଘଟୁଛି। ଦୁଷ୍ମର୍ମ ବଢ଼ୁଛି, ଦଳିତ ତଥା ଆଦିବାସୀଙ୍କ ଉପରେ ଆକ୍ରମଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଯିଏ ବିଏମ୍ସିର ସେଇ ଅଭାବନୀୟ କାଣ୍ଡ କରାଇଛି ତାକୁ ପ୍ରଥମରୁ ଗିରଫ ନ କରିବା ମତଲବରେ ରାଜ୍ୟ ସରକାର ରହିଥିଲେ। ୪ଦିନ ଧରି କାର୍ଯ୍ୟବନ୍ଦ ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେବା ପରେ ବିରୋଧୀଙ୍କ ଚାପରେ ବାଧ୍ୟ ହୋଇ ମୁଣ୍ଡ ନୁଆଁଇଲେ। ଯଦି ନତମସ୍ତକ ହେବାର ଥିଲା, ତେବେ ୪ ଦିନ କାଳ ନାଟକବାଜି କାହିଁକି କରୁଥିଲେ? ଗଣତନ୍ତ୍ରରେ ଏକତାର ବଳ ପ୍ରମାଣିତ ହୋଇଛି। ତୁରନ୍ତ ପଦକ୍ଷେପ ନେଇଥିଲେ ସରକାର ପ୍ରଶଂସା ପାଇଥାନ୍ତେ। ନେଡ଼ିଗୁଡ଼ କହୁଣୀକୁ ବହିଗଲା ପରେ ବାଧ୍ୟ ହୋଇ ନଇଁଲେ। ସରକାର ନଇଁଲେ ସତ, କିନ୍ତୁ ପ୍ରଥମ ୪ ଦିନ ଯେଉଁ ଲୋକଟିଏ ତହସିଲ ଅଫିସରୁ ନିରାଶ ହୋଇ ଫେରୁଥିଲା, ତା’ର କ’ଣ ହେବ? ସେଇ ତ ଆଇନକୁ ସମ୍ମାନ ଦେବାକୁ ବାଧ୍ୟ ହେଲେ, ମୂଳରୁ କାହିଁକି ଆଇନକୁ ନିଜ ହାତକୁ ନେବାକୁ ଚେଷ୍ଟା କରୁଥିଲେ? ସରକାର ତାଙ୍କର, ଯଦି ସଂପୃକ୍ତ ଅଧିକାରୀ ଦୋଷ କରିଥିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କରି ଆଇନକୁ ନିଜ ହାତକୁ ନେବା କ’ଣ ଦରକାର ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp