ଭୁବନେଶ୍ବର: ବିଏମ୍ସି ଅତିରିକ୍ତ କମିସନର୍ଙ୍କୁ ମାଡ଼ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ପରେ ଆଜି ପ୍ରଶାସନିକ ସ୍ତରରେ ସ୍ଥିତି ସ୍ବାଭାବିକ ହୋଇଛି। ରାଜଧାନୀ ସମେତ ସମସ୍ତ ଜିଲ୍ଲାରେ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ଯୋଗଦେଇଛନ୍ତି। ଅନ୍ୟପଟେ ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି। ଗତକାଲି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ଆଜି ଜଗନ୍ନାଥଙ୍କ ଓକିଲ ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି। କିନ୍ତୁ କୋର୍ଟ ଏହି ଆବେଦନର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିନାହାନ୍ତି। ସେପଟେ ଏହି ମାମଲାରେ ଗିରଫ ହୋଇଥିବା କର୍ପୋରେଟର୍ ଜୀବନ ରାଉତ ଓ ଅନ୍ୟ ୪ଜଣଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୫ ତାରିଖକୁ ରହିଛି। ଏହା ପୂର୍ବରୁ ଜଗନ୍ନାଥଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରୁଛି କି ନା, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ନାନା ଚର୍ଚ୍ଚା ଆଲୋଚନା ମୁଣ୍ଡ ଟେକିଛି। ଜଗନ୍ନାଥ ପ୍ରଧାନ ବିଏମ୍ସି ଅଫିସ୍କୁ ନଯାଇ କେମିତି ତାଙ୍କୁ ଗିରଫ କରାଗଲା? ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାରେ ସମସ୍ୟା ନାହିଁ। କିନ୍ତୁ ଜଗନ୍ନାଥଙ୍କୁ ଷଡ଼ଯନ୍ତ୍ର କରାଯାଇ କାହିଁକି ଗିରଫ କରାଯାଇଛି ବୋଲି ତାଙ୍କ ସମର୍ଥକମାନେ ମତ ରଖୁଛନ୍ତି। ସେପଟେ ମଧ୍ୟ ନିର୍ବାଚନରେ ବିଜେପି ସଙ୍ଗଠନ ସମ୍ଭାଳୁଥିବା ଜଗନ୍ନାଥଙ୍କ ସମେତ ଅନ୍ୟ ୫ ଜଣ ଜେଲ୍ରେ ଥିବାରୁ ସାଙ୍ଗଠନିକ କାର୍ଯ୍ୟ ବାଧା ହୋଇଛି। ଏହି ସମୟରେ ବିଜେପିର ସାଙ୍ଗଠନିକ କାମ କିଏ କରିବ ତାକୁ ନେଇ ମାନସମନ୍ଥନ ଚାଲିଛି।
ସ୍ବାଭାବିକ ହେଲା ବିଏମ୍ସି ଅଫିସ୍, କାର୍ଯ୍ୟରେ ଯୋଗଦେଇ ନାହାନ୍ତି ରତ୍ନାକାର ସାହୁ
ବିଏମ୍ସି କାର୍ଯ୍ୟାଳୟ ଆଜି ସ୍ବାଭାବିକ ହୋଇଛି। ଅତିରିକ୍ତ କମିସରଙ୍କୁ ମାଡ଼ ଘଟଣାରେ କଲମଛାଡ଼ ଆନ୍ଦୋଳନ କରୁଥିବା ଅଧିକାରୀ ଓ କର୍ମଚାରୀ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ତେବେ ୪ ଦିନ ହେବ ସମସ୍ତ କାମ ବନ୍ଦ ଥିବାରୁ ସମସ୍ତ କର୍ମଚାରୀ କାମ ଚାପରେ ରହିଥିଲେ। କମିସନର, ମେୟରଙ୍କ ସମେତ ଅନ୍ୟମାନେ ଆଜି ଅଫିସ୍ ଆସିଥିଲେ। କିନ୍ତୁ ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିସନ ରତ୍ନାକର ସାହୁ ଆଜି ଅନୁପସ୍ଥିତ ଥିଲେ।