ବର୍ଷକୁ ଥରେ ରଥରେ ଜଗତନାଥ ଜଗନ୍ନାଥଙ୍କୁ ଆଖି ପୂରାଇ ଦେଖିବା ପାଇଁ ବ୍ୟାକୁଳ ହୋଇପଡ଼ୁଥିଲେ ଭକ୍ତ ଓ ଶ୍ରଦ୍ଧାଳୁ। କାରଣ ବିଶ୍ବାସ ରହିଛି, ରଥାରୂଢ଼ ତିନିଠାକୁରଙ୍କୁ ଦେଖିଲେ ମହାପୁଣ୍ୟ ମିଳେ। ପୁନର୍ଜନ୍ମରୁ ମୁକ୍ତି ବା ମୋକ୍ଷ ପ୍ରାପ୍ତି ହୁଏ। ତେଣୁ ରତ୍ନବେଦି ଛାଡ଼ି ବଡ଼ଭାଇ ଓ ସାନଭଉଣୀଙ୍କୁ ନେଇ କେତେବେଳେ ପ୍ରଭୁ ବାଇଶି ପାହାଚରେ ପହଣ୍ଡି କରିବେ, ଟାହିଆମଣ୍ଡିତ ଚକାନୟନ ଝଲସିବ, ବଡ଼ଦାଣ୍ଡରେ ରଥ ଗଡ଼ିବ, ତାହା ଦେଖିବାକୁ ଛଳଛଳ ନୟନରେ ଅପେକ୍ଷା କରିଥିଲେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ହାତଟେକି ଡାକୁଥିଲେ ମହାପ୍ରଭୁଙ୍କୁ। କେହିକେହି ତ ଭାବବିହ୍ବଳିତ ହୋଇ ନାଚି ପକାଉଥିଲେ। ମନ୍ଦିର ଭିତରେ ଓ ରଥ ପାଖରେ ଘଣ୍ଟ, ଘଣ୍ଟା, ଭେରି, ତୂରୀ ଓ ମୃଦଙ୍ଗର ତାଳେତାଳେ ଚାଲିଥିଲା ଭଜନ, କୀର୍ତ୍ତନ। ସମୟ ଯେତିକି ଗଡ଼ିଗଡ଼ି ଯାଉଥିଲା, ଭକ୍ତଙ୍କ ମନ ସେତିକି ଅଧିକରୁ ଅଧିକତର ବ୍ୟାକୁଳ ହୋଇପଡ଼ୁଥିଲା। ଆଖି‌ର ପଲକ ପଡ଼ୁନଥିଲା। ମଝିରେ ମଝିରେ ଅସରାକୁ ଅସରା ବର୍ଷା ଭିଜାଉଥିଲା। କିନ୍ତୁ ତୁହାକୁ ତୁହା ବର୍ଷା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବକୁ କାଣିଚାଏ ଉଣା କରିପାରିନଥିଲା। ଏଣେ ରଥ ଓ ପଥ ବି ବ୍ୟାକୁଳ ହୋଇପଡ଼ୁଥିଲେ। ମହାପ୍ରଭୁଙ୍କୁ କୋଳାଗ୍ରତ କରିବାକୁ ରଥ ଯେତିକି ବ୍ୟାକୁଳ ଥିଲା, ରଥାରୂଢ଼ ଜଗତନାଥଙ୍କୁ ଛାତିରେ ଖେଳାଇବାକୁ ପଥ ବି ସେତିକି ଉତ୍ସୁକତାର ସହ ଚାହିଁ ବସିଥିଲା। ଶେଷରେ ସେହି ପବିତ୍ର ମୁହୂର୍ତ୍ତ ଉପନୀତ ହେଲା। ରତ୍ନବେଦିରୁ ଜନ୍ମବେଦି ଅଭିମୁଖେ ବାହାରିଲେ ଭାଇ ଭଉଣୀ ସହ ଜଗନ୍ନାଥ। ବାଇଶି ପାହାଚରେ ପହଣ୍ଡି ହେଲା, ଝୁଲିଝୁଲି ଜଗା ରଥକୁ ଆସିଲା। ରଥକୁ ଟାଣିନେଲେ ଭକ୍ତ ଓ ଶ୍ରଦ୍ଧାଳୁ। ରଥ ଗଡ଼ିଲା ମାଉସୀ ମା’ ଗୁଣ୍ଡିଚା ମନ୍ଦିର ଅଭିମୁଖେ। ଆଜି ଭୁବନେଶ୍ବରରେ ପବିତ୍ର ରଥଯାତ୍ରା ଅବସରରେ ଏମିତି ଥିଲା ସବୁ ଜଗନ୍ନାଥ ମନ୍ଦିର ପରିସର। ଲକ୍ଷଲକ୍ଷ ଭକ୍ତ ଏହି ଗୁଣ୍ଡିଚା ଯାତ୍ରା ଦେଖିବାକୁ ରୁଣ୍ଡ ହୋଇଥିଲେ। ପଟିଆ, ଶ୍ରୀବାଣୀକ୍ଷେତ୍ର, ଆର୍‌ସିଏମ୍‌, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ବାଣୀବିହାର, ଇସ୍କନ, ଶିରିପୁର, ଜାଗମରା-ଧର୍ମବିହାର, କୋଳଥିଆ, ଘାଟିକିଆ ଆଦି ବହୁ ସ୍ଥାନରେ ଗୁଣ୍ଡିଚା ଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।

Advertisment

publive-image

ଇସ୍କନ: ବର୍ଷାରେ ଭିଜି ରଥ ଟାଣିଲେ
ଘଣ୍ଟଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ମଧ୍ୟରେ ଆଜି ହଜାର ହଜାର ଭକ୍ତଙ୍କ ଗହଣରେ ଇସ୍କନ୍‌ ମନ୍ଦିରର ରଥଟଣା ସଂପନ୍ନ ହୋଇଛି। ବର୍ଷା‌ରେ ଭିଜି ଭିଜି ଶ୍ରଦ୍ଧାଳୁ ୩ ଦିଅଁଙ୍କୁ ଦର୍ଶନ କରିଛନ୍ତି। ସକାଳ ପ୍ରାୟ ସାଢ଼େ ୮ଟାରେ ତିନିରଥକୁ ପ୍ରତିଷ୍ଠା କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ଠାକୁରଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ଏହା ପରଠୁ ଆରମ୍ଭ ହୋଇଯାଇଥିଲା ବର୍ଷା। ୩ ଘଣ୍ଟା କାଳ ବର୍ଷା ଥମିବାର ନାଁ ନେଇ ନଥିଲା। ସ୍ବାମୀ ଗୋପିନାଥ ମହାରାଜ ଛେରାପହଁରା କରିଥିଲେ। ଅପରାହ୍ନ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ତେବେ ବର୍ଷା ଯୋଗୁଁ ବହୁ ଭକ୍ତ ଓଭରବ୍ରିଜ୍‌ ଉପରୁ ଠାକୁରଙ୍କୁ ଦର୍ଶନ କରିବାକୁ ଭିଡ଼ ଲାଗାଇଥ‌ିଲେ। ହେଲେ ତଳେ ଥିବା ଭକ୍ତ ୪ ଫୁଟ୍‌ ଉଚ୍ଚ ପାଣିରେ ହନ୍ତସନ୍ତ ହୋଇଥିଲେ। ରାସ୍ତାରେ କିଛି ସମୟ ରଥ ରହିଥିଲେ ମଧ୍ୟ ସାଢ଼େ ୬ଟା ବେଳକୁ ଠାକୁର ମାଉସୀ ମା’ ଘରେ ପହଞ୍ଚିଥିଲେ। ସଂଧ୍ୟା ୭ଟାରେ ଠାକୁରଙ୍କର ଆଳତି ହୋଇଥିଲା। ପରେ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ରଥକୁ ଯୁବତୀ ଓ ମହିଳାମାନେ ଟାଣିଥିବା ବେଳେ ଅନ୍ୟ ରଥକୁ ଭକ୍ତମାନେ ଟାଣିଥିଲେ। ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ସଞ୍ଜୟ ପଣ୍ଡା, କର୍ପୋରେଟର ମାନସୀ ସୁନ୍ଦରରାୟ, ଡିସିପି ପ୍ରତୀକ ସିଂହ, ସନ୍ନ୍ୟାସୀ ଭକ୍ତିପ୍ରାଣ ଗୋପିନାଥ ସ୍ବାମୀ, ହଳଧର ସ୍ବାମୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ସୁଦର୍ଶନ ଦାରୁ ପୀଠ
ବାଲିଅନ୍ତା ବ୍ଲକ ଅଧୀନ ଗଡ଼କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠରେ ଆଜି ରଥଯାତ୍ରା ବେଶ୍‌ ଉତ୍ସାହ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ୨୭ ଫୁଟ୍‌ ଉଚ୍ଚତା ବିଶିଷ୍ଟ ରଥରେ ଚଢ଼ି ମହାପ୍ରଭୁ ଗୁଣ୍ଡିଚା ଯାତ୍ରା କରିଥିଲେ। ରୀତିନୀତି ଅନୁସାରେ ସକାଳ ୮ ଘଟିକା ସମୟରେ ନବଯୌବନ ଦର୍ଶନ, ସକାଳ ୧୦ ଘଟିକା ସମୟରେ ରଥ ପ୍ରତିଷ୍ଠା, ଦିନ ୧୨ଟାରେ ମଧ୍ୟାହ୍ନ ନୀତିକାନ୍ତି, ଅପରାହ୍ନ ୨ ଘଟିକା ସମୟରେ ଖେଚୁଡ଼ି ଓ ଡାଲମା ଭୋଗଲାଗି କରାଯାଇଥିଲା। ଭଗବତୀ ମନ୍ଦିରରେ ହଜାରହଜାର ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଅପରାହ୍ଣ ୩ ଘଟିକାରେ ଧାଡ଼ି ପହଣ୍ଡି, ସାଢ଼େ ୩ଟାରେ ରଥରେ ନବ କିଶୋର ନାୟକ ଛେରା ପହଁରା କରିଥିଲେ। ଅପରାହ୍ଣ ୪ଟା ରେ ରଥିଜେମାସ୍ଥିତ ମାଉସୀ ମା’ ତଥା ଭଗବତୀ ମନ୍ଦିର ଅଭିମୁଖେ ରଥ ଗଡ଼ିଥିଲା। ନାମ ସଂକୀର୍ତ୍ତନ, ହରିବୋଲ ହୁଳହୁଳି ପକାଇ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ଏବର୍ଷ ଗୁଣ୍ଡିଚା ଯାତ୍ରା ଦୁଇ ଦିନ ପାଳନ ହେଉଥିବାରୁ ଆଜି ରଥ ହୀରାପୁର ଛକ ଅତିକ୍ରମ କରି ଅଟକିଥିଲା। ଆସନ୍ତାକାଲି ଅପରାହ୍ଣରେ ରଥ ଟଣା ଯାଇ ମାଉସୀ ମା’ ମନ୍ଦିରରେ ପହଞ୍ଚିବ। ଅନୁରୂପ ଭାବେ ଆଜି ନାଗପୁର, କଇଜଙ୍ଗାରେ ମଧ୍ୟ ରଥଯାତ୍ରା ପାଳିତ ହୋଇଛି।

ଦର୍ପଦଳନ ରଥ ଟାଣିଲେ ମହିଳା
କିସ୍ ଶ୍ରୀବାଣୀକ୍ଷେତ୍ରରେ ଆଜି ମହାସମାରୋହରେ ଘୋଷଯାତ୍ରା ସଂପନ୍ନ ହୋଇଛି। ଆଜି ପୂର୍ବାହ୍ନରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସଂପନ୍ନ ହେବା ପରେ କିଟ୍‍ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୪ଟାରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା। ଅପରାହ୍ନ ୪ଟା ୩୦ମିନିଟ୍‌ରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ନବନିର୍ମିତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ। ଘଣ୍ଟଘଣ୍ଟା, ମୃଦଙ୍ଗ, ଖୋଳ, କରତାଳି ନିନାଦ ସହ ଜୟ ଜଗନ୍ନାଥ ଧ୍ୱନିରେ ରଥଦାଣ୍ଡ ପ୍ରକମ୍ପିତ ହୋଇଥିଲା। ଶ୍ରୀବାଣୀକ୍ଷେତ୍ର ରଥଯାତ୍ରାର ଏକ ବିଶେଷତ୍ୱ ହେଉଛି ଏଠାରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନକୁ ମହିଳାମାନେ ଟାଣିଥାନ୍ତି। ଘୋଷଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ୫୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥକୁ ଟାଣିବା ସହ ଭକ୍ତମାନେ ଦିବ୍ୟକୃପା ଲାଭ କରିଥିଲେ। ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରାକୁ ଆଧାର କରି କିସ୍ ଶ୍ରୀବାଣୀକ୍ଷେତ୍ରରେ ମହାପ୍ରଭୁଙ୍କ ସମସ୍ତ ନୀତି ଅନୁସାରେ ପୂଜା ହୋଇଛି।

ଆର୍‌ସିଏମ୍‌ ରଥ ସମ୍ମୁଖରେ ଆଦିବାସୀ ନୃତ୍ୟ
ମୈତ୍ରୀବିହାର ଆର୍‌ସିଏମ୍‌ ଶ୍ରୀଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଆଜି ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚଳିତବ‌ର୍ଷ ଏଠାରେ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ପୂର୍ବରୁ ଏଠାରେ ତିନି ରଥ ଗଡ଼ୁଥିଲା। କିନ୍ତୁ ଚଳିତ ବର୍ଷ ଗୋଟିଏ ରଥ ଗଡ଼ିଛି। ଏଠାରେ ଏବର୍ଷ ୩ ରଥ ପରମ୍ପରା ବନ୍ଦ ହୋଇଯାଇଛି। ମାତ୍ର ପୂର୍ବ ଭଳି ରଥ ଆଗରେ ଆଦାବାସୀ ନୃତ୍ୟ ମନ ମୋହିଥିଲା। ସ୍ଥାନୀୟ ଅଞ୍ଚଳରେ ରହୁଥିବା ସାନ୍ତାଳ, ଦେଶିଆ, ହୋ ଓ ମୁଣ୍ଡା ଜାତିର ଆଦିବାସୀ ଶ୍ରଦ୍ଧାଳୁମାନେ ରଥ ସମ୍ମୁଖରେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆଦିବାସୀ ଭକ୍ତମାନେ ଢୋଲ, ମହୁରୀ, ମର୍ଦ୍ଦଳ, ଚୁଙ୍ଗା, ଚଡ଼ଚଡ଼ି, ତୂରୀ ଓ ତାସା ବଜାଇ ପରିବେଶକୁ ପ୍ରକମ୍ପିତ କରିଥିଲେ। ‘ହରେ ରାମ ହରେ କୃ‌ଷ୍ଣ’ ଗୀତରେ ମହିଳା ଓ ପୁରୁଷମାନେ ନାଚୁଥିଲେ। ଆଜି ସକାଳୁ ମଙ୍ଗଳ ଆଳତି, ଅବକାସ ଓ ଠାକୁରଙ୍କ ସ୍ନାନ ବିଧି ସମ୍ପନ୍ନ ହେବା ପରେ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ସେହିଭଳି ପ‌ରେପରେ ବେଶପୂଜା କରାଯାଇ ତିନି ଠାକୁରଙ୍କଠାରେ ଟାହିଆ ଲାଗି ହୋଇଥିଲା। ଏହାପରେ ତିନିଠାକୁରଙ୍କ ପହଣ୍ଡି ନୀତି କରାଯାଇଥିଲା। ମନ୍ଦିର କମିଟି ମୁଖ୍ୟ ପ୍ରବୀର କୁମାର ପାଲ ଛେରାପହଁରା କରିଥିଲେ। ଭକ୍ତମାନେ ରଥକୁ ଟାଣି ନେଇ ପ୍ରେସ୍ କଲେନି ଛକ କାଳୀ ମନ୍ଦିର ପରିସରସ୍ଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ।

publive-image

ଜଟଣୀ: ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତର ଲବଣଗିରି ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସମାପନ ହେବା ସହ ପହଣ୍ଡି ବିଜେ, ଛେରାପହଁରା ସହ ସନ୍ଧ୍ୟା ୫ଟାରେ ରଥଟଣା ହୋଇଥିଲା। ଆଜି ପାହାଡ଼ ଉପରୁ ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ହୋଇ ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଜଗନ୍ନାଥ ପାହାଡ଼ ତଳକୁ ଆସିଥିଲେ। ଆଜି ପଧାନସାହି ଛକଠାରେ ରଥ ରହିଥିଲା। ଆସନ୍ତାକାଲି ପୂର୍ବାହ୍ନରେ ପୁଣି ରଥଟଣା ହୋଇ ପାଞ୍ଚଗାଁ ନିକଟ ମାଉସୀ ମା’ ମନ୍ଦିରରେ ପହଞ୍ଚିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ସେହିପରି ଜଟଣୀ ପୌରାଞ୍ଚଳ କୁଦିଆରିରେ ଦଧିବାବନଙ୍କ ରଥଯାତ୍ରା ପାଳିତ ହୋଇଯାଇଛି। ବସନ୍ତ ଦାସଙ୍କ ଛେରାପହଁରା ପରେ ଅପରାହ୍ନ ୪ଟାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଥିଲା। ସଂଧ୍ୟା ୭ଟାରେ କୁଦିଆରିସ୍ଥିତ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିଥିଲା। କାର୍ଯ୍ୟକ୍ରମକୁ ଦୀପ୍ତି ରଞ୍ଜନ ପଣ୍ଡା, ନିହାର ରଞ୍ଜନ ପଣ୍ଡା, ଚନ୍ଦ୍ରଶେଖର ପଣ୍ଡା ପ୍ରମୁଖ ପରିଚାଳନା କରୁଛନ୍ତି ବୋଲି ଜାଗୁଳାଇ କମିଟି ସଂପାଦକ ଲକ୍ଷ୍ମୀଧର ମହାନ୍ତି କହିଛନ୍ତି। ଅନ୍ୟପଟେ ବାଛରାପାଟଣା, କୁସୁମାଟି, ପାଣ୍ଡିଆବିଲି, ଜାଆଁଳା ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି।

କୋଳଥିଆ ଚିଦାନନ୍ଦବିହାର
ଖଣ୍ଡଗିରି କୋଳଥିଆ ଚିଦାନନ୍ଦବିହାର ଜଗନ୍ନାଥ ମନ୍ଦିରରେ ଯଥାରୀତି ଘୋଷଯାତ୍ରା ସମ୍ପନ୍ନ ହୋଇଛି। ସକାଳ ନୀତି, ଖେଚୁଡ଼ି ଭୋଗ ଲାଗି ଓ ସେନାପଟା ଲାଗି ପରେ ମଧ୍ୟାହ୍ନ ୧୨ଟାରେ ତିନି ଠାକୁରଙ୍କୁ ପହଣ୍ତିରେ ଆଣି ରଥାରୂଢ଼ କରାଯାଇଥିଲା। ଅପରାହ୍ନ ୨ଟାରେ ସଂଘ ସଭାପତି ସତ୍ୟବ୍ରତ ଦାସ ଛେରା ପହଁରା କରିଥିଲେ। ରଥଟଣା ଅପରାହ୍ଣ ୪ଟାରେ ଆରମ୍ଭ ହୋଇଥିଲା। ସନ୍ଧ୍ୟା ସାଢ଼େ ୬ଟା‌ରେ ତିନି ଠାକୁର ଖଣ୍ଡଗିରି ପାହାଡ଼ ପାଦଦେଶସ୍ଥ ସୁଧର୍ମା ମହାସଂଘ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ।

ଧର୍ମବିହାର
ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର ରଥଯାତ୍ରା‌ରେ ପିପିଲି ମଙ୍ଗଳପୁରରୁ ଆସିଥି‌ବା ଘୋଡ଼ାନାଚ, ନାଗାବାବା, ହନୁମାନ, ଠାକୁରାଣୀ ମେଢ଼ ଉପସ୍ଥିତ ଭକ୍ତଙ୍କୁ ବିଭୋର କରିଥିଲା। ଧର୍ମବିହାର ଜଗନ୍ନାଥ ମନ୍ଦିରରୁ ରଥ ବାହାରି ଗଣ୍ଡମୁଣ୍ଡା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଯାଇଥିଲା। ପୂର୍ବତନ ‌କର୍ପୋ‌ରେଟର୍‌ ରଘୁନାଥ ମହାନ୍ତି ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ରାତି ୭ଟାରେ ରଥ ମନ୍ଦିରରେ ପହଞ୍ଚିଥିଲା। ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ପ୍ରାୟ ୫ ହଜାର ଭକ୍ତଙ୍କ ପାଇଁ ଭୁବନେଶ୍ବର- ସାଉଥ୍‌ ୱେଲଫେୟାର ଆସୋସିଏସନ୍ ଓ ଲକ୍ଷ୍ମୀନାରାୟଣ ମନ୍ଦିର ମିଳିତ ସହଯୋଗରେ ପଣା ବଣ୍ଟନ କରାଯାଇଥିଲା। ଆସନ୍ତାକାଲି ୪ଟାରେ ଠାକୁରଙ୍କର ପହଣ୍ଡି ହେବ।

ୟୁନିଟ୍‌-୮ ଜଗନ୍ନାଥ ମନ୍ଦିର
୫୩ବର୍ଷରେ ପଦାର୍ପଣ କରିଥିବା ୟୁନିଟ୍‌-୮ ଜଗନ୍ନାଥ ମନ୍ଦିର ରଥଯାତ୍ରା ଅବସରରେ ଅପରାହ୍ନ ସାଢ଼େ ୧ଟାରେ ଠାକୁରଙ୍କ ପହଣ୍ଡି ନୀତି ହୋଇଥିଲା। ବାୟାବାବା ମଠ ମହନ୍ତ ହରିଶ୍ଚନ୍ଦ୍ର ସ୍ବାମୀ ଛେରା ପହଁରା କରିଥିଲେ। ସଂଧ୍ୟା ପ୍ରାୟ ୭ଟାରେ ରଥ ଓୟୁଏଟି ଝାଡ଼େଶ୍ବରୀ ମନ୍ଦିରରେ ପହଞ୍ଚିଥିଲା।