ଜମି ମାଲିକଙ୍କୁ ଜମି ଫେରାନ୍ତୁ, ନଚେତ୍‌ ଆନ୍ଦୋଳନ: ଜଟଣୀ ବିଧାୟକ

ଜଟଣୀରେ ଜଗନ୍ନାଥଙ୍କ ବିବାଦୀୟ ଜମି ପ୍ରସଙ୍ଗ

ଭୁବନେଶ୍ବର: ୨୦୧୨ ମସିହାରେ ଜଣେ ସେଟଲମେଣ୍ଟ୍‌ ଅଫିସରଙ୍କ ଭୁଲ ଅର୍ଡର୍‌ ଯୋଗୁଁ ଜଟଣୀ ପୌରାଞ୍ଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ନିଜସ୍ବ ଘରବାଡ଼ି ମହାପ୍ରଭୁ ଜଗନ୍ନାଥଙ୍କ ଖାତାକୁ ଚାଲିଯାଇଛି। ଲୋକଙ୍କୁ ଜମି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ। ଆଜି ସାମ୍ବାଦିକ ସମ୍ମିଳନୀ କରି ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏପରି ଅଭିଯୋଗ କରିଛନ୍ତି। ଜମି ମାଲିକଙ୍କୁ ଜମି ଫେରା ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।

ଶ୍ରୀ ରାଉତରାୟ କହିଛନ୍ତି, ଲକ୍ଷାଧିକ ଲୋକଙ୍କ ଜମି ଭୁଲବଶତଃ ଜଗନ୍ନାଥଙ୍କ ନାମରେ ରେକର୍ଡ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କ ଜମି ବିକ୍ରି ଖର୍ଦ୍ଦି କରିପାରୁନାହାନ୍ତି। ସରକାରଙ୍କ ବିକାଶମୂଳକ କାର୍ଯ୍ୟ ମଧ୍ୟ ଏହି ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏପରିକି ଖେଳପଡ଼ିଆ ଓ ମେଳଣ ପଡ଼ିଆ ପାଇଁ ମଧ୍ୟ ସରକାରୀ ଅର୍ଥ ବିନିଯୋଗ ହୋଇପାରୁନି। ଏହାର ସମାଧାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ବି ପାଳନ ହୋଇନି। ଅନ୍ୟପଟେ ରାଜ୍ୟ ସରକାର ଏକ କମିଟି ଗଠନ କରିଦେଇ ଚୁପ୍‌ ବସିଛନ୍ତି। ସେ କମିଟି ଏ ପର୍ଯ୍ୟନ୍ତ କିଛି ବି କାର୍ଯ୍ୟ ଆରମ୍ଭ କରିନି। ଗୋଟିଏ ଭୁଲ ଅର୍ଡର୍‌ ବଳରେ ଯେପରି ସମସ୍ତଙ୍କ ଜମି ଜଗନ୍ନାଥଙ୍କ ନାଁରେ ରେକର୍ଡ ହୋଇଗଲା ସେହିପରି ଚଳିତବର୍ଷ ଶେଷସୁଦ୍ଧା ସରକାର ଗୋଟିଏ ଅର୍ଡର୍‌ ଜାରି କରି ସମସ୍ତ ଜମି ମାଲିକମାନଙ୍କୁ ସେମାନଙ୍କ ଭୂସମ୍ପତ୍ତି ଫେରାନ୍ତୁ। ନଚେତ୍‌ ଜଟଣୀ ରେଳଠାରୁ ଆରମ୍ଭ କରି ତେଲ ଡିପୋ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇ ଆନ୍ଦୋଳନ କରାଯିବ। ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି। ଏହି ଅବସରରେ ସ୍ଥାନୀୟ କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ ଜଟଣୀ ଓ ଭୁବନେଶ୍ବରର କେତେଜଣ ଅନ୍ୟ ଦଳର କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ। କାର୍ଯ୍ୟକମରେ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର